ପ୍ରଧାନମନ୍ତ୍ରୀଙ୍କୁ IMAର ପତ୍ର, ୧୮ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତିଙ୍କୁ କରୋନା ଟିକା ଦେବାକୁ ଅନୁରୋଧ
6/04/2021 at 7:28 PM

ନୂଆଦିଲ୍ଲୀ ୬/୪: ଦେଶରେ ୩ ଦିନ ହେଲା ଦୈନିକ ୯୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସଂକ୍ରମଣରେ ବ୍ରେକ୍ ଲାଗୁ ନଥିବା ବେଳେ ଟିକାକରଣକୁ ନେଇ ଅନେକ ବ୍ୟକ୍ତି ଏବଂ ସଂସ୍ଥା ଭିନ୍ନ ଭିନ୍ନ ମତ ଦେଉଛନ୍ତି। ମହାରାଷ୍ଟ୍ରରେ ୨୫ ବର୍ଷରୁ ଉର୍ଦ୍ଧ୍ବ ବୟସର ଲୋକଙ୍କୁ କରୋନା ଟିକା ଦେବା ପାଇଁ ଅନୁମତି ଦେବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପଟେ ଇଣ୍ଡିଆନ ମେଡିକାଲ୍ ଆସୋସିଏସନ୍ (ଆଇଏମଏ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଟିକା ନେବାର ବୟସ ସୀମା କମାଇବାକୁ ମଧ୍ୟ ଅନୁରୋଧ କରିଥିବା ଜଣାପଡ଼ିଛି।
ଦେଶରେ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯାଉ ବୋଲି ଆଇଏମଏ କହିଛି। ଆଇଏମଏ ପକ୍ଷରୁ ଚିଠିରେ ଲେଖାଯାଇଛି, ‘ ବର୍ତ୍ତମାନ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯାଉଛି। କିନ୍ତୁ ଦ୍ରୁତ ସଂକ୍ରମଣକୁ ନଜରରେ ରଖି ଆମେ କହିବାକୁ ଚହୁଁଛୁ ଟିକାକରଣକୁ ଯୁଦ୍ଧକାଳୀନ ଭିତ୍ତିରେ ବୃଦ୍ଧି କରାଯାଉ। କରୋନା ଟିକାକରଣ ସଂକ୍ରାନ୍ତରେ ଆମର ପରାମର୍ଶ ହେଉଛି ୧୮ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତିଙ୍କୁ ଟିକାକରଣ ପାଇଁ ଅନୁମତି ଦିଆଯାଉ। ସମସ୍ତଙ୍କୁ ମାଗଣାରେ ଏବଂ ନିକଟତମ ସ୍ଥାନରେ ଟିକାକରଣ ସୁବିଧା ଦିଆଯାଉ।’
ଆଇଏମଏ ଆହୁରି ମଧ୍ୟ ପରାମର୍ଶ ଦେଇଛି, ଘରୋଇ କ୍ଲିନିକ୍କୁ ସକ୍ରିୟ ଭାବେ ଟିକାକଣଣ ପାଇଁ ଉପଯୋଗ କରାଯିବା ଦରକାର। ଏହା ସହ ଟିକାକରଣ ପ୍ରମାଣ ପତ୍ର ଅନିବାର୍ଯ୍ୟ କରିବା ଦରକାର ବୋଲି ଆଇଏମଏ କହିଛି। ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଟିକାକରଣକୁ ଜୋରଦାର କରିବାକୁ ପରାମର୍ଶ ମଧ୍ୟ ଦେଇଛି ଆଇଏମଏ।