‘ଆଜାଦୀ ମାର୍ଚ୍ଚ’ ଜିଦରେ ମୌଲାନା ଅଟଳ, ଏବେ ତାଙ୍କୁ ମନେଇବାକୁ ଯିବେ ଇମ୍ରାନଙ୍କ ମନ୍ତ୍ରୀ କମିଟି
25/10/2019 at 4:23 PM

ଇସ୍ଲାମାବାଦ: ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିକରି ପାକିସ୍ତାନରେ ‘ଆଜାଦୀ ମାର୍ଚ୍ଚ’ ଡାକରା ଦେଇଥିବା ମୌଲାନା ଫଜଲ-ଉର-ରହେମାନଙ୍କୁ ମନେଇବା ଲାଗି ଇମ୍ରାନ ଖାନ ମନ୍ତ୍ରୀମାନଙ୍କର ଏକ କମିଟି ଗଠନ କରିଛନ୍ତି। ଏହି କମିଟି ଶୁକ୍ରବାର ସନ୍ଧ୍ୟାରେ ମୌଲାନାଙ୍କୁ ଭେଟିବାକୁ ଯିବେ। ତେବେ ଏହି ସୂଚନା ପାଇବା ପରେ ମୌଲାନା ମନ୍ତ୍ରୀ କମିଟିକୁ ସ୍ୱାଗତ କରିବା ସହ ଆଲୋଚନାକୁ ଆସିବା ବେଳେ ହାତରେ ନିଶ୍ଚିତ ଇମ୍ରାନଙ୍କ ଇସ୍ତଫା ପତ୍ର ନେଇଆସିଥିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

ଆଜାଦୀ ମାର୍ଚ୍ଚ ଡାକରା ପରିପ୍ରେକ୍ଷୀରେ ପାକ୍ ସେନା ମୁଖ୍ୟ ଜେନେରାଲ ବାଜୱା ମୌଲାନାଙ୍କୁ ଭେଟିସାରିଛନ୍ତି। ଏଥିରୁ ନିବୃତ୍ତ ରହିବା ଲାଗି ବାଜୱାଙ୍କ ନିବଦେନକୁ ମୌଲାନା ଅସ୍ୱୀକାର କରିବା ପରେ ଇମ୍ରାନ ନିଜ ଆଡୁ ଏବେ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିଲାଗି ଗୁରୁବାର ଇମ୍ରାନ ମନ୍ତ୍ରୀମାନଙ୍କ ସହ ଆଲୋଚନା କରି ବିଳମ୍ବିତ ରାତ୍ରିରେ ଏକ କମିଟି ଗଠନ କରିଥିଲେ। ଏହି କମିଟି ମୌଲାନାଙ୍କୁ ଭେଟି ଯେମିତି ହେଲେ ବି ତାଙ୍କୁ ଆଜାଦୀ ମାର୍ଚ୍ଚରୁ ନିବୃତ୍ତ କରିବାକୁ ଉଦ୍ୟମ କରିବେ ବୋଲି ଜଣାପଡିଛି।

ମୌଲାନାଙ୍କ ଆଜାଦୀ ମାର୍ଚ୍ଚକୁ ନବାଜ ସରିଫ ଓ ବିଲାୱଲ ଭୁଟ୍ଟୋଙ୍କ ପାର୍ଟି ସମର୍ଥନ କରୁଛି। କେବଳ ଏତିକି ନୁହେଁ ଦେଶର କିଛି କଠୋର ପନ୍ଥୀ ସଙ୍ଗଠନମାନେ ମଧ୍ୟ ଏବେ ମୌଲାନାଙ୍କ ସମର୍ଥନରେ ଆସିଗଲେଣି। ଯାହା ଏବେ ଇମ୍ରାନ ସରକାରଙ୍କ ଲାଗି ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ତେବେ ସେନା ଏବେ ଇମ୍ରାନ ସରକାରଙ୍କ ସୁରକ୍ଷା କବଚ ପାଲଟିଯାଇଛି। ଏଥିରେ ମୌଲାନା କ୍ଷୁବ୍ଧ ହୋଇଥିବା ବେଳେ ସରକାର ତାଙ୍କ ସହ ଧୋକା ଦେଉଥିବା କହିଛନ୍ତି।

ଗୋଟିଏ ପଟେ ସରକାର ଆଲୋଚନାର କଥା କହୁଥିବା ବେଳେ ଆଉ ଗୋଟିଏ ପଟେ ଏମାର୍ଜେନ୍ସି ଓ ମାର୍ସଲ ଲ ଲାଗି ପରିସ୍ଥିତି ସୃଷ୍ଟି କରୁଥିବା କହିଛନ୍ତି। ଇମ୍ରାନ କାଶ୍ମୀର ଲୋକଙ୍କ ପ୍ରତି ଛଳ କରିଥିବା ମୌଲାନା ଅଭିଯୋଗ କରିଥିବା ବେଳେ ତାଙ୍କଠାରୁ କିଛି ଆଶା କରିବା ନିର୍ଥକ ବୋଲି କହିଛନ୍ତି। ମୌଲାନା ଇମ୍ରାନଙ୍କୁ ସେନା ସମର୍ଥିତ ସିଲେକ୍ଟ ପ୍ରାଇମିନିଷ୍ଟର ବୋଲି କହିଛନ୍ତି । ଏଣୁ ନିର୍ବାଚନରେ ଅନିୟମିତତାର ଅଭିଯୋଗ ଆଣିବା ସହ ସେ ପଦରୁ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଦେଶରେ ତାଙ୍କର ଆଜାଦୀ ମାର୍ଚ୍ଚ ଜାରି ରହିବ ବୋଲି କହିଛନ୍ତି।

ସେହିପରି ଇମ୍ରାନ ବିରୋଧୀ ଦଳ ନେତାମାନଙ୍କର ହତ୍ୟା ଲାଗି ଷଡଯନ୍ତ୍ର କରୁଥିବା ବିଲାୱଲ ଭୁଟ୍ଟୋ ଅଭିଯୋଗ କରିଥିବା ବେଳେ ସେନା ଦେଶରେ ମୌଲାନାଙ୍କ ଆଜାଦୀ ମାର୍ଚ୍ଚକୁ କଭରେଜ ନ ଦେବା ଲାଗି ମିଡିଆ ହାଉସମାନଙ୍କୁ ପୂର୍ବରି ତାଗିଦ କରିଥିବା ଜଣାପଡିଛି।