ମାଡି ଆସୁଛି ସାମୁଦ୍ରିକ ବାତ୍ୟା ‘ନିସର୍ଗ’ : ଏହି ଦୁଇ ରାଜ୍ୟ ପ୍ରତି ବିପଦ, ଆଲର୍ଟ ଜାରି

Published By : Prameya-News7 Bureau | June 02, 2020 IST

ମୁମ୍ବାଇ ୨।୬: କରୋନା ଭାଇରସ୍ ସଙ୍କଟ ମଧ୍ୟରେ ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ‘ନିସର୍ଗ’ ସାମୁଦ୍ରିକ ବାତ୍ୟାର ବିପଦ ଘନଉଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଜୁନ୍ ୩ରେ ସାମୁଦ୍ରିକ ବାତ୍ୟା ‘ନିସର୍ଗ’ ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ହରିହରେଶ୍ବର ଏବଂ ଦାମନ ମଧ୍ୟରେ ଉତ୍ତର ମହାରାଷ୍ଟ୍ର ଏବଂ ଦକ୍ଷିଣ ଗୁଜରାଟର ଉପକୂଳରେ ସ୍ଥଳଭାଗ ଛୁଇଁପାରେ ।

{"id":280012,"sizeSlug":"large"}

ପାଣିପାଗ ବିଭାଗ ଅନୁଯାୟୀ, ଜୁନ୍ ୩ ରେ ମୁମ୍ବାଇ, ପାଲଘର, ଥାନେ ଏବଂ ଗୁଜୁରାଟର ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଯୋଗୁଁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ‘ନିସର୍ଗ’ ଘୂର୍ଣ୍ଣିବଳୟ ଜୁନ୍ ୨ ସକାଳ ସୁଦ୍ଧା ଉତ୍ତର ଦିଗକୁ ଗତି କରିବ । ଏହାପରେ ଉତ୍ତର-ଉତ୍ତର-ପୂର୍ବ ଆଡକୁ ଗତି କରିବା ପରେ ଏହା ହରିହରେଶ୍ବର (ରାୟଗଡ, ମହାରାଷ୍ଟ୍ର) ଏବଂ ଦାମନ ମଧ୍ୟରେ ଉତ୍ତର ମହାରାଷ୍ଟ୍ର ଏବଂ ଦକ୍ଷିଣ ଗୁଜୁରାଟ ଉପକୂଳରୁ ଜୁନ୍ ୩ ସନ୍ଧ୍ୟା କିମ୍ବା ରାତି ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ହରିହରେଶ୍ବର ସହର ମୁମ୍ବାଇ ଏବଂ ପୁଣେ ଉଭୟଠାରୁ ୨୦୦ କିଲୋମିଟର ଏବଂ ଦାମନଠାରୁ ୩୬୦ କିଲୋମିଟର ଦୂରରେ ଅବସ୍ଥିତ ।

{"id":280010,"width":582,"height":296,"sizeSlug":"large"}

ମୁମ୍ବାଇରେ ଜୁନ୍ ୩ରେ ଏକ ବଡ ଝଡ ହେବାର ସମ୍ଭାବନା ରହିଛି । ଆଜି ଅପରାହ୍ନରୁ ବର୍ଷା ଏବଂ ପ୍ରବଳ ପବନ ସହିତ ଏହାର ପ୍ରଭାବ ଦେଖାଯିବା ଆରମ୍ଭ କରିବ । ଏଥିପାଇଁ ବିଏମସି ପକ୍ଷରୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଯେଉଁ ଲୋକମାନେ ତଳିଆ ଅଞ୍ଚଳରେ କିମ୍ବା ଯେଉଁ ସ୍ଥାନ ଝଡ ଦ୍ବାରା କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ସେମାନଙ୍କୁ ସ୍କୁଲ କିମ୍ବା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରନ୍ତୁ । ଝଡ ନେଇ ବିଏମସି ପକ୍ଷରୁ ଲୋକମାନଙ୍କୁ ଆଲର୍ଟ ଜାରି କରାଯାଇଛି । ଲୋକମାନଙ୍କୁ ଝଡ ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଏପରିକି ବିଦ୍ୟୁତ ଖୁଣ୍ଟି ଏବଂ ଗଛ ତଳେ ଠିଆ ନହେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

