କାଶ୍ମୀର ପ୍ରସଙ୍ଗ ସମାଧାନ ହୋଇଗଲେ ପରମାଣୁ ବୋମାର ଆବଶ୍ୟକତା ନାହିଁ: ଇମ୍ରାନ ଖାନ

Published By : Prameya-News7 Bureau | June 21, 2021 IST

ଇସ୍ଲାମାବାଦ ୨୧/୬: ଋଣଭାରରେ ଡୁବିଯିବାକୁ ବସିଥିବା ପାକିସ୍ତାନ କିନ୍ତୁ କାଶ୍ମୀର ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି। କାଶ୍ମୀରକୁ ନେଇ ଭାରତକୁ ଟାର୍ଗେଟ କରିଆସୁଥିବା ପାକିସ୍ତାନ ପୁଣି ଥରେ ଧମକ ଦେଇଛି। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପରୋକ୍ଷରେ ଧମକ ଦେବା ସହ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ସବୁ ବେଳେ ପରମାଣୁ ବୋମା ଧମକ ଦେଉଥିବା ଇମ୍ରାନ ସରକାର ଦାବି କରିଛନ୍ତି ଯଦି କାଶ୍ମୀର ସମସ୍ୟାର ସମାଧାନ ହୋଇଯାଏ ତେବେ ପରମାଣୁ ବୋମାର ଆବଶ୍ୟକତା ରହିବ ନାହିଁ ।

ପାକିସ୍ତାନରେ ବଢ଼ୁଥିବା ପରାମାଣୁ ଅସ୍ତ୍ରକୁ ନେଇ ଇମ୍ରାନ କହିଛନ୍ତି, ଏହାକ କେବଳ ଦେଶର ସୁରକ୍ଷା ପାଇଁ ରହିଛି। ଏହା ବ୍ୟତୀତ ଦେଶରେ ପରମାଣୁ ଅସ୍ତ୍ର ସଂଖ୍ୟା ବଢ଼ୁଥିବା ସମ୍ପର୍କରେ ଜାଣିନାହାନ୍ତି ବୋଲି ଇମ୍ରାନ କହିଛନ୍ତି। ଏଚବିଓରେ ପ୍ରସାରିତ ଏକ ସାକ୍ଷାତକାରରେ ଇମ୍ରାନ ଖାନ କହିଛନ୍ତି, ‘ଯେପର୍ଯ୍ୟନ୍ତ ମୁଁ ଜାଣିଛି ଏହା ଆକ୍ରମମଣାତ୍ମକ ନୁହେଁ। କୌଣସି ଦେଶ ଯାହାର ପଡ଼ୋଶୀ ୭ ଗୁଣ ବଡ଼ ତାହା ଚିନ୍ତାରେ ରହିବ।’ ଏହା ସହ ସେ ପରାମାଣୁ ଅସ୍ତ୍ରର ବିଲକୁଲ ବିରୋଧୀ ବୋଲି କହିଛନ୍ତି।

ଭାରତ ସହିତ ୩ ଥର ଯୁଦ୍ଧ ହୋଇଛି।ଏହା ପରଠୁ ଆମ ପାଖରେ ପରମାଣୁ ଅସ୍ତ୍ର ଆସିଛି । କିନ୍ତୁ ସେବେଠୁ ଭାରତ ସହ କୌଣସି ଯୁଦ୍ଧ ହୋଇନାହିଁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ସହ ସେ ଆହୁରି କହିଛନ୍ତି, ପରମାଣୁ ବୋମା ତିଆରି ହେବା ପରଠୁ ଭାରତ ସହ ସୀମାରେ ସଂଘର୍ଷ ହୋଇଛି ସତ କିନ୍ତୁ ଯୁଦ୍ଧ ହୋଇନାହିଁ। ସେ କହିଛନ୍ତି, ‘ଯେତେବେଳେ କାଶ୍ମୀର ପ୍ରସଙ୍ଗରେ ଏକ ସମାଧାନ ହେବ ଦୁଇ ପଡ଼ୋଶୀ ରାଷ୍ଟ୍ର ଜଣେ ସଭ୍ୟ ନାଗରିକ ଭଳି ରହିବେ। ଆମକୁ ପରମାଣୁ ଅସ୍ତ୍ରର ଆବଶ୍ୟକତା ରହିବ ନାହିଁ।’

ଏହି  ସାକ୍ଷାତକାରରେ ଇମ୍ରାନ୍‌ ଖାନ ବିଶ୍ବର ତମାମ ମୁସଲିମୋଫୋବିଆ ଉପରେ ଜ୍ଞାନ ବାଣ୍ଟିଥିବା ବେଳେ ଉଇଗର ମୁସଲିମଙ୍କ ପ୍ରସଙ୍ଗରେ ଆଣ୍ଠେଇ ପଡ଼ିଛନ୍ତି। ଏହି ମାମଲାରେ ଚୁପ ରହିବାକୁ ଚୀନ ଟଙ୍କା ଦେଉଛି କି ପ୍ରଶ୍ନରେ ଇମ୍ରାନ୍‌ଙ୍କ ପାଟି ଚୁପ୍‌ ହୋଇଯାଇଛି।

ସେ କହିଛନ୍ତି, ମୋ ଦେଶରେ ଥିବା ଲୋକମାନଙ୍କ କଥା କହୁଛି। କିନ୍ତୁ ଭୂଗୋଳ ଜ୍ଞାନ କମ୍‌ ଥିବା ଇମ୍ରାନ୍‌ ଖାନ ଜାଣିପାରିଲେ ନାହିଁ ଉଇଗର ମୁସଲିମ୍‌ ରହୁଥିବା ଶିଜିଆଙ୍ଗ ପାକିସ୍ତାନ ସୀମାରେ ହିଁ ଅଛି। ଏହା ପ​‌ରେ କିଛି ବାଟ ନପାଇ ପାକିସ୍ତାନ ପଟେ ଥିବା କାଶ୍ମୀର କଥା କହୁଛନ୍ତି ବୋଲି କହି ବାଟ କାଟିଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.