ଶିକାରୀ ରାକେଟର ମାଷ୍ଟର ମାଇଣ୍ଡ ପ୍ରାଥମିକ ସ୍କୁଲ ଶିକ୍ଷକ: ଶିକ୍ଷକତା ସହ ଚାଲାଣ କରନ୍ତି ବାଘ ଛାଲ, ହରିଣ ଛାଲ ଓ ହାତୀ ଦାନ୍ତ
7/12/2020 at 5:56 PM

ଢେଙ୍କାନାଳ ୦୭/୧୨ : ଶିକାରୀ ରାକେଟରେ ଶିକ୍ଷକ। ଏମିତି ଜଣେ ଶିକ୍ଷକଙ୍କ ସହିତ ମୋଟ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଢେଙ୍କାନାଳ କପିଳାସ ଅଭୟାରଣ୍ୟରୁ ଜୀବଜନ୍ତୁ ଶିକାର କରୁଥିବା ଏକ ରାକେଟକୁ ବନ ବିଭାଗ ଧରିଛି। ସେମାନଙ୍କ ଠାରୁ ବାଘ ଛାଲ, ହରିଣ ଛାଲ, ଖପୁରୀ, ଭାଲୁ ଖପୁରୀ, ବାରାହା ଓ ହାତୀ ଦାନ୍ତ ଭଳି ବହୁ ସାମଗ୍ରୀ ଜବତ ହୋଇଛି। ଏହି ରାକେଟର ମାଷ୍ଟର ମାଇଣ୍ଡ ନଗେନ୍ଦ୍ର ଦିଗି ଶୋରିଷପଦା ପ୍ରାଥମିକ ସ୍କୁଲର ଶିକ୍ଷକ ଅଛନ୍ତି।

ମାଷ୍ଟର ବନିଛନ୍ତି ମାଷ୍ଟର ମାଇଣ୍ଡ। ଶିକାରୀ ବନିଛନ୍ତି ଶିକ୍ଷକ। ଅବାଧରେ ଚାଲିଛି ବନ୍ୟଜନ୍ତୁ ଶିକାର। ଆଉ ଏହି ଶିକାରର କିଙ୍ଗପିନ୍ ହେଉଛନ୍ତି ଜଣେ ଶିକ୍ଷକ। ଦେଖନ୍ତୁ କିଭଳି ଧାଡି ହୋଇ ରଖାଯାଇଛି କଲାରାପତରିଆ ବାଘ ଛାଲ , ହରିଣ ଛାଲ, ଖପରୁୀ, ଭାଳୁ ନଖ ଆଦି। ଆଉ ସିଲଟ ଧରି ଛିଡା ହୋଇଛନ୍ତି ଅଭିଯୁକ୍ତମାନେ। ଗତ କିଛି ଦିନ ହେଲା ଢେଙ୍କାନାଳ ବନ ବିଭାଗ ପକ୍ଷରୁ କପିଳାଶ ବନାଞ୍ଚଳର ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରହିଥିଲା। ଶୋରିଶିଆପଦା ଜମୁଣାଳିଆ ଗାଁରେ ଚଢ଼ାଉ କରି ନଗେନ୍ଦ୍ର ଦିଗି ନାମକ ଜଣେ ଶିକ୍ଷକଙ୍କୁ ଗିରଫ କରାଯାଇଛି। ତାଙ୍କ ଠାରୁ କଲରପତାରିଆ ବାଘର ଦୁଇଟି ଛାଲ, ଗୋଟିଏ ଖପୁରୀ, ୯ଟି ଭାଲୁ ନଖ, ବାରାହା ଓ ହାତୀ ଦାନ୍ତ ଜବତ କରିଛି ବନ ବିଭାଗ। ତାଙ୍କୁ ପଚରା ଉଚରା ପରେ କଙ୍କଡାହାଡ଼ କଳଶପୁର ଗାଁର ଅନନ୍ତ ମୁର୍ମୁ ଓ ଲକ୍ଷ୍ମଣ ମୁର୍ମୁ ନାମକ ଦୁଇ ଶିକାରୀଙ୍କୁ ଗିରଫ କରାଯାଇଛି। ଏହି ଦୁଇ ଶିକାରୀଙ୍କ ଠାରୁ ହରିଣ ଛାଲ,ବାରହା ଖପୁରୀ ଶିକାରରେ ବ୍ୟବହୃତ ବନ୍ଧୁକ ଓ ଅନ୍ୟାନ୍ୟ ଜିନିଷ ପତ୍ର ଆଦି ଜବତ କରାଯାଇଛି। ଗିରଫ ଶିକ୍ଷକ ନଗେନ୍ଦ୍ର ଦିଗି ଟାଙ୍ଗି ଶାଳଗାଁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ଶିକାରୀ ମାନେ ଶିକାର କରି ତାଙ୍କ ମାଧ୍ୟମରେ ଏହି ସବୁ ଜିନିଷ ବାହାରକୁ ଚାଲାଣ କରିଥାନ୍ତି ବୋଲି ଢେଙ୍କାନାଳ ଡିଏଫ୍ ଓ କହିଛନ୍ତି। ସେପଟେ ଜଣେ ଶିକ୍ଷକଙ୍କ ଏପରି କାରନାମାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଢେଙ୍କାନାଳ ବାସିନ୍ଦା।

ବାରହା ଦାନ୍ତ, ହାଡ ଆଦି ଅନଲାଇନ୍ରେ ବିକ୍ରି ପାଇଁ ହେଉଛି ଯୋଜନା । କିଛି ଦିନ ହେଲା ୟୁ ଟ୍ୟୁବ୍, ଫେସ୍ବୁକ୍ ଆଦି ସାଇଟ୍ ମାଧ୍ୟମରେ ବାରାହ ଦାନ୍ତ ବ୍ୟବହାର କଲେ କିଭଳି ଭାଗ୍ୟ ବଦଳେ ତାକୁ ବାଖ୍ୟା କରାଯାଉଛି। ଅନ୍ଧ ବିଶ୍ବାସକୁ ପ୍ରୋତ୍ସାହନ ସହ ପରୋକ୍ଷରେ ଜନ୍ତୁ ଶିକାର ପାଇଁ ପ୍ରବର୍ତ୍ତାଯାଉଛି। ଏହା ବିରୋଧରେ ସ୍ବର ଉଠାଇଛନ୍ତି ପ୍ରାଣୀ ସୁରକ୍ଷା ପାଇଁ କାମ କରୁଥିବା ସ୍ବେଚ୍ଚାସେବୀ ଶୁଭେନ୍ଦୁ ମଲ୍ଲିକ। ଏନେଇ ସେ ଭାରତ ସରକାରଙ୍କ ୱାଇଲଡ୍ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ୍ ବ୍ୟୁରୋକୁ ଚିଠି ଲେଖିଥିବା ବେଳେ ଏଭଳି ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ଏଠି ପ୍ରଶ୍ନ ଉଠୁଛି ଏତେ କଡା ନିୟମ ସତ୍ବେ ବନ୍ୟଜନ୍ତୁ ଶିକାର ଉପରେ କାହିଁକି ଲାଗି ପାରୁନି ରୋକ୍ ? ଏଥି ପାଇଁ ବନ ବିଭାଗ ଉଦାସୀନତାକୁ ଦାୟୀ କରାଯାଉଛି। ସେପଟେ ଗତ କିଛି ଦିନ ହେଲା ଯେଉଁଭଳି ରାଜ୍ୟରୁ ବାଘ ଛାଲ ମିଳୁଛି ରାଜ୍ୟରେ ବାଘବଂଶ ସଂପୂର୍ଣ୍ଣ ଲୋପ ପାଇଯିବ ଆଶଙ୍କା ପ୍ରକାଶ ପାଇଛି।