Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାକ୍ ସେନା ପରାସ୍ତ ହେବା ନିଶ୍ଚିତ-ଶେଷରେ ସତ କହିଲେ ଇମ୍‌ରାନ୍‌

15/09/2019 at 5:56 PM

ଇସଲାମାବାଦ – ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ବିରୋଧୀ ଯେତିକି ନାସମଝ ବା ବୋକା ବୋଲି ଭାବୁଛନ୍ତି, ସେ କିନ୍ତୁ ସେତିକି ଚାଲାକ । ଭାରତ ଆଳରେ ପାକିସ୍ତାନରେ ସତ୍ତାରେ ରହିବା ପାଇଁ କେମିତି ସତରଞ୍ଜର ଗୋଟି ଚାଳନା କରିବାକୁ ହୁଏ ତାହା ବୋଧହୁଏ ଇମ୍ରାନ ମିଆଁଙ୍କୁ ବେଶ ଭଲଭାବେ ଜଣା । ଗୋଟିଏ ପଟେ ପାକିସ୍ତାନରେ ଆତଙ୍କବାଦୀଙ୍କ ଟ୍ରେନିଂ ଚାଲିଛି, ଏପଟେ ଇମ୍ରାନ କିନ୍ତୁ ଶାନ୍ତିର କପୋତ ଉଡ଼ାଇବାକୁ ଆଗଭର ବୋଲି ବିଶ୍ବକୁ ସନ୍ଦେଶ ଦେଉଛନ୍ତି । ଅବଶ୍ୟ ଭାରତ ସହ ଯୁଦ୍ଧ ପାକିସ୍ତାନ ଚିତପଟାଙ୍ଗ ହୋଇଯିବ ବୋଲି ଆଜି ସ୍ବୀକାର କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସତ କହିଲେ । ବାରମ୍ବାର ଭାରତକୁ ଆଣବିକ ଯୁଦ୍ଧର ଧମକ ଦେଉଥିବା ଇମ୍ରାନ ଖାନ୍‌ ଏଥର ସତ ସ୍ବୀକାର କରିଛନ୍ତି । ଭାରତ ସହ ଯୁଦ୍ଧ ହେଲେ ପାକ୍ ସେନା ପରାସ୍ତ ହେବା ନିଶ୍ଚିତ ବୋଲି ଏକ ଟିଭି ସାକ୍ଷାତକାରରେ କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ମାନେ ଡେରିରେ ହେଲେ ବି ଇମ୍ରାନ ପାକିସ୍ତାନର ଭିତିରି କଥାଟା ଓଗାଳିଛନ୍ତି।

ତେବେ ହଠାତ୍ କାହିଁକି ଏମିତି କହିଲେ ଇମ୍ରାନ ? ବାରମ୍ବାର ଯୁଦ୍ଧର ରାଗ ଆଳାପ କରୁଥିବା ପାକ୍ ପ୍ରଧାନମନ୍ତ୍ରୀଙ୍କ ସ୍ବର ବଦଳିଲା କାହିଁକି ? ଏହି ପଛରେ ଇମ୍ରାନ ବହୁତ ବଡ଼ ଚାଲ ଖେଳିଥିବା ଚର୍ଚ୍ଚା ହେଉଛି ।

ନିଜକୁ ଯୁଦ୍ଧ ବିପକ୍ଷବାଦୀ ତଥା ଶାନ୍ତିପ୍ରିୟ ଦେଖାଇ ବିଶ୍ବ ସମୁଦାୟ ଆଗରେ ଏକ ଅଲଗା ଇମେଜ୍ ତିଆରି କରିବା ଚକ୍କରରେ ଅଛନ୍ତି ପାକିସ୍ତାନୀ ୱଜିର-ଏ-ଆଜମ୍ । ଏସବୁ ଭିତରେ ବି ଆଣବିକ ଯୁଦ୍ଧ ପାଇଁ ପରୋକ୍ଷରେ ଇଶାରା ଦେଇଛନ୍ତି ଇମ୍ରାନ ।

ଇମ୍ରାନଙ୍କ ଇଣ୍ଟରଭ୍ୟୁ ପରେ ବେଶ କିଛି ପ୍ରଶ୍ନ ମଧ୍ୟ ଛିଡ଼ା ହୋଇଛି । ଶାନ୍ତିପ୍ରିୟ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଛି କାହିଁକି ? କାହିଁକି ହଫିଜ ସୟିଦ, ମସୁଦ ଅଜହରଙ୍କ ପରି ଆତଙ୍କର ଆକ୍କାମାନଙ୍କ ପାଇଁ ପାକିସ୍ତାନ ପାଲଟିଛି ସ୍ବର୍ଗ ? ପାକ୍ ଅଧିକୃତ କାଶ୍ମୀରରେ କାହିଁକି ଚାଲିଛି ଟେରର୍ କ୍ୟାମ୍ପ ?

ହାତୀର ଖାଇବା ଦାନ୍ତ ଓ ଦେଖେଇବା ଦାନ୍ତ ଅଲଗା ପରି ଇମ୍ରାନଙ୍କ କହିବା ଓ କରିବା ଭିତରେ ଯେ ଆକାଶପାତାଳର ଅନ୍ତର ତାହା ସ୍ପଷ୍ଟ । ଏସବୁ ଭିତରେ ପୁଣି ଥରେ ପାକିସ୍ତାନକୁ ଆତଙ୍କର କଳାବାଦଲ ଭିତରୁ ବାହାରକୁ ଆସିବା ପାଇଁ ଲଲକାର ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ନହେଲେ ପାକିସ୍ତାନ ଖଣ୍ଡଖଣ୍ଡ ହେବା ଥୟ ବୋଲି ରାଜନାଥ ଚେତେଇ ଦେଇଛନ୍ତି ।

ଇମ୍ରାନ ଭଲ ଭାବେ ଜାଣିଛନ୍ତି ଭାରତକୁ ନେଇ ଯେତେ ବିଳିବିଳେଇଲେ ବି ପାକିସ୍ତାନକୁ କିଛି ଫାଇଦା ହେବାର ନାହିଁ । ତେବେ ଭାରତ ଆଳରେ ନିଜର ଇମେଜ୍ ବିଲଡିଂ କରି ପୁଣି ଥରେ ଗାଦି ହାତେଇବା ପ୍ଲାନରେ ଅଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ।    

   Related Posts