କ୍ଷମତାରୁ ବିତାଡିତ ହେବେ ଇମ୍ରାନ ! କହିଲେ- ମୋର ୧୫-୧୬ ସାଂସଦ ବିକ୍ରି ହୋଇ ଯାଇଛନ୍ତି, ମୁଁ ବିରୋଧୀ ଆସନରେ ବସିବାକୁ ପ୍ରସ୍ତୁତ

Published By : Prameya-News7 Bureau | March 04, 2021 IST

ଇସଲାମାବାଦ ୦୪।୦୩: ସିନେଟ୍‌ ନିର୍ବାଚନରେ ଇସଲାମାବାଦ ଆସନରୁ ପରାଜିତ  ହେବା ପରେ ଲଜ୍ଜିତ ଇମ୍ରାନ ଖାନଙ୍କ ଗାଦି ଟଳମଳ। ସେ ଶୀଘ୍ର ନିଜର ପଦ ହରାଇବାକୁ ଯାଉଛନ୍ତି। ଗୁରୁବାର ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରି ଇମ୍ରାନ ଖାନ ଯାହା କହିଛନ୍ତି, ସେଥିରୁ ସ୍ପଷ୍ଟ ହୋଇଛି ଯେ, ସେ ନିଜର ପରାଜୟ ସ୍ଵୀକାର କରି ସାରିଛନ୍ତି। ଶନିବାର ଆସ୍ଥା ଭୋଟ୍ ପୂର୍ବରୁ ଇମ୍ରାନ ଖାନ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ତାଙ୍କର ୧୫ରୁ ୧୬ ସାଂସଦ ବିକ୍ରି ହୋଇ ଯାଇଛନ୍ତି। ଏବେ ସେ  ବିରୋଧୀ ଆସନରେ ବସିବାକୁ ପ୍ରସ୍ତୁତ। ବିରୋଧୀ ନେତାଙ୍କୁ ଚୋରର ଆଖ୍ୟା ଦେଇ ଇମ୍ରାନ କହିଛନ୍ତି ତାଙ୍କୁ ବ୍ଲାକମେଲ୍ କରିବାକୁ ଉଦ୍ୟମ  କରାଯାଉଥିଲା।

ଇମ୍ରାନ କହିଛନ୍ତି, ବିରୋଧୀ ଦଳ ଚିନ୍ତା କରୁଥିଲେ ଯେ ମୋ ଉପରେ ଅବିଶ୍ଵାସ ପ୍ରସ୍ତାବର ଖଣ୍ଡା ଝୁଲାଇବେ ଏବଂ ମୁଁ ପଦ ଲୋଭରେ ସେମାନଙ୍କ ବିରୋଧରେ ରହିଥିବା ସମସ୍ତ କେସ୍ ବନ୍ଦ କରି ଦେବି। ମୁଁ ନିଜେ ଆସ୍ଥା ଭୋଟ୍ ଦେବାକୁ ପ୍ରସ୍ତୁତ। ମୁଁ ସଂସଦରେ ସମସ୍ତ ସାମ୍ନାରେ ଭୋଟ୍ ମାଗିବି। ମୁଁ ନିଜ ପାର୍ଟିର ଲୋକଙ୍କୁ ମଧ୍ୟ କହିବାକୁ ଚାହୁଁଛି ଯେ, ଆପଣ ଯଦି ମୋ ସହିତ ନାହାନ୍ତି ତେବେ ଆପଣଙ୍କର ଅଧିକାର ରହିଛି, ଆପଣ ସଂସଦରେ ହାତ ଟେକି ଏହା କହି ଦିଅନ୍ତୁ। ମୁଁ ବର୍ତ୍ତମାନ ବିରୋଧୀ ଆସନରେ ବସିବାକୁ ପ୍ରସ୍ତୁତ ବୋଲି ଇମ୍ରାନ କହିଛନ୍ତି।

ବିରୋଧୀ ନେତାଙ୍କୁ ଆହ୍ଵାନ ଦେଇ ଇମ୍ରାନ ଖାନ କହିଛନ୍ତି, ମୁଁ ବିଧାନସଭାରେ ଆସ୍ଥା ଭୋଟ୍ ଦେବାକୁ ଯାଉଛି। ମୁଁ ବିରୋଧୀ ଆସନରେ ବସେ କି ବିଧାନସଭାରୁ ବାହାରି ଯାଏ, ମୁଁ ଆପଣଙ୍କୁ ସେ ପର୍ଯ୍ୟନ୍ତ ଛାଡିବି ନାହିଁ, ଯେ ପର୍ଯ୍ୟନ୍ତ ଆପଣ ଦେଶର ଅର୍ଥ ଫେରାଇ ନାହାନ୍ତି। ମୁଁ ଯେ ପର୍ଯ୍ୟନ୍ତ ଜୀବିତ ରହିଛି ନିଜ ମାଟିର ଅର୍ଥ ଫେରାଇ ଆଣିବା ଲାଗି ସେମାନଙ୍କ ସହ ମୁକାବିଲା କରିବାକୁ ପ୍ରସ୍ତୁତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.