{"id":280011,"sizeSlug":"large"}

ବଡ ଶିଳ୍ପ ଏବଂ ପେଟ୍ରୋକେମିକାଲ୍ କମ୍ପାନୀଗୁଡିକ ମଧ୍ୟ ବାତ୍ୟା ସମୟରେ ସେମାନଙ୍କ ସାମଗ୍ରୀ ଏବଂ ସିଷ୍ଟମକୁ ସୁରକ୍ଷିତ ରଖିବା ଉପରେ ଧ୍ୟାନ ଦେବାକୁ କୁହାଯାଇଛି । ବିଦ୍ୟୁତ୍ ବିଚ୍ଛିନ୍ନ ହେଲେ ଜେନେରେଟରଗୁଡିକୁ ପ୍ରସ୍ତୁତ ରଖିବାକୁ ମୁମ୍ବାଇର ସମସ୍ତ ଡାକ୍ତରଖାନାକୁ ନିର୍ଦ୍ଦେଶ ଦିଆଯାଇଛି ଯେପରିକି ବିଦ୍ୟୁତ୍ ସମସ୍ୟା ନଉପୁଜେ ।

{"id":279988,"sizeSlug":"large"}

ତେବେ ଘୂର୍ଣ୍ଣିବଳୟ ‘ନିସର୍ଗ’କୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ଏବଂ ଗୁଜୁରାଟ ସରକାର ଉପକୂଳବର୍ତ୍ତୀ ଅଞ୍ଚଳରେ NDRF ଟିମ୍ ନିୟୋଜିତ କରିଛନ୍ତି । ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ NDRF ର ୯ଟି ଟିମ୍ ମୁତୟନ କରାଯାଇଛି । ବାତ୍ୟା ବିପଦକୁ ମୁକାବିଲା କରିବାକୁ NDRF ଟିମ୍ ପ୍ରସ୍ତୁତ ଅଛନ୍ତି । ମୁମ୍ବାଇରେ ୩ଟି ଟିମ୍ ଏବଂ ପାଲଗରରେ ୨ଟି ଟିମ୍ ନିୟୋଜିତ ହୋଇଛନ୍ତି । ଥାନେ, ରାୟଗଡ, ରତ୍ନାଗିରି ଏବଂ ସିନ୍ଧୁଦୁର୍ଗରେ ଏନଡିଆରଏଫର ଏକ ଟିମ୍ ନିୟୋଜିତ ହୋଇଛନ୍ତି । ସ୍ଥାନୀୟ ଅଧିକାରୀଙ୍କ ସହ NDRF ଟିମ୍ ଏହି ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ଭେ କରୁଛନ୍ତି ।

{"id":280014,"sizeSlug":"large"}

ମହାରାଷ୍ଟ୍ର ଏବଂ ଗୁଜୁରାଟରେ ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ନିସର୍ଗ’ ର ପ୍ରାକ୍ ପ୍ରସ୍ତୁତିକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ଏନଡିଏମଏ, ଏନଡିଆରଏଫ, ଆଇଏମଡି ଏବଂ ଇଣ୍ଡିଆନ କୋଷ୍ଟଗାର୍ଡ ଅଧିକାରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି । ଏହି ସାମୁଦ୍ରିକ ବାତ୍ୟାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସାମୁଦ୍ରିକ ବାତ୍ୟାର ମୁକାବିଲା ପାଇଁ କେନ୍ଦ୍ର ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦିଆଯିବା ନେଇ ଗୃହମନ୍ତ୍ରୀ ଆଶ୍ବସନା ଦେଇଛନ୍ତି।

{"id":280015,"width":580,"height":306,"sizeSlug":"large"}

ସୂଚନାଯୋଗ୍ୟ ଯେ, ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଏବଂ ଲକ୍ଷାଦ୍ବୀର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି । ଏହା ଆହୁରି ଭୟଙ୍କର ରୂପ ନେଇ ଜୁନ୍ ୨ ରେ ସକାଳେ ଏକ ସାମୁଦ୍ରିକ ଝଡରେ ପରିଣତ ହୋଇପାରେ । ଏହାପରେ ଜୁନ୍ ୩ ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏକ ଗଭୀର ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.