ଦୁଃଖରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, କହିଲେ- କେହି ବି ଦେଲେ ନାହିଁ ୧ ଡଲାର ସହାୟତା
26/04/2020 at 8:20 PM

ଆହ୍ଲାବାଦ ୨୬।୦୪: କଣ ଆତଙ୍କବାଦୀଙ୍କୁ ଶରଣ ଦେଉଥିବା ପାକିସ୍ତାନକୁ କରୋନା ସଙ୍କଟ ସମୟରେ କୌଣସି ବି ଦେଶ ଆର୍ଥିକ ସହାୟତା ଦେବାକୁ ଚାହୁଁ ନାହାନ୍ତି ? ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବୟାନ ଠିକ୍ ଏହି ଦିଗ ପ୍ରତି ଇସାରା କରୁଛି। ସେ କହିଛନ୍ତି, ଏହି ସଙ୍କଟରେ ନା କୌଣସି ଦେଶ ଏବଂ ନା କୌଣସି ବିଶ୍ଵ ସଂଗଠନ ପାକିସ୍ତାନକୁ କେହି ହେଲେ ଏକ ଡଲାର ବି ସାହାଯ୍ୟ କଲେ ନାହିଁ। ଉଲ୍ଲେଖନୀୟ ପାକିସ୍ତାନର ଅର୍ଥବ୍ୟବସ୍ଥା ସଂପ୍ରତି କାଙ୍ଗାଳ ସ୍ଥିତିରେ ରହିଛି। ଏବେ କରୋନା ମୁକାବିଲା କରିବାକୁ ଇମ୍ରାନ ସରକାର ପାଖରେ ସମ୍ବଳ ନାହିଁ। ଆମର ଏହି ପଡୋଶୀ ଦେଶ ପୂର୍ବରୁ ଆଇଏମଏଫ ଓ ବିଶ୍ଵ ବ୍ୟାଙ୍କର ଋଣରୁ କୌଣସି ପ୍ରକାରେ ନିଜର ଅର୍ଥବ୍ୟବସ୍ଥା ଚଳାଇ ଆସୁଥିଲା। ଏବେ କରୋନା ଏହି ଦେଶର ମେରୁଦଣ୍ଡ ଭାଙ୍ଗି ଦେଇଛି।
ଆଗାମୀ ସମୟରେ ମଧ୍ୟ ପାକିସ୍ତାନ ଏହି ମୁସ୍କିଲରୁ ବାହାରିବାର କୌଣସି ସମ୍ଭାବନା ଦେଖା ଯାଉ ନାହିଁ। କାରଣ ଇମ୍ରାନ ଖାନ ଅପିଲ୍ ପରେ ଅପିଲ୍ କଲେ ମଧ୍ୟ କୌଣସି ଦେଶ ସାହାଯ୍ୟ କରିବାକୁ ପ୍ରସ୍ତୁତ ନାହାନ୍ତି। କିଛି ଦିନ ପୂର୍ବେ ସେ ବିଶ୍ଵ ସଂଗଠନଗୁଡିକୁ ଅପିଲ୍ କରିଥିଲେ ଯେ, ଦୁର୍ବଳ ଦେଶଗୁଡିକର ଋଣ ଛାଡ କରି ଦେବା ଉଚିତ୍। ଇମ୍ରାନ କହିଛନ୍ତି କରୋନା ମହାମାରୀ କାରଣରୁ ଦେଶର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଛି। ଏହି ମୁସ୍କିଲ ସ୍ଥିତିରେ ବି ଜଣେ ହେଲେ ଦେଶ ଆମକୁ ଆର୍ଥିକ ସହାୟତା ଦେଲେ ନାହିଁ।
ଇମ୍ରାନ ବୟାନରୁ ଏହା ସ୍ପଷ୍ଟ ଜଣା ପଡୁଛି ଯେ, ଚିର ବନ୍ଧୁ ଚୀନ ମଧ୍ୟ ତାକୁ ଆର୍ଥିକ ସହାୟତା ଦେଇ ନାହିଁ। ଏପରିକି ଚୀନ ପାକିସ୍ତାନକୁ ମହିଳାଙ୍କ ଅନ୍ତବସ୍ତ୍ରରେ ନିର୍ମିତ ମାସ୍କ ପଠାଇ ଦେଇଥିଲା। ଚୀନ ପକ୍ଷରୁ ପାକିସ୍ତାନକୁ ମିଳିଥିବା କିଟ୍ ମଧ୍ୟ ନିମ୍ନମାନର ଥିଲା। ଚୀନ ତ ଅନେକ ଦେଶକୁ ଠକିଛି, କିନ୍ତୁ ନିଜର ପରମ ବନ୍ଧୁ କୁହାଯାଉଥିବା ପାକିସ୍ତାନକୁ ମଧ୍ୟ ଛାଡିନି।