ନୀଳଗିରିରେ ବେଧଡକ ଚାଲିଛି ଚୋରା ମଦ ଚାଲାଣ, ପୋଲିସ ଓ ଅବକାରୀ ବିଭାଗ ସାଜିଛନ୍ତି ନୀରବଦ୍ରଷ୍ଟା

Published By : Prameya-News7 Bureau | September 19, 2020 IST

ନୀଳଗିରି ୧୯।୯: ନୀଳଗିରି ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବଢି ବଢି ଚାଲିଛି। ସ୍ପଷ୍ଟ ଦିବାଲୋକରେ ଚୋରା ମଦ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଓ ପୋଲିସ ବିଭାଗ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ଉଠିଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ଏକ ଆଦିବାସୀ ବହୁଳ ଅଞ୍ଚଳ। ପାହାଡ଼, ଜଙ୍ଗଲ ଓ ନଈ ଥିବାରୁ ଏହି ସୁଯୋଗରେ ମଦ ମାଫିଆମାନେ ଦେଶୀ ମଦ ରାନ୍ଧି ବାହାରକୁ ଚାଲାଣ କରୁଥିବା ଜଣାଯାଇଛି।

କିଛିଦିନ ପୂର୍ବରୁ ସିଆଡ଼ିମାଳ ପଂଚାୟତ କୂଳଡ଼ିହା ପାଦ ଦେଶରେ ଥିବା ବୁଗାଳିବନ୍ଧ ଅଂଚଳରେ ଚୋରା ମଦ ଭାଟିରେ ବ୍ୟାପକ ପରିମାଣରେ ମହୁଲ ପୋଚ, ଗୁଡଚିନି ଗଚ୍ଛିତ ହୋଇ ଦେଶୀ ମଦ ରନ୍ଧାଯାଉଥିବା ନଜରକୁ ଆସିଥିଲା। ଏହି ଖବର ପ୍ରକାଶ ପାଇବା ପରେ ଚାପର ବଶବର୍ତ୍ତୀ ହୋଇ ତିନି ଦିନ ପରେ ଚଢ଼ାଉ ହୋଇଥିଲା । ସେତବେଳକୁ ମଦ ବେପାରୀମାନେ ମଦ ରନ୍ଧା ସାମଗ୍ରୀ ଅର୍ଦ୍ଧାଧିକ ଅନ୍ୟତ୍ର ସ୍ଥାନାନ୍ତର କରିଦେଇଥିଲେ। ଏନେଇ ଅବକାରୀ ବିଭାଗର କାର୍ଯ୍ୟଦକ୍ଷତା ସନ୍ଦେହ ଘେରକୁ ଆସିଥିଲା।

ଏହି ଅଞ୍ଚଳରେ ମଦ ବେପାରୀ ପୁଣି ସକ୍ରିୟ ହୋଇଉଠିଥିବା ସୂଚନା ମିଳିଛି। ସେହପରି ପୁନଦାଳ ଓ ରାଧାକିଶୋରପୁର ଅଞ୍ଚଳରେ ଚୋରା ମଦ ଭାଟି ହୋଇ ମଦ ରନ୍ଧାଯାଉଥିବା ସୂଚନା ମିଳିଛି। ବଣସୀମା ଅଞ୍ଚଳରେ କୁଳଡିହା ଅଭୟାରଣ୍ୟ ପାଦ ଦେଶରେ ବିପୁଳ ପରିମାଣରେ ମଦ ଭାଟି ରହିଛି। ସୋନ ନଦୀ ଓ ଟାଙ୍ଗଣା ନଦୀ କୂଳ ନିଛାଟିଆ ସ୍ଥାନରେ ଦେଶୀ ମଦ ରନ୍ଧାଯାଉଛି। ଦେଶୀ ମଦକୁ ଟିଉବ ଭିତରେ ଭର୍ତି କରି ସ୍ପଷ୍ଟ ଦିବାଲୋକରେ ବାଇକ ଓ ଚାରି ଚକିଆ ଯାନରେ ବିଭିନ୍ନ ଗାଁକୁ ଚାଲାଣ ହେଉଥିବା ଦେଖାଯାଇଛି।

ତେବେ ଚୋରା ମଦ କାରବାର ରୋକିବାକୁ ନୀଳଗିରିରେ ଅବକାରୀ ବିଭାଗ ଥିଲେ ମଧ୍ୟ ଏହା ଖାଲି ନାଁକୁ ମାତ୍ର ବୋଲି କୁହାଯାଇଛି। ବଡ଼ବଡ଼ ବେପାରୀଙ୍କୁ ନଧରି ଗାଁଗହଳିରେ ବିକ୍ରିକରୁଥିବା ବେପାରୀଙ୍କ ଠାରୁ ୫ ଲିଟର, ୧୦ ଲିଟର ମଦ ଧରି କେଶ୍ ବୃଦ୍ଧିକରି ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ  କରିବାରେ ବ୍ୟସ୍ତ।

ସେହିପରି ପୋଲିସ ପାଟ୍ରୋଲିଂ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ବରହମପୁର ଅଞ୍ଚଳରେ ଦିନରେ ବାଇକ ଯୋଗେ ମଦ ଚାଲାଣ ହେଉଥିବା ବେଳେ ପୋଲିସ କିପରି ଜାଣି ପାରୁନାହିଁ ଏନେଇ ସନ୍ଦେହ ଉପୁଜୁଛି। ମଦ ପିଇ ଗାