ପ୍ରବାସୀ ଫେରି ପାରନ୍ତି, ଜିଲ୍ଲାପାଳମାନେ ପ୍ରସ୍ତୁତ ରୁହ, ଅକ୍ସିଜେନ୍ ଓ ବେଡ୍ ବଢାଅ

Published By : Prameya-News7 Bureau | April 20, 2021 IST

ଭୁବନେଶ୍ଵର ୨୦।୦୪: ପୁଣି ଥରେ ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟି ପାରନ୍ତି ପ୍ରବାସୀ। ଗତ ବର୍ଷ ଭଳି ପରିସ୍ଥିତି ଉପୁଜିପାରେ। ତେଣୁ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବିଗିଡିବାରେ ଲାଗିଛି। ଏହାର ମୁକାବିଲା ପାଇଁ ସମଗ୍ର ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ସହ ସପ୍ତାହନ୍ତ ସଟ୍‌ଡାଉନ୍ ଜାରି ରହିଛି। କରୋନା ସ୍ଥିତିକୁ ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ପ୍ରବାସୀ ଫେରିବା ସମ୍ଭାବନା ଥିବାରୁ ପ୍ରସ୍ତୁର ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ ଲାଗୁ ହେଲାଣି। ଏମିତି ସ୍ଥିତିରେ ପ୍ରବାସୀ ଘରକୁ ଫେରି ପାରନ୍ତି। ହସ୍ପିଟାଲରେ ବେଡ୍‌ ସଂଖ୍ୟା ବୃଦ୍ଧି ସହ ପର୍ଯ୍ୟାପ୍ତ ଔଷଧ ମହଜୁଦ ରଖିବା ଏବଂ ଅକ୍ସିଜେନ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପ୍ରବାସୀ ଫେରନ୍ତାଙ୍କ କ୍ଵାରେଣ୍ଟାଇନ୍‌ ଓ ଟେଷ୍ଟିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅତ୍ୟନ୍ତ ଦୟନୀୟ ପରିସ୍ଥିତି ପର୍ଯ୍ୟନ୍ତ ଆମ ପ୍ରସ୍ତୁତି ରହିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

{"id":441511,"sizeSlug":"large","linkDestination":"none"}

ବର୍ତ୍ତମାନ ଯଥେଷ୍ଟ ଔଷଧ ଥିଲେ ମଧ୍ୟ ଭବିଷ୍ୟତ ପାଇଁ ପର୍ଯ୍ୟାପ୍ତ  ମହଜୁଦ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଲକ୍‌ଡାଉନ୍‌ ଭଳି ପରିସ୍ଥିତି ଟାଳିବାକୁ ଲୋକଙ୍କୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି। ରାଜ୍ୟରେ ବର୍ତ୍ତମାନ ଅନେକ କଟକଣା ସହ ନାଇଟ୍‌ କର୍ଫ୍ୟୁ ଏବଂ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିଛି। ଯଦି ସ୍ଥିତିରେ ସୁଧାର ନଆସେ ତେବେ ରାଜ୍ୟରେ ଲକ୍‌ଡାଉନ୍‌ ଭଳି ପରିସ୍ଥିତି ଏଡାଇ ଦିଆଯାଇନପାରେ।

ସୂଚନାଯୋଗ୍ୟ, ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୭୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭୭୪୬୪ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭୮୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୯୭୬ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.