ସରିଫଙ୍କ ଗିରଫ ଲାଗି ବ୍ରିଟେନରେ ୱାରେଣ୍ଟ କାର୍ଯ୍ୟକାରୀ କରିପାରିଲେନି ଇମ୍ରାନ ସରକାର

Published By : Prameya-News7 Bureau | October 04, 2020 IST

ଲଣ୍ଡନ : ପୂର୍ବତନ ପାକ୍‌ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ବିରୋଧରେ କୋର୍ଟଙ୍କ ୱାରେଣ୍ଟ ବ୍ରିଟେନରେ କାର୍ଯ୍ୟକାରୀ କରିପାରିନାହାନ୍ତି  ଇମ୍ରାନ ଖାନ ସରକାର । ସରିଫ ଗତବର୍ଷ ନଭେମ୍ବର ମାସରେ ଚିକିତ୍ସା ଲାଗି ଲଣ୍ଡନ ଯାଇଥିଲେ। ହେଲେ ଏପର୍ଯ୍ୟନ୍ତ ସେ ଦେଶକୁ ଫେରିନଥିବା ବେଳେ ଇସ୍ଲାମାବାଦ ହାଇକୋର୍ଟ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଲଣ୍ଡନରୁ ସରିଫଙ୍କ ଗିରଫ ଲାଗି ଇମ୍ରାନଙ୍କ ସମସ୍ତ କୂଟନୈତିକ ଚାଲ ବିଫଳ ହୋଇଥିବା ବେଳେ ବ୍ରିଟେନ ସରକାର ଦେଶର ଆଭ୍ୟନ୍ତରୀଣ ବ୍ୟାପାରରୁ ଦୂରେଇ ରହିବା ଲାଗି ପାକିସ୍ତାନକୁ ପରାମର୍ଶ ଦେବା ଏବେ ହାସ୍ୟସ୍ପଦ ପରିସ୍ଥିତି ସୃଷ୍ଟି କରିଛି।

{"id":338542,"width":578,"height":339,"sizeSlug":"large"}

ଗତ ସେପ୍ଟେମ୍ବର ୧୫ ତାରିଖରେ ଇସ୍ଲାମାବାଦ ହାଇକୋର୍ଟ ସରିଫଙ୍କ ବିରୋଧରେ ୱାରେଣ୍ଟ ଜାରିକରିଥିଲେ। ଏ ନେଇ ଦେଶର ବୈଦେଶିକ ମନ୍ତ୍ରାଳୟଙ୍କୁ ସୂଚିତ କରାଯାଇଥିବା ବେଳେ ସରିଫଙ୍କୁ କୋର୍ଟରେ ହାଜର କରିବା ଲାଗି ଆବଶ୍ୟକ ପଦକ୍ଷେପନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେପଟେ ସରିଫଙ୍କୁ ଲଣ୍ଡନରୁ ଅଣାଇବାକୁ ଇମ୍ରାନ ତାଙ୍କ ଦଳର ନେତାଙ୍କୁ ରଣନୀତି ପ୍ରସ୍ତୁତ କରିବାକୁ କହିଥିଲେ।  ବ୍ରିଟେନ ଓ ପାକିସ୍ତାନ ମଧ୍ୟରେ ପ୍ରତ୍ୟାର୍ପଣ ଲାଗି ସନ୍ଧି ହୋଇନଥିବାରୁ ସେଠାରୁ ତାଙ୍କୁ ଦେଶକୁ ଫେରାଇଆଣିବା ଏବେ ଏତେ ସହଜ ନୁହେଁ ବୋଲି ଜଣାପଡିଛି।

{"id":338543,"width":576,"height":354,"sizeSlug":"large"}

ଏହା ପୂର୍ବରୁ ଇମ୍ରାନ ସରକାର ପାକିସ୍ତାନ ମୁସ୍ଲିମ ଲିଗ ନୱାଜର ନେତାଙ୍କ ପ୍ରତ୍ୟାବର୍ତ୍ତନ ଲାଗି ବ୍ରିଟିଶ ସରକାରଙ୍କୁ ଏକ ଅନୁରୋଧ କରିଥିଲେ। ଯାହା ଦ୍ୱାରା ସରିଫ କୋର୍ଟରେ ତାଙ୍କ ବିରୋଧରେ ବିଚାରାଧୀନ ଦୁର୍ନୀତି ମାମଲାର ସମ୍ମୁଖୀନ ହୋଇପାରିବେ ବୋଲି ଅନୁରୋଧରେ କୁହାଯାଇଥିଲା। ତେବେ ପାକିସ୍ତାନ ଓ ବ୍ରିଟେନ ମଧ୍ୟରେ ଏ ନେଇ ପୂର୍ବରୁ ଦ୍ୱିପାକ୍ଷୀୟ ରାଜିନାମା ନଥିବାରୁ ବ୍ରିଟେନ ସରକାର ଅନୁରୋଧକୁ ଅଣଦେଖା କରିଥିଲେ। ପରେ ଅଧିକାରୀମାନେ ଏ ନେଇ ଉଦ୍ୟମ କରିଥିଲେ ବି ତାହା ସଫଳ ହୋଇ ନାହିଁ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.