ପାକିସ୍ତାନକୁ ଆଗାମୀ କିସ୍ତି ରୋକିଦେଲେ IMF, ଆଉ ମିଳିବନି ଲୋନ, ଜାଣନ୍ତୁ କାହିଁକି?

Published By : Prameya-News7 Bureau | October 17, 2021 IST

ୱାସିଂଟନ : ପାକିସ୍ତାନକୁ ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମଏଫ) ମଞ୍ଜୁର କରିଥିବା ଏକ୍ସଟେଣ୍ଡେଡ ଫଣ୍ଡ ଫାସେଲିଟିକୁ ରୋକି ଦିଆଯାଇଛି। ଦେଶର ଅର୍ଥବ୍ୟବସ୍ଥାକୁ ବଞ୍ଚାଇବା ଲାଗି ଆଇଏମଏଫ ୬ ବିଲିୟନ ଡଲାର ମଞ୍ଜୁର କରିଥିଲେ। ଏଥିରୁ ପାକିସ୍ତାନ ଗୋଟିଏ କିସ୍ତି ହାତେଇ ସାରିଥିବା ବେଳେ ୧ ବିଲିୟନ ଡଲାରର ପରବର୍ତ୍ତି କିସ୍ତି ଅଟକି ଯାଇଛି। ଋଣ ଲାଗି ଆଇଏମଏଫ କର୍ତ୍ତୃପକ୍ଷଙ୍କୁ ମନେଇବା ଲାଗି ପାକ୍ ଅର୍ଥ ସଚିବ ୱାସିଂଟନରେ ଦୀର୍ଘ ସମୟରୁ ଡେରା ପକାଇଥିଲେ ହେଁ ଏଥିରୁ କୌଣସି ସୁଫଳ ମିଳିବା ପରି ଏବେ ଅନୁଭବ ହେଉ ନାହିଁ।

ପାକିସ୍ତାନ ଏବେ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛି। ଏଥିରେ ଦେଶର ଅର୍ଥନୀତି ସୁଧାର ଲାଗି ପାକିସ୍ତାନ ଆଇଏମଏଫଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ୬ ବିଲିୟନ ଡଲାରର ଏକ୍ସଟେଣ୍ଡେଡ ଫଣ୍ଡ ଫାସେଲିଟି ମଞ୍ଜୁର କରିଥିଲେ। ତେବେ ସରକାର ଏଥିପାଇଁ ସର୍ତ୍ତପାଳନରେ ବିଫଳ ହେବା ଏବେ ପରବର୍ତ୍ତି କିସ୍ତିକୁ ଅଟକାଇ ଦେଇଥିବା ଜଣାପଡିଛି। ଏହି କିସ୍ତିରେ ପାକିସ୍ତାନକୁ ୧ ବିଲିୟନ ଡଲାର ମିଳିବାର ଥିଲା। ହେଲେ ଏଥିଲାଗି ଆଇଏମଏଫଙ୍କ ବିଶ୍ୱାସ ସୃଷ୍ଟି କରିବାରେ ପାକିସ୍ତାନର ଇମ୍ରାନ ସରକାର ବିଫଳ ହୋଇଛନ୍ତି।

{"id":528725,"width":839,"height":559,"sizeSlug":"full","linkDestination":"none"}

ଆଇଏମଏଫଙ୍କ ସର୍ତ୍ତ ପାଳନ ଲାଗି ଇମ୍ରାନ ସରକାର କିଛି ଦିନ ପୂର୍ବେ ଦେଶରେ ବିଦ୍ୟୁତ ୟୁନିଟି ପିଛା ଦର ସାଙ୍ଗକୁ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ମହଙ୍ଗା କରିଥିଲେ। ଫଳରେ ଦେଶରେ ଖାଉଟି ଅସନ୍ତୋଷ ଦେଖା ଦେଇଥିବା ବେଳେ ସରକାରଙ୍କ ପଦକ୍ଷେପ ଆଇଏମଏଫଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ଏଥିରେ ସରକାର ହାତକୁ ନେଇଥିବା ଦରବୃଦ୍ଧି ମିସନରେ ଆଗମୀ ଦିନମାନଙ୍କରେ ବିଦ୍ୟୁତରୁ ଆରମ୍ଭ କରି ଇନ୍ଧନ ମୂଲ୍ୟରେ ଆହୁରି ବୃଦ୍ଧି କରିପାରନ୍ତି ବୋଲି ଆଶଙ୍କା କରାଯାଉଛି।

ପାକିସ୍ତାନ  ଅନ୍ତର୍ଜାତୀୟ  ଋଣ କରିବ ନାହିଁ ବୋଲି ଇମ୍ରାନ ସରକାର ନିର୍ବାଚନ ପ୍ରଚାରରେ ଘୋଷଣା କରିଥିଲେ। ତେବେ କ୍ଷମତାକୁ ଆସିବା ପରଠାରୁ ତାଙ୍କ ସରକାର ବରାବର ଋଣ କରିଚାଲିଛନ୍ତି। ଏଥିରେ ପାକିସ୍ତାନ ଉପରେ ଏତେ ଋଣ ବୋଝ ବଢି ଯାଇଛି ଯେ ପ୍ରତି ପାକିସ୍ତାନ ନାଗରିକ ଏବେ ୧ଲକ୍ଷ ୭୫ ହଜାର ଟଙ୍କାର ଋଣ ବୋଝ ତଳେ ଦବି ଯାଇଥିବା ନିଜେ ଇମ୍ରାନ ଖାନ ସଂସଦରେ ଘୋଷଣା କରିଛନ୍ତି। ଏବେ ଆଇଏମଏଫ ଆଗାମୀ କିସ୍ତି ମନା କରିଦେବା ସରକାରଙ୍କୁ ଚୀନ୍‌ ଅଥବା ଉପସାଗରୀୟ ଦେଶଙ୍କ ଆଗରେ ହାତ ପାତିବାକୁ ପଡିପାରେ ବୋଲି ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.