ବଡ ସଙ୍କଟ ଭୟରେ ଇମ୍ରାନ : କହିଲେ "କରୋନା ପାଇଁ ସହରକୁ ଅବରୋଧ କରିଦେଲେ ଭୋକ ଉପାସରେ ମରିଯିବେ ଲୋକେ"

Published By : Prameya-News7 Bureau | March 18, 2020 IST

କରାଚୀ ୧୮/୦୩ : କରୋନା ଭାଇରସ ଭାରତର ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ନିଜର କାୟା ବିସ୍ତାର କରିସାରିଛି | ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ପାକିସ୍ତାନରେ ଭାଇରସକୁ ବ୍ୟାପିବାରେ ରୋକିବା ପାଇଁ ଉଦ୍ୟମ କରୁଛି କିନ୍ତୁ ପାଶ୍ଚାତ୍ୟ ଦେଶ ଭଳି ସେ ଦେଶର ଅନେକ ସହରକୁ ଅବରୋଧ କରିପାରିବେନାହିଁ | କିନ୍ତୁ ପାକିସ୍ତାନର ସିନ୍ଧୁ ପ୍ରାନ୍ତ ସରକାର ସେୟଦ ମୁରାଦ ଅଲ୍ଲୀ ଶାହ ଆଜିଠାରୁ ଆସନ୍ତା ୧୫ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି | 

ଆମେରିକା ସମେତ ଅନେକ ଦେଶ ଏହି ସଂକ୍ରମଣକୁ ରୋକିବା ପାଇଁ ରେସ୍ତୋରାଁ ସହ ଅନ୍ୟ ବ୍ୟାବସାୟିକ ସଂସ୍ଥା ବନ୍ଦ ରଖିଛନ୍ତି | କିନ୍ତୁ ପାକିସ୍ତାନରେ ଏପର୍ଯ୍ୟନ୍ତ ସେମିତି କୌଣସି ପଦକ୍ଷେପ ନିଆଯାଇନାହିଁ | ସିନ୍ଧୁ ପ୍ରାନ୍ତରେ ମଲ, ବଜାର, ସ୍କୁଲ, କଲେଜ, ପାର୍କ ଆଦି ବନ୍ଦ କରିବାକୁ ଆଦେଶ ଦିଆଯାଇଛି | କରାଚୀରେ ବର୍ତ୍ତମାନ ମଧ୍ୟ ଦୋକାନ, ବଜାର, ସପିଙ୍ଗ ମଲ ଖୋଲା ରହିଛି | ଏନେଇ ଇମ୍ରାନ କହିଛନ୍ତି ଏହା ଉପରେ ବିଚାର କରାଯାଇଥିଲା କିନ୍ତୁ ଏହି ନିଷ୍ପତ୍ତି ଦେଶର ଅର୍ଥ ବ୍ୟବସ୍ଥାକୁ ଧ୍ବଂସ କରିଦେବାର ସମ୍ଭାବନା ରହିଛି |

ଇମ୍ରାନ କହିଛନ୍ତି ପାକିସ୍ତାନର ସ୍ଥିତି ଆମେରିକା କିମ୍ବା ୟୁରୋପ ଭଳି ନୁହଁ | ଦେଶର ୨୫ ପ୍ରତିଶତ ଜନସଂଖ୍ୟା ନିହାତି ଗରିବ | ସେ କହିଛନ୍ତି " ଦେଶର ଅର୍ଥ ବ୍ୟବସ୍ଥା ସଙ୍କଟ ଦେଇ ଗତି କରୁଛି | ଏଭଳି ସ୍ଥିତିରେ ଦେଶକୁ କରୋନାରୁ ସୁରକ୍ଷିତ ରଖିବା ଚକ୍କରରେ ଦେଶବାସୀ ଭୋକ ଓପାସରେ ପ୍ରାଣ ହରାଇବେ |" ପାକିସ୍ତାନରେ କ୍ରିକେଟ ଷ୍ଟାଡିୟମ, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଆଦି ବନ୍ଦ କରିଦିଆଯାଇଛି | 

ଅନ୍ତର୍ଜାତୀୟ ରିଲିଫ ଫଣ୍ଡ ଦେଶର ଋଣ ପରିଶୋଧ କରିବାରେ ବିଚାର କରିବା ଉଚିତ ବୋଲି ସେ ନିଜର ମତ ପ୍ରକାଶ କରିଛନ୍ତି | ପାକିସ୍ତାନକୁ ଦିଆଯାଇଥିବା କରଜ ଟଙ୍କା କମ କରିଦେବା କଥା ବୋଲି କହିଛନ୍ତି ଇମ୍ରାନ |

ପାକିସ୍ତାନର ସ୍ୱାସ୍ଥ୍ୟ ଅଧିକାରୀ ମଙ୍ଗଳବାର ଦିନ ୧୫୧୭ ସନ୍ଦିଗ୍ଧଙ୍କ ଯାଞ୍ଚ କରିଥିଲେ | ସେମାନଙ୍କ ମଧ୍ୟରୁ ୨୦୦ ରୁ ଅଧିକଙ୍କ ରିପୋର୍ଟ ପଜିଟିଭ ଆସିଛି | କିନ୍ତୁ ଏବେ ପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇନଥିବା ଜଣାପଡିଛି | କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ଅଧିକ ହୋଇପାରେ ବୋଲି ପର୍ଯ୍ୟବେକ୍ଷକ ଆଶଙ୍କା କରୁଛନ୍ତି |

ସିନ୍ଧ ମୁଖ୍ୟମନ୍ତ୍ରୀ ସେୟଦ ମୁରାଦ ଅଲ୍ଲୀ ଶାହ କହିଛନ୍ତି ଲୋକଙ୍କ ସୁରକ୍ଷା ପାଇଁ ସେ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିବେ | ଆବଶ୍ୟକୀୟ ଜିନିଷ ପାଇଁ ଖୁଚୁରା ବଜାର ଖୋଲା ରହିବ | ସିନ୍ଧରେ ଇଣ୍ଟର ସିଟି ବସ ସେବା ମଧ୍ୟ ବନ୍ଦ ରହିଛି | ହସ୍ପିଟାଲର ଓପିଡ଼ି ୧୫ ଦିନ ପାଇଁ ବନ୍ଦ କରି ଦିଆଯାଇଛି | ଓପିଡ଼ିର ମେଡିକାଲ ଷ୍ଟାଫଙ୍କୁ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରଖାଯାଇଛି | ଖବର ଅନୁଯାୟୀ, ସିନ୍ଧରେ ବର୍ତ୍ତମାନ ସୁଦ୍ଧା ୧୭୨ ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି | ୨୯ ଜଣଙ୍କ ଯାଞ୍ଚ ରିପୋର୍ଟ ଆସିନାହିଁ |     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.