ରେଡ୍ ଆଲର୍ଟ ଜାରି କଲା ଆଇଏମଏ : କୋଭିଡ୍ ନେଲାଣି ୯୯ ଡାକ୍ତରଙ୍କ ଜୀବନ, ଆହୁରି ୧୩୦୦ ପଜିଟିଭ୍

Published By : Prameya-News7 Bureau | July 16, 2020 IST

ନୂଆଦିଲ୍ଲୀ, ୧୬|୦୭:   ଭାରତରେ କରୋନା ଭାଇରସର ଆତଙ୍କ ଦିନକୁ ଦିନ ବଢିବାରେ ଲାଗିଛି । ଗତ କିଛିଦିନ ହେଲା ଦୈନିକ ପ୍ରାୟ ୩୦ ହଜାର ନୂଆ କେସ୍ ଆସୁଛି । କେବଳ ସାଧାରଣ ଜନତା ନୁହେଁ କରୋନା ଯୋଦ୍ଧା ଭାବେ ଅନେକ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଜୀବନ ହାରିଛନ୍ତି । ଏହାକୁ ନେଇ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ବା ଆଇଏମଏ ଡାକ୍ତରଙ୍କ ସମେତ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ରେଡ୍ ଆଲର୍ଟ୍ ଜାରି କରିଛନ୍ତି ।

ଆଇଏମଏ କହିଛି ଯେ, ଦେଶରେ ୧୩୦୦ରୁ ଅଧିକ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୯ ଜଣ ପ୍ରାଣ ହରାଇଛନ୍ତି । ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରୁ ୭୫ ପ୍ରତିଶତଙ୍କ ବୟସ ୫୦ ବର୍ଷରୁ ଅଧିକ ।

ଡାକ୍ତରମାନେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ହସ୍ପିଚାଲରେ କରୋନା ମୁକାବିଲା ପାଇଁ ସମସ୍ତ ଆବଶ୍ୟକୀୟ ଭିତ୍ତିଭୂମି ଥିବା ଆବଶ୍ୟକ । ଏଥିପାଇଁ ସ୍ଥାନୀୟ ପ୍ରଶାସନର ଅନେକ ଦାୟିତ୍ୱ ରହିଛି । ଡାକ୍ତର, ନର୍ସ ଓ ଅନ୍ୟ କର୍ମତାରୀଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନେବା ଜରୁରୀ । ଏଥିରେ ଯେପରି କୌଣଶି ଅଭାବ ପରିଲକ୍ଷିତ ନହୁଏ ।

ଏହାସହ ଆଇଏମଏ କହିଛି ଯେ, ଡାକ୍ତରମାନେ ନିଜ ସୁରକ୍ଷା ସହ ନିଜ ପରିବାର ଓ ସହକର୍ମୀଙ୍କ ସୁରକ୍ଷା ପ୍ରତି ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ । ଫଳରେ ସଂକ୍ରମଣ ଓ ମୃତ୍ୟୁ ହାର କମିପାରିବ । ବରିଷ୍ଠ ଡାକ୍ତରମାନେ ମଧ୍ୟ ନିଜ ସୁରୁକ୍ଷାକୁ ଗୁରୁତର ସହ ନେବାର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.