ନୂଆଦିଲ୍ଲୀ ୧/୧: ୨୦୨୦ ରେ ସୁପ୍ରିମକୋର୍ଟରେ ଏପରି କିଛି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ହେବ ଯାହାକି କେନ୍ଦ୍ର ସରକାରଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ । ସେହି ମାମଲା ଗୁଡିକ ମଧ୍ୟରେ ରହିଛି ୨୦୧୯ରେ ନାଗରିକତା ସଂଶୋଧନ ଆଇନ । ଜାମ୍ମୁକାଶ୍ମୀରରୁ ୩୭୦ଧାରାଉଚ୍ଛେଦ ନିଷ୍ପତ୍ତି ବିରୋଧି ମାମଲା ଇତ୍ୟାଦି । ଏହି ମାମଲା ଗୁଡିକର ଶୁଣାଣି ଚଳିତ ବର୍ଷ , ଅର୍ଥାତ୍ ୨୦୨୦ମସିହାରେ ସୁପ୍ରିମ କୋର୍ଟ ରେ ହେବ। ଏହି ମାମଲାଗୁଡ଼ିକ ଆରମ୍ଭରୁ ବିଜେପିର ଏଜେଣ୍ଡାରେ ରହିଥିଲା ଏବଂ ଏହି ମାମଲାଗୁଡ଼ିକୁ ନେଇ କ୍ଷମତାସୀନ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଛି, ଅନେକ ଜନସାଧାରଣ, ବୁଦ୍ଧିଜୀବୀ ମଧ୍ୟ ବିରୋଧ କରୁଛନ୍ତି। ସୁପ୍ରିମ କୋର୍ଟଙ୍କ ଦ୍ବାରା ୨୦୧୯ମସିହାରେ ରାଫେଲ୍ ବିବାଦକୁ ନେଇ ଦିଆଯାଇଥିବା ନିଷ୍ପତ୍ତି ଯୋଗୁଁ କେନ୍ଦ୍ର ସରକାରଙ୍କୁ ବଡ଼ ଧରଣର ଆଶ୍ବସ୍ତି ମିଳିଥିଲା । କାରଣ ଲୋକସଭା ନିର୍ବାଚନ ପ୍ରଚାର ବେଳେ ବିରୋଧୀ ଦଳ ଜୋରସୋରରେ ତାହା ଉଠାଇଥିଲେ ଏବଂ ଶାସକ ଦଳ ବିରୋଧରେ ଦୁର୍ନୀତି ଅଭିଯୋଗ ଲାଗାଯାଇଥିଲା।
୨୦୧୯ ମସିହାକୁ ଅଯୋଧ୍ୟା ମାମଲାକୁ ନେଇ ମଧ୍ୟ ମନେ ରଖାଯିବ। ଦୀର୍ଘ ଦିନରୁ ଚାଲିଆସିଥିବା ଏହି ବିବାଦକୁ ସୁପ୍ରିମ କୋର୍ଟ ସମାଧାନ କରିଥିଲେ। ଏହି ମାମଲାକୁ ମଧ୍ୟ କେନ୍ଦ୍ରର କ୍ଷମତାସୀନ ସରକାରଙ୍କ ସହ ଯୋଡ଼ି ଦେଖାଯାଉଥିଲା। ତେବେ ଚଳିତ ବର୍ଷ ଭୀଷଣ ଥଣ୍ଡା ପରେ ଆରମ୍ଭ ହୋଇଥିବା ନୂଆବର୍ଷକୁ ସୁପ୍ରିମ କୋର୍ଟଙ୍କଠାରୁ କିଛି ‘ରାଜନୈତିକ ଉଷ୍ମତା’ ମିଳିପାରେ। ଆଗାମୀ ଦିନରେ ସୁପ୍ରିମ କୋର୍ଟ ସିଏଏ ଭଳି ଗମ୍ଭୀର ମାମଲା ଉପରେ ଶୁଣାଣି କରିବେ। ଏହି ମାମଲାକୁ ନେଇ ଦେଶର ଅନେକ ଅଞ୍ଚଳରେ ଲଗାତାର ବିରୋଧ ପ୍ରଦର୍ଶନ ହୋଇ ଆସୁଛି।
ସିଏଏ ମାମଲାକୁ ନେଇ ୬୦ରୁ ଅଧିକ ଆବେଦନ ସୁପ୍ରିମ କୋର୍ଟରେ ଦାଖଲ କରାଯାଇଛି। ଏବେ ଦେଖିବାକୁ ବାକି ରହିଲା ଯେ ସୁପ୍ରିମ କୋର୍ଟ ଏହା ଉପରେ କ’ଣ ନିର୍ଣ୍ଣୟ ନେବେ। ଏହା ବ୍ୟତୀତ ଏବର୍ଷ ସୁପ୍ରିମ କୋର୍ଟ ଧାରା-୩୭୦କୁ ହଟାଇବା ପାଇଁ ଏବଂ ଜାମ୍ମୁ କାଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିବା ଭଳି ସମ୍ବେଦନଶୀଳ ମୁଦ୍ଦାକୁ ମଧ୍ୟ ପରୀକ୍ଷା କରିବେ। ଆଗାମୀ ଦିନରେ ସୁପ୍ରିମ କୋର୍ଟ ଧାରା-୩୭୦କୁ ହଟାଇବା ପରେ କାଶ୍ମୀର ଘାଟିରେ ଲାଗିରହିଥିବା ସମସ୍ୟା ବିଷୟରେ ମଧ୍ୟ ନିଷ୍ପତ୍ତି ନେବେ।
ଏହା ବ୍ୟତୀତ ସୁପ୍ରିମ କୋର୍ଟ ୧୦୩ତମ ସମ୍ବିଧାନ ସଂଶୋଧନ ବିଲକୁ ମଧ୍ୟ ପରୀକ୍ଷଣ କରିବେ। ଏହି ଅଧିନିୟମ ଜରିଆରେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଲୋକଙ୍କୁ ଚାକିରୀ ଏବଂ ଶିକ୍ଷା ଅନୁଷ୍ଠାନରେ ୧୦ପ୍ରତିଶତ ସଂରକ୍ଷଣ ଦିଆଯାଇଛି। ଏହା ବିରୁଦ୍ଧରେ ଦାଖଲ ହୋଇଥିବା ଆବେଦନରେ ସରକାରଙ୍କ ଏହି ନିଷ୍ପତ୍ତିକୁ ଅସାମ୍ବିଧାନିକ ବୋଲି କୁହାଯାଇଛି।
ଏହା ସହିତ ସୁପ୍ରିମ କୋର୍ଟ ସରକାରଙ୍କ ଟ୍ରିପଲ୍ ତଲାକକୁ ଦଣ୍ଡନୀୟ ଅପରାଧ ଦର୍ଶାଇବା ନିର୍ଣ୍ଣୟକୁ ମଧ୍ୟ ପରୀକ୍ଷା କରିପାରନ୍ତି । ଏହି ଆଇନ୍ ଅନୁସାରେ ୩ବର୍ଷ ଯାଏଁ ଦଣ୍ଡର ବ୍ୟବସ୍ଥା ରହିଛି। ଏହି ମାମଲାକୁ ନେଇ ମଧ୍ୟ ଆବେଦନ ଦାଖଲ କରାଯାଇଛି। ଏହା ସହିତ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କ ଦ୍ବାରା ଇଲେକ୍ଟ୍ରାଲ୍ ବଣ୍ଡ ନେବାର ନିଷ୍ପତ୍ତିର ମଧ୍ୟ ତର୍ଜମା କରିବେ ।