ଗରିବ ଯୁବତୀଙ୍କ ଗଣବିବାହ ବେଳେ ବେଆଇନ କାର୍ଯ୍ୟ : ହସ୍ତକ୍ଷେପ କରି ନାବାଳିକାଙ୍କୁ ହେପାଜତକୁ ନେଲା ପ୍ରଶାସନ

Published By : Prameya-News7 Bureau | December 05, 2018 IST

ସମ୍ବଲପୁର ୫|୧୨: ସମ୍ବଲପୁରରେ ମୁସଲିମ୍‌ ସଂପ୍ରଦାୟର ଗରିବ ଯୁବତୀଙ୍କ  ଗଣବିବାହ ବେଳେ ବେଆଇନ କାର୍ଯ୍ୟ କରାଯାଉଥିବା ଅଭିଯୋଗ । ନାବାଳିକାଙ୍କୁ ବିବାହ କରାଯାଉଥିବା ଖବର ପାଇ ଚାଇଲ୍‌ଡ ଲାଇନ୍‌ ଏହାର ତନାଘନା କରିଛି । ବୟସ ପ୍ରମାଣ ପତ୍ର ଜାଲିଆତି କରି, ୬ଜଣ ନାବାଳିକାଙ୍କୁ ବିବାହ କରିଦିଆଯାଇଥାଆନ୍ତା । ତେବେ ପୋଲିସ୍‌ ସହାୟତାରେ ସେମାନଙ୍କୁ  ନିଜ ହେପାଜତକୁ ନେଇଛି ଜିଲ୍ଲାପ୍ରଶାସନ ।  ଗଣବିବାହ ପାଇଁ ସବୁ ପ୍ରସ୍ତୁତ। ବିବାହ କରିବାକୁ ଥିବା ଯୁବତୀ ମାନେ, ବଧୂବେଶରେ ସଜେଇ ହୋଇ ବସିଥିଲେ । ଜଣକ ପରେ ଜଣେ ବରଙ୍କୁ ଅଣାଯାଉଥିଲା । ସୁସଜ୍ଜିତ ଗାଡି ସାଙ୍ଗକୁ ଭୋଜିଭାତର ଆୟୋଜନ ବି ହୋଇଥିଲା । ଗଣବିବାହର ସାକ୍ଷୀ ରହିବା ପାଇଁ, ସମ୍ବଲପୁର ବିଧାୟିକା ମଞ୍ଚ ନିକଟରେ ଉପସ୍ଥିତ ଥିଲେ । ହେଲେ ହଠାତ୍‌ ଖବର ମିଳିଲା  ଯେ ବଧୂବେଶରେ ମଞ୍ଚ ଉପରେ ବସିଛନ୍ତି ୬ଜଣ ନାବାଳିକା । ସମ୍ବଲପୁର ଚାଇଲ୍‌ଡ ଲାଇନ୍‌ ପାଖରେ ଖବର ପହଞ୍ଚିବା ପରେ ଆରମ୍ଭ ହେଲା ତନାଘନା । ମିଛ ଜନ୍ମଗତ ପ୍ରମାଣ ପତ୍ର ଓ ଜାଲ୍‌ ସାର୍ଟିଫିକେଟ ଧରି, ନାବାଳିକାଙ୍କ ପରିବାର ଏମାନଙ୍କୁ ବାହା କରାଇଦେବାର ଯୋଜନା କରିଥିବା କଥା ଧରାପଡ଼ିଗଲା । ଏହାକୁ ଘଟଣାସ୍ଥଳରେ ଦେଖାଦେଲା ଉତ୍ତେଜନା ।  ପୋଲିସ୍‌,ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ପହଞ୍ଚି ୫ଜଣ ନାବାଳିକା ସମେତ ଜଣେ ନାବାଳକକୁ ନିଜ ହେପାଜତକୁ ନେଇଥିଲେ  ଜିଲ୍ଲାପାଳଙ୍କ କହିବା କଥା ଗଣ ବିବାହ ଆୟୋଜନ କରିଥିବା ଅଲ୍ ହଜରତ କମିଟି ଏକ, ପଞ୍ଜିକୃତ ସଂସ୍ଥା ନୁହେଁ ।  ସଂପୃକ୍ତ ସଂସ୍ଥା ଓ ଗଣବିବାହ କରାଉଥିବା କର୍ମକର୍ତ୍ତାଙ୍କ ବିରୋଧରେ ବାଲ୍ୟବିବାହ ନିରୋଧ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ସମ୍ବଲପୁର ଏସ୍‌ପିଙ୍କ କହିବା ହେଲା, ଏହା ଏକ ବେଆଇନ କାର୍ଯ୍ୟ। ଯେଉଁ ସଂସ୍ଥା ଗଣବିବାହ ନାମରେ, ନାବାଳିକା ଓ ନାବାଳକଙ୍କ ବିବାହ କରୁଥିଲା ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ସଂକ୍ରାନ୍ତରେ ଧନୁପାଲ୍ଲୀଥାନାରେ ଏକ ମାମଲା ଦାୟର କରାଯାଇ ଘଟଣାର ତଦନ୍ତ କରାଯାଉଛି ବୋଲି ଏସ୍‌ପି କହିଛନ୍ତି... ଗଣବିବାହ ନାମରେ, ଜାଲ୍‌ ଜନ୍ମପ୍ରମାଣ ପତ୍ର ଓ ଜାଲ୍‌ ଆଧାରକାର୍ଡ ମାଧ୍ୟମରେ ନାବାଳକ ଓ ନାବାଳିକାଙ୍କ ବିବାହ ନିଶ୍ଚିତ ରୂପେ ଧର୍ତ୍ତବ୍ୟ ଅପରାଧ । ଏଭଳି ବିବାହର ପଞ୍ଜିକରଣ ନିହାତି ଆବଶ୍ୟକ ଥିବା ବେଳେ, ଅନେକ ସ୍ଥାନରେ ତାହା କରାଯାଉନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.