ରଥଯାତ୍ରା ହେବ ନାହିଁ, ସୁପ୍ରିମକୋର୍ଟଙ୍କ ରାୟକୁ ମାନିବ ରାଜ୍ୟ: କ୍ୟାବିନେଟ୍ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି
18/06/2020 at 8:39 PM

ଭୁବନେଶ୍ବର୧୮/୬: ରଥ ଯାତ୍ରା ସଂପର୍କରେ ସୁପ୍ରିମକୋର୍ଟଙ୍କ ରାୟକୁ ମାନିବେ ରାଜ୍ୟ ସରକାର। ଏ ନେଇ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆାୟୋଜନ ସଂପର୍କରେ ସୁପ୍ରିମକୋର୍ଟ ଶୁଣାଇଥିବା ରାୟକୁ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ରଥଯାତ୍ରା ଆୟୋଜନ ନ କରିବାକୁ ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ସୁପ୍ରିମକୋର୍ଟ ଉଲ୍ଲେଖ କରିଛନ୍ତି। କରୋନା ମହାମାରୀ ଜନିତ ପରିସ୍ଥିତିରେ ଲୋକଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଗୁରୁତ୍ବ ନେଇ ସର୍ବୋଚ୍ଚ ଅଦାଲତ ରଥଯାତ୍ରା ଆୟୋଜନକୁ ବାରଣ କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ଗଜପତି ମହାରାଜ ଅଦାଲତଙ୍କ ସପକ୍ଷରେ ମତ ରଖିଥିବା ବେଳେ କ୍ୟାବିନେଟ୍ ବୈଠକ ଉପରେ ନଜର ରହିଥିଲା।
ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବସିଥିଲା । ବୈଠକରେ ଆଡ଼ଭୋକେଟ ଜେନେରାଲ ଅଶୋକ ପରିଜା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାର, ଉନ୍ନୟନ କମିଶନର ସୁରେଶ କୁମାର ମହାପାତ୍ର ଏବଂ କ୍ୟାବିନେଟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ । ବୈଠକରେ ରଥଯାତ୍ରା ବନ୍ଦ ଲାଗି ସୁପ୍ରିମକୋର୍ଟ ଶୁଣାଇଥିବା ରାୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀର ଅନୁପାଳନ ଲାଗି ନିଷ୍ପତ୍ତି ହୋଇଛି। ଏ ସଂପର୍କରେ ଶ୍ରୀ ମନ୍ଦିର ପରିଚାଳନା କମିଟିକୁ ଜଣାଇ ଦିଆଯାଇଛି। ଏହାସହ ଚଳିତ ବର୍ଷ ରାଜ୍ୟର କୌଣସି ସ୍ଥାନରେ ମଧ୍ୟ ରଥଯାତ୍ରା ଆୟୋଜନ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଏଥିଲାଗି ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶଯୋଗ୍ୟ ଯେ, କ୍ୟାବିନେଟ୍ ବୈଠକ ଆରମ୍ଭରେ ସହିଦମାନଙ୍କ ଆତ୍ମାର ସଦଗତି ପାଇଁ ଶୋକ ପ୍ରସ୍ତାବ ଗୃହୀତ ହୋଇଥିଲେ ।