କାହିଁକି ପ୍ରକୃତ ମୃତ୍ୟୁସଂଖ୍ୟା ଲୁଚାଉଛ ? ସରକାରଙ୍କୁ ପ୍ରଶ୍ନ କଲା ଆଇଏମଏ

Published By : Prameya-News7 Bureau | May 09, 2021 IST

ନୂଆଦିଲ୍ଲୀ, ୦୯/୦୫: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଲା ଇଣ୍ଡିଆନ ମେଡିକାଲ ଆସୋସିଏସନ । ଏହାସହ ଜାତୀୟ ଲକଡାଉନ୍ ଘୋଷଣା କରିବାକୁ ରଖିଲା ଦାବି । ଏପରିକି ସରକାର କାହିଁକି ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ବୋଲି ମଧ୍ୟ ଇଣ୍ଡିଆନ ମେଡିକାଲ ଆସୋସିଏସନ ବା ଆଇଏମଏ ସରକାରଙ୍କୁ ପ୍ରଶ୍ନ କରିଛି ।

ଆଇଏମଏ ସେହି ସମୟରେ ଏହି ଚିଠି ଲେଖିଛି, ଯେତେବେଳେ ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ଶନିବାର ୪୦୦୦ ଟପିଥିଲା । ଶନିବାର ଦେଶରେ ୪୧୮୭ କୋଭିଡ୍ ଆକ୍ରାନ୍ତ ପ୍ରାଣ ହରାଇଥିଲେ । ଚିଠିରେ ଉଲ୍ଲେଖ ଅଛି ଯେ, ଦେଶରେ ୨୦ ଦିନିଆ ଲକଡାଉନ୍ ଲଗାଯାଉ । ଅନେକ ରାଜ୍ୟ ୧୦ରୁ ୧୫ ଦିନ ଲକଡାଉନ୍ ଲଗାଇ ସାରିଲେଣି । ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକ ଅଭାବ ରହିଛି । କିନ୍ତୁ ସରକାର ଦୈନିକ ୪ ଲକ୍ଷ କେସ୍ ଆସୁଥିଲେ ବି ଲକଡାଉନକୁ ଏଡାଇ ଚାଲୁଛନ୍ତି । ଏହାସହ ବିଭିନ୍ନ ସ୍ଥାନରେ ଅକ୍ସିଜେନ୍ ସଙ୍କଟ ନେଇ ମଧ୍ୟ ସରକାରଙ୍କୁ ପ୍ରଶ୍ନ କରିଛି ଆଇଏମଏ ।

ଆହୁରି ମଧ୍ୟ ଆଇଏମଏ କହିଛି ଯେ, ଦ୍ୱିତୀୟ ଲହରରେ ୭୫୬ ଡାକ୍ତର ଓ ୧୪୬ ସ୍ୱାସ୍ଥ୍ୟ କର୍ମୀ ଦ୍ୱିତୀୟ  ଲହରରେ ପ୍ରାଣ ହରାଇଛନ୍ତି । ହସ୍ପିଟାଲରେ ଶହ ଶହ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ଏହାକୁ ନନ୍ କୋଭିଡ୍ ମୃତ୍ୟୁ କହି ସରକାର ତାଲିକାରେ ସ୍ଥାନ ଦେଉ ନାହାଁନ୍ତି । ମଶାଣିରେ ଜାଗାର ଅଭାବ ଦେଖାଦେଇଛି । ଆରଟିପିସିଆର ନେଗେଟିଭ୍ ଥାଇ ସିଟି ସ୍କାନରେ ପଜିଟିଭ୍ ଥିଲେ ସରକାରଙ୍କ ଗଣତିରେ ଏହା ଯାଉନି । ଏହାସହ ସରକାର କଣ ପାଇଁ କୋଭିଡ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ବୋଲି ଆଇଏମଏ ପ୍ରଶ୍ନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.