ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ: ୧୨ଟି ପ୍ରସ୍ତାବ ଉପରେ ବାଜିଲା ମୋହର, ବରଗଡରେ ଜଳ ଯୋଗାଣ ପାଇଁ ଖର୍ଚ୍ଚ ହେବ ୭୨୩ କୋଟି, ପ୍ରତି ବର୍ଷ ହେବନି ଏଏସଓ ପରୀକ୍ଷା

Published By : Prameya-News7 Bureau | December 09, 2020 IST

ଭୁବନେଶ୍ୱର ୦୯।୧୨: ବୁଧବାର ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା କେନ୍ଦ୍ରଠାରେ ଦାବି କରିବାକୁ ନିଷ୍ପତ୍ତି ହୋଇଛି। ସ୍ଵାମୀନାଥନ କମିଟିର ସୁପାରିସ ଲାଗୁ ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ବୈଠକରେ  ଫୁଲବାଣୀରେ ମେଡିକାଲ ଟେଣ୍ଡରକୁ ମଞ୍ଜୁରୀ ମିଳିଛି। ୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜ ପାଇଁ ନିଷ୍ପତ୍ତି ହୋଇଛି। କୋରାପୁଟ ମେଡିକାଲ କଲେଜ ଶଯ୍ୟା ସଂଖ୍ୟା ୬୫୦କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।  ଏଥିପାଇଁ ବଜେଟ୍ ୬୮୦ କୋଟି ରହିଛି। ଉଭୟ ନିର୍ମାଣ କାର୍ଯ୍ୟ ୩୬ ମାସରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା କେନ୍ଦ୍ରଠାରେ ଦାବି କରିବାକୁ ନିଷ୍ପତ୍ତି ହୋଇଛି। ସ୍ଵାମୀନାଥନ କମିଟିର ସୁପାରିସ ଅନୁସାରେ ଫସଲର ଏମଏସପି ସ୍ଥିର କରିବାକୁ କେନ୍ଦ୍ରକୁ କୁହାଯିବ। ଫସଲ ଉତ୍ପାଦନ ଖର୍ଚ୍ଚଠାରୁ ଅତି କମରେ ୫୦ ପ୍ରତିଶତ ଅଧିକ ଦେବାକୁ ଅନୁରୋଧ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି। ସବୁ ଶସ୍ୟ ଉପରେ ଏମଏସପି ଲାଗୁ କରିବାକୁ ସଂକଳ୍ପ ନିଆଯାଇଛି। ଏହି ସଂକଳ୍ପକୁ କ୍ୟାବିନେଟ୍ ବୈଠକରେ ଦୋହରାଯାଇଛି।

ବୈଷେୟିକ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଫ୍ରି ଷ୍ଟ୍ରକଚର କମିଟି ରହିବ। ବିପିୟୁଟି କୁଳପତିଙ୍କ ଜାଗାରେ ଜଣେ ଅବସରପ୍ରାପ୍ତ ଜଜ୍ ରହିବେ। ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ଵାରା ମନୋନୀତ ଜଣେ ଅବସରପ୍ରାପ୍ତ  ଜଜ ହେବେ ଅଧ୍ୟକ୍ଷ। ଯାନ୍ତ୍ରିକ ସେବା ବର୍ଗର ପୁନର୍ବିନ୍ୟାସ ପାଇଁ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପଦବୀ ସୃଷ୍ଟି ହେବ।

ବରଗଡ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ନେଇ କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି। ଦୁଇଟି ପ୍ରକଳ୍ପ ପାଇଁ ମୋଟ୍ ୭୨୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରଥମ ପ୍ରକଳ୍ପରେ ୫ଟି ବ୍ଲକର ୩୪୯ ଗାଁରେ ରହୁଥିବା ୫ ଲକ୍ଷ ପାଇବେ ପାଣି। ଏନେଇ ୫୦୮ କୋଟି ୭୫ ଲକ୍ଷ ଟଙ୍କା ବଜେଟ୍ ରହିଛି। ପ୍ରକଳ୍ପ ୨୪ ମାସରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଦ୍ଵିତୀୟ ପ୍ରକଳ୍ପରେ ୨ଟି ବ୍ଲକର ୨.୨୯ ଲକ୍ଷ ଲୋକଙ୍କୁ ଜଳ ଯୋଗାଇ ଦିଆଯିବ। ଏଥିରେ ୨୧୫ କୋଟି ଟଙ୍କା ଖର୍ଚ୍ଚ ହେବ।  

ସେହି ପରି ସରକାରୀ ବିଭାଗରେ ବକେୟା ବିଦ୍ୟୁତ୍ ଶୁଳ୍କ ଦେବାକୁ ମଞ୍ଜୁରୀ ମିଳିଛି। ୨୫୦ କୋଟି ୧୪ ଲକ୍ଷର ବକେୟା ଶୁଳ୍କ ଦେବାକୁ ନିଷ୍ପତ୍ତି ହୋଇଛି। ଆଉ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଏଥର ପ୍ରତିବର୍ଷ ଏଏସଓ ନିଯୁକ୍ତି ଦିଆଯିବ ନାହିଁ। ଆବଶ୍ୟକ ଅନୁସାରେ ଏଏସଓ ପରୀକ୍ଷା କରିବାକୁ ମଞ୍ଜୁରୀ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.