୨୦୨୧ରେ ୧୧.୫% ରହିପାରେ ଭାରତର ଅଭିବୃଦ୍ଧି ହାର, ଦୁନିଆରେ ସବୁଠୁ ଦ୍ରୁତତମ: ଆଇଏମଏଫ

Published By : Prameya-News7 Bureau | January 26, 2021 IST

ନୂଆଦିଲ୍ଲୀ ୨୬।୦୧: କରୋନା ମହାମାରୀ ଏବଂ ଲକ୍‌ଡାଉନ୍‌ କାରଣରୁ ପୂରା ବିଶ୍ଵ ସହିତ ଭାରତର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ସମସ୍ତ ସେକ୍ଟର ଖୋଲିବା ପରେ ଏବଂ ଆର୍ଥିକ ଗତିବିଧି ଆରମ୍ଭ ହେବା ପରେ ଦେଶର ଆର୍ଥିକ ଅବସ୍ଥା ଧିରେ ଧିରେ ସ୍ଵାଭାବିକ  ହେବାରେ ଲାଗିଛି। ଏହି କ୍ରମରେ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ) ମଙ୍ଗଳବାର କହିଛି ଯେ, ଆଗାମୀ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ଆଗକୁ ବଢିବ। ଦେଶର ଆର୍ଥିକ ଅଭିବୃଦ୍ଧି  ରେକର୍ଡ ୧୧.୫ ପ୍ରତିଶତ ଗତିରେ ଆଗକୁ ବଢିବ। ମହାମାରୀ ମଧ୍ୟରେ ବଡ ଅର୍ଥବ୍ୟବସ୍ଥାରେ ଭାରତ ଏକ ମାତ୍ର ଦେଶ ଯିଏ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବ।

ଆଇଏମଏଫ ପକ୍ଷରୁ ମଙ୍ଗଳବାର ଜାରି ଓ୍ଵାର୍ଲ୍ଡ ଇକୋନୋମିକ ଆଉଟ୍‌ଲୁକ୍‌ର ସଦ୍ୟତମ ତଥ୍ୟରେ ଏହି ଆକଳନ କରାଯାଇଛି। ୨୦୨୦ରେ କରୋନା ମହାମାରୀ କାରଣରୁ ଦେଶର ଅର୍ଥବ୍ୟବସ୍ଥାରେ ରେକର୍ଡ ତଥା ଐତିହାସିକ ହ୍ରାସ ଦେଖିବାକୁ ମିଳିଥିଲା।

ଆଇଏମଏଫ ପକ୍ଷରୁ କୁହାଯାଇଛି ଯେ, ୨୦୨୧ରେ  ଭାରତୀୟ ଅର୍ଥବ୍ୟବସ୍ଥା ୧୧.୫ ପ୍ରତିଶତ ଗତିରେ ଆଗକୁ ବଢିବ ଏବଂ ବଡ ଅର୍ଥବ୍ୟବସ୍ଥାରେ ଏହା ଏକ ମାତ୍ର ଦେଶ ହେବ ଯାହାର ଅଭିବୃଦ୍ଧି ହାର ଦୁଇ ଅଙ୍କ ଛୁଇଁବ। ଦ୍ଵିତୀୟରେ ରହିବ ଚୀନ। ଏହି ପଡୋଶୀ ଦେଶର ଅଭିବୃଦ୍ଧି ହାର ୮.୧ ପ୍ରତିଶତ ରହିବାର ଅନୁମାନ କରାଯାଇଛି। ଏହା ପରେ ସ୍ପେନ ୫.୯ ପ୍ରତିଶତ ଏବଂ ଫ୍ରାନ୍ସ ୫.୫ ପ୍ରତିଶତ ରହିପାରେ ବୋଲି ଆଇଏମଏଫ ପୂର୍ବାନୁମାନ କରିଛି।

୨୦୨୦ ପାଇଁ ନିଜର ଅନୁମାନରେ ସଂଶୋଧନ କରି ଆଇଏମଏଫ କହିଛି ଯେ, ଭାରତୀୟ ଅର୍ଥବ୍ୟବସ୍ଥା ୮ ପ୍ରତିଶତରେ ସଙ୍କୁଚିତ ରହିପାରେ। ବଡ ଦେଶରେ କେବଳ ଚୀନର ଅଭିବୃଦ୍ଧି ହାର ସକରାତ୍ମକ ୨.୩ ପ୍ରତିଶତ ରହିପାରେ। ଆଇଏମଏଫ ଏହା ମଧ୍ୟ କହିଛି, ୨୦୨୨ରେ ଭାରତ ୬.୮ ପ୍ରତିଶତ ହାରରେ ଆଗକୁ ବଢିବ ଏବଂ ଚୀନର ହାର ୫.୬ ପ୍ରତିଶତ ରହିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.