ଝାରସୁଗୁଡା ଏୟାରପୋର୍ଟରେ ଲାଗିବ ଆଇଏଲଏସ, ଦୂର ହେବ ଖରାପ ପାଗ ବେଳେ ବିମାନ ଅବତରଣ ଅସୁବିଧା
28/06/2020 at 9:03 PM

ଝାରସୁଗୁଡା, ୨୮|୦୬: ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଦୁଇମାସ ମଧ୍ୟରେ ଲାଗିବ ଆଇ ଏଲ ଏସ। ଆଇ ଏଲ ଏସ ଲାଗିଲେ ବର୍ଷା ଋତୁରେ ପାଗ ଖରାପ ଯୋଗୁଁ ବିମାନ ଅବତରଣରେ ହେଉଥିବା ଅସୁବିଧା ଦୂର ହୋଇ ପାରିବ । ଏନେଇ ସୂଚନା ଦେଇଛନ୍ତି ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର କୁମାର ଶତପଥୀ ।
ଗତ ୨୦୧୮ ମସିହା ଫେବ୍ରୁଆରୀ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମାନ ବନ୍ଦରର ଉଦଘାଟନ କରିଥିଲେ । ଏହା ପରେ ୨୦୧୯ ମାର୍ଚ୍ଚ ମାସରୁ ବ୍ୟବସାୟିକ ଉଡାଣ ଆରମ୍ଭ ହୋଇଥିଲା। କିନ୍ତୁ ଆଇ ଏଲଏସ ଲଗା ନଯିବା ଯୋଗୁଁ ଗତବର୍ଷ ବର୍ଷାଦିନରେ ଅନେକ ସମୟରେ ପାଗ ଖରାପ ପାଇଁ ବିମାନ ବାତିଲ କରାଯାଇଥିଲା। ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇ ଥିଲା। ଏହା ମଧ୍ୟରେ ଝାରସୁଗୁଡ଼ା ବିମାନ ବନ୍ଦରର ନୂତନ ନିର୍ଦେଶକ ଦୁଇ ମାସ ମଧ୍ୟରେ ଆଇଏଲଏସ ଲାଗିବ ବୋଲି କହିବା ପରେ ଯାତ୍ରୀ ମହଲରେ ଖୁସି ଦେଖାଦେଇଛି।