Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରଧାନମନ୍ତ୍ରୀ ମୋଦିଙ୍କ ନ୍ୟୁୟର୍କ ଗସ୍ତ ବେଳେ ବିକ୍ଷୋଭ ପ୍ରଦର୍ଶନ କରିବେ ପାକିସ୍ତାନୀ, ଜାଣନ୍ତୁ କିପରି ଷଡଯନ୍ତ୍ର ରଚିଛନ୍ତି ଇମ୍ରାନ

22/08/2019 at 4:47 PM

ଇସ୍ଲାମାବାଦ:  କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ଏବେ ପାକିସ୍ତାନର ନିଦ ହଜେଇ ଦେଇଛି। ଭାରତର କାଶ୍ମୀର ପ୍ରସଙ୍ଗକୁ କିପରି ଅନ୍ତର୍ଜାତୀୟ ମଞ୍ଚରେ ଉପସ୍ଥାପନ କରାଯାଇପାରିବ ସେଥି ଲାଗି ଦିନ ରାତି ଯୋଜନା ପ୍ରସ୍ତୁତିରେ ଲାଗିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଆସନ୍ତା ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନ୍ୟୁୟର୍କ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତକାଳରେ ମିଳିତ ଜାତି ସଂଘର ଏକ ଅଧିବେଶନରେ ମୋଦି ଯୋଗ ଦେବେ। ତେବେ ଅନୁଚ୍ଛେଦ ୩୭୦ ପ୍ରସଙ୍ଗରେ କାଶ୍ମୀରକୁ ବିଶ୍ୱ ସମୁଦାୟ ସମ୍ମୁଖରେ ଭାରତରୁ ଭିନ୍ନ ପ୍ରମାଣିତ କରିବା ଲାଗି ଇମ୍ରାନ ସେଠାରେ ବିଶାଳ ବିକ୍ଷୋଭର ହୀନ ଷଡଯନ୍ତ୍ର ରଚିଛନ୍ତି। ତେବେ ଆସନ୍ତୁ ଜାଣିବା ଭାରତକୁ ବିରୋଧ ଲାଗି ଆମେରିକାରେ କିପରି ଯୋଜନା କରିଛନ୍ତି  ଇମ୍ରାନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନ୍ୟୁୟର୍କ ଗସ୍ତକାଳରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରସଙ୍ଗକୁ ନେଇ ବିଶାଳ ବିକ୍ଷୋଭ ଲାଗି ପାକିସ୍ତାନ ରଣନୀତି ପ୍ରସ୍ତୁତ କରିଛି। ଏଥିନିମନ୍ତେ ପ୍ରଧାନମନ୍ତ୍ରୀ ଇମ୍ରାନ ତାଙ୍କ ପାର୍ଟି ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ)ର ଇଣ୍ଟରନ୍ୟାସନାଲ ଚାପ୍ଟର ସାଧାରଣ ସମ୍ପାଦକ ଅବଦୁଲ୍ଲା ରାୟରଙ୍କୁ ଇସ୍ଲାମାବାଦ ଡକାଇ ବୈଠକ କରିଛନ୍ତି। ଅଗଷ୍ଟ ୨୧ ତାରିଖ ବୁଧବାର ଦିନ ଅନୁଷ୍ଠିତ ବୈଠକରେ ଆମେରିକାରେ ବସବାସ କରୁଥିବା ପାକିସ୍ତାନୀ ନାଗରିକ ଓ ଭାରତକୁ ବିରୋଧ କରୁଥିବା ଆମେରିକୀୟ ମାନବାଧିକାର ସଙ୍ଗଠନମାନଙ୍କୁ ଏକଜୁଟ କରିବା ଲାଗି ଇମ୍ରାନ ରାୟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆମେରିକାରେ ମୋଦିଙ୍କ ଗସ୍ତ ଦିନ ଏହି ବିକ୍ଷୋଭ ଏଭଳି ହେବା ଦରକାର ଯେପରି କାଶ୍ମୀର ଲାଗି ଭାରତକୁ ବୈଶ୍ୱୟିକ ପ୍ରତିକ୍ରିୟାର ସମ୍ମୁଖୀନ ହେବାକୁ ପଡେ। ଏଥିଲାଗି ସବୁ ପ୍ରକାର ପ୍ରସ୍ତୁତି ନିମନ୍ତେ ଇମ୍ରାନ ନିର୍ଦ୍ଦେଶ ଦେଇଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ରାୟରଙ୍କୁ କହିଛନ୍ତି। ଆମେରିକା ମାଟିରେ ମୋଦି ପାଦ ଦେବା ମାତ୍ରେ ଦେଶରେ ଯେପରି ବିକ୍ଷୋଭ ଆରମ୍ଭ ହେବ ସେଥିଲାଗି ରାୟର ସମସ୍ତ ପ୍ରସ୍ତୁତି କରିବେ ବୋଲି ପାକର ପ୍ରମୁଖ ଗଣମାଧ୍ୟମ ‘ଡନ’ ସୂତ୍ରରୁ ଜଣାପଡିଛି। ତେବେ ଏଥିଲାଗି ହେବାକୁ ଥିବା ବିପୁଳ ବ୍ୟୟ କେଉଁ ସୂତ୍ରରୁ ଭରଣା କରାଯିବା ସେ ନେଇ କିନ୍ତୁ କିଛି ସୂଚନା ମିଳି ନାହିଁ ।  

   Related Posts