ଶିମିଳିପାଳ ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ବେଆଇନ କାର୍ଯ୍ୟ ଚାଲୁଥିବାର ଭିଡିଓ ଭାଇରାଲ
12/07/2018 at 6:46 AM

ଶିମିଳିପାଳ ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଞ୍ଚଳ ଗୁଡିକରେ ବିଭିନ୍ନ ବେଆଇନ କାର୍ଯ୍ୟ ଚାଲୁଥିବାର ଅଭିଯୋଗ ହୋଇ ଆସୁଛି। ଏବେ ଏହାର ପ୍ରମାଣ ଧରି ଭାଇରାଲ ହୋଇଛି ୨ ଟି ଭିଡିଓ। ଯାହା ଦେଖିବା ପରେ ଏ ନେଇ ଆଉ କୌଣସି ସନ୍ଦେହ ରହୁ ନାହିଁ। ଖୋଦ ରକ୍ଷକ ଏଠି ଭକ୍ଷକ ସାଜିଛନ୍ତି । ହେଲେ ବନବିଭାଗ ସାଜିଛି ନିଦାବିଷ୍ଣୁ।
ଏଇ ଦେଖନ୍ତୁ ପ୍ରଥମ ଭିଜୁଆଲ। ଯେଉଁଥିରେ ଶିମିଳିପାଳର ନିଷିଦ୍ଧାଞ୍ଚଳରେ ଜଣେ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ନିଜ ପୁଅକୁ ବନ୍ଧୁକ ଚାଳନା ଶିଖାଉଛନ୍ତି , ସେ ପୁଣି ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ! ଯାହା ସମ୍ପୂର୍ଣ୍ଣ ବେଆଇନ୍ । ତେବେ ପ୍ରଶ୍ନ ଉଠୁଛି, ଏ ବାପ-ପୁଅ ଙ୍କୁ କୋର ଏରିଆକୁ ପ୍ରବେଶ କରିବାର ଅନୁମତି ଦେଲା କିଏ? ବନ୍ଧୁକ ଟି କାହାର? ଏଠାକୁ ଆସିଲା କେମିତି? ବନବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଏପରି ବେଆଇନ୍ କାମ ହେଲା କେମିତି?
ଏବେ ଦେଖନ୍ତୁ ୨ ୟ ଭିଜୁଆଲ। ଏଥିରେ ଖୋଦ ବନବିଭାଗ ର କର୍ମଚାରୀ ମାନେ କୋର ଏରିଆରେ ଥିବା ବିଟ୍ ହାଉସ୍ ରେ କୌଣସି ପକ୍ଷୀର ମାଂସ କାଟି ରନ୍ଧା-ବଢା କରିବାରେ ମସ୍ଗୁଲ୍। ଶିମିଳିପାଳ କୋର ଏରିଆକୁ କୌଣସି ପ୍ରକାର ମାଂସ ନେଇଯିବା ନିଷିଦ୍ଧ ଥିବା ବେଳେ ଏହା ସେଠାରେ ପହଞ୍ଚିଲା କେମିତି? ନା ପ୍ରଥମ ଭିଜୁଆଲ ର ବନ୍ଧୁକ ଓ ୨ୟ ଭିଜୁଆଲ ର ପକ୍ଷୀ ମଧ୍ୟରେ କୌଣସି ସମ୍ପର୍କ ଅଛି? ଏଭଳି ଅନେକ ପ୍ରଶ୍ନ ଏବେ ବନବିଭାଗ ର ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି କରୁଛି। ସମଗ୍ର ଶିମିଳିପାଳ ର ଆଭ୍ୟନ୍ତରୀଣ ଅଞ୍ଚଳ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ (ଏସ୍.ଟି.ଆର୍.) ଅଧୀନରେ ରହିଛି। ଏ ବାବଦରେ ପଚାରିବା ପାଇଁ ଏସ୍.ଟି.ଆର୍. ର କ୍ଷେତ୍ର ନିର୍ଦ୍ଦଶେକଙ୍କୁ ଆମେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଲେ ତାଙ୍କ ଦେଖା ମିଳୁ ନାହିଁ। ହ୍ବାଟ୍ସଅପ୍ ଯୋଗେ ପ୍ରଶ୍ନ ପଚାରିବାରୁ ସେ ଉପ-ନିର୍ଦ୍ଦଶେକଙ୍କୁ ପଚାରିବାକୁ କହି ଚୁପ୍ ରହିଛନ୍ତି ।
ଏ ଘଟଣାରେ ଜଣାଶୁଣା ପରିବେଶବିତ୍ ତଥା ରାଜ୍ୟ ବନ୍ୟପ୍ରାଣୀ ସଂରକ୍ଷଣ ସଂସ୍ଥା ର ସମ୍ପାଦକ ଡ. ବିଶ୍ବଜିତ ମହାନ୍ତି ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । ସିଧାସଳଖ ବନବିଭାଗ ରେ ଚାଲିଥିବା ଦୂର୍ନୀତି ଆଡକୁ ଅଙ୍ଗୁଳି ନିର୍ଦ୍ଦଶେ କରିଛନ୍ତି ।