ଭୁବନରେ ବେଧଡକ ଚାଲିଛି କୋଇଲା ଚୋରା କାରବାର, ନୀରବଦ୍ରଷ୍ଟା ପାଲିଟିଛି ପୋଲିସ

Published By : Prameya-News7 Bureau | May 10, 2021 IST

ଭୁବନ ୧୦।୫: ଚୋରା କୋଇଲା କାରବାରକୁ ନେଇ ଢେଙ୍କାନାଳ ଜିଲ୍ଲା ଭୁବନ ସବୁବେଳେ ଚର୍ଚ୍ଚାରେ । ତାଳଚେରଠାରୁ ଯାଜପୁର ଜିଲ୍ଲାର ବିଭିନ୍ନ ପ୍ଲାଣ୍ଟକୁ କୋଇଲା ଚାଲାଣ ହେଉଥିବା ବେଳେ ଢେଙ୍କାନାଳ ଜିଲ୍ଲା ଭୁବନରେ ଶହ ଶହ ଗାଡିରୁ ବେଆଇନ ଭାବେ କୋଇଲା ଉତ୍ତୋଳନ ହେଉଛି । ଭୁବନ ଥାନାରେ ନୂତନ ଭାବରେ ଯୋଗ ଦେଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ଆକ୍ସନ ମୁଡରେ ଆସି ଚୋରା ମାଙ୍କଡା ପଥର ବୋଝେଇ ଟ୍ରକ୍ ଓ ଟ୍ରାକ୍ଟର ଜବତ କରିଥିଲେ । କିନ୍ତୁ ଜାତୀୟ ରାଜପଥ ୫୩ ଅନ୍ତର୍ଗତ ଏସଆର ପେଟ୍ରୋଲ ପମ୍ପ୍ ନିକଟରେ ପ୍ରତିଦିନ ସକାଳେ ଶହ ଶହ ଟ୍ରକରୁ କୋଇଲା ବେଆଇନ ଭାବରେ ଚାଲାଣ ହେଉଛି । କିନ୍ତୁ ଏଥିପ୍ରତି ଭୁବନ ପୋଲିସ ଚୁପ କାହିଁକି କିଛି ବୁଝା ପଡୁନାହିଁ ।

ତେବେ ଗତ କିଛିଦିନ ହେଲା ଭୁବନ ବ୍ଲକ୍ ଅନ୍ତର୍ଗତ ଏକତାଳୀ ଗ୍ରାମ ଆମ୍ବ ବଗିଚା ନିକଟରେ ଚୋରା କୋଇଲା କାରବାର ବେଧଡକରେ ଚାଲିବା ସହ ଜାତୀୟ ରାଜପଥ ୫୩ ଅନ୍ତର୍ଗତ ବାଉଁଶକଣ ଗ୍ରାମ ନିକଟରେ ବେଆଇନ କୋଇଲା କାରବାର ଚାଲିଛି । ରାତିରେ କୋଇଲା ଅନଲୋଡ ହୋଇ ରାତାରାତି ଛୋଟଛୋଟ ଗାଡି ଲଗାଇ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଛି । ଭୁବନରୁ ନିକଟସ୍ଥ ଡୁବୁରୀ, ଦାନଗଦି ଓ ଚଣ୍ଡିଖୋଲ ଆଦି ବହୁ ସ୍ଥାନକୁ ଏହି ଚୋରା କାରବାରର ଚେର ଲମ୍ବିଥିବା ବେଳେ ଜାତୀୟ ରାଜପଥ କଡରେ ହେଉଥିବା ବେଆଇନ କୋଇଲା କାରବାର ପ୍ରତି ଭୁବନ ପୋଲିସର ନିଷ୍କ୍ରିୟତା ଚୋରା କୋଇଲା ବେପାରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.