ପୁଣି ବିଳବିଳେଇଲେ ଇମ୍ରାନ, କହିଲେ ଭାରତରେ ଚାଲିଛି RSSର ନାଜି ରାଜ୍
26/02/2020 at 6:14 PM

ଇସ୍ଲାମାବାଦ : କାଶ୍ମୀର ରାଗ ଭୁଲି ଏବେ ଇମ୍ରାନ ଦିଲ୍ଲୀ ରାଗ ଆଳାପ କରିଛନ୍ତି। ଦିଲ୍ଲୀରେ ଉପୁଜିଥିବା ପରିସ୍ଥିତିରେ ଇମ୍ରାନ ଟ୍ୱିଟ୍ ପରେ ଟ୍ୱିଟ୍ କରିଚାଲିଥିବା ବେଳେ ନାଜି ପ୍ରେରିତ ଆରଏସ୍ଏସ୍ ଲୋକେ ପରମାଣୁ ଶକ୍ତି ସମ୍ପନ୍ନ ଭାରତକୁ ସେମାନଙ୍କ ହାତ ମୁଠାକୁ ନେଇଯାଇଥିବାର ଉଲ୍ଲେଖ କରିଛନ୍ତି। ଏଣୁ ତୁରନ୍ତ ବିଶ୍ୱସମୂଦାୟକୁ ହସ୍ତକ୍ଷେପ କରିବା ଲାଗି ଇମ୍ରାନ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ନିବେଦନ କରିଛନ୍ତି।

ଗତ ୫ ଅଗଷ୍ଟ ୨୦୧୯ରେ ଭାରତ ସରକାର କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର କରିବା ପରେ ଇମ୍ରାନ ଏହି ଭଳି ବିକୃତ ପ୍ରତିକ୍ରିୟା ପ୍ରକାଶ କରୁଥିଲେ। ହେଲେ ଏବେ ତାଙ୍କ ଟାର୍ଗେଟ୍ କାଶ୍ମୀରରୁ ଦିଲ୍ଲୀକୁ ବଦଳେଇ ଦେଇଛନ୍ତି। ଭାରତ ସରକାର ନିକଟରେ ନାଗରିକତା ଆଇନ ସଂଶୋଧନ କରିଥିବା ବେଳେ କିଛି ଲୋକେ ଏହାକୁ ନେଇ ବିରୋଧ ଜାରି ରଖିଛନ୍ତି। ଅବୁଝାମଣା ଯୋଗୁଏଭଳି ପରିସ୍ଥିତି ଜାରି ରହିଥିବା ବେଳେ ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଭଣ୍ଡୁର କରିବା ଲାଗି ଷଡଯନ୍ତ୍ର ଏବେ ଦିଲ୍ଲୀରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଛି।

ତେବେ ସଠିକ ଗୁଇନ୍ଦା ସୂଚନା ନଥିବାରୁ ପାକ୍ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ ଏବେ ସୋସାଲ ମିଡିଆରେ ହାସ୍ୟସ୍ପଦ ପରିସ୍ଥିତି ସୃଷ୍ଟି କରିଛି। ମିଆଁ ଇମ୍ରାନ ଭାରତ ଓ ମୋଦିଙ୍କୁ ନେଇ ଏବେ ଏତେ ଭୟଭୀତ ହୋଇପଡିଛନ୍ତି ଯେ ଭାରତରେ ଷୋରିଷ ଫୁଟିଲେ ତାଙ୍କୁ ଏବେ ଗୋଳା ଭଳି ଆବାଜ ହେଉଛି। ସେ ତାଙ୍କ ଟ୍ୱିଟ୍ରେ ଭାରତରେ ଥିବା ମୁସଲମାନ ଧର୍ମାବଲମ୍ବୀମାନେ ଏବେ ବିପଦରେ ଥିବାର ସେ ଆଶଙ୍କା ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ପାକ୍ରେ ଥିବା ସଂଖ୍ୟାଲଘୁଙ୍କ ସଂରକ୍ଷଣ ଲାଗି ଅଚାନକ ତତ୍ପର ହୋଇଉଠିଛନ୍ତି। ଯଦି ଦେଶର କୌଣସି ବି ସ୍ଥାନରେ ଅଳ୍ପସଂଖ୍ୟକ ସମୂଦାୟଙ୍କ ବିରୋଧରେ କୌଣସି ପ୍ରକାର ଅସହିଷ୍ଣୁତା ଆଚରଣ କରେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଲାଗି ପ୍ରଥମ ଥର ଚେତାଇଛନ୍ତି ଇମ୍ରାନ। ସେମାନଙ୍କୁ ଦେଶରସମାନ ନାଗରିକ ବୋଲିମଧ୍ୟ କହିଛନ୍ତି। ତେବେ ଭାରତରେ ଦିଲ୍ଲୀ କାଣ୍ଡ ପର୍ଯ୍ୟନ୍ତ ପାକ୍ରେ ସଂଖ୍ୟାଲଘୁ ଉତ୍ପିଡିତ ହେଉଥିଲେ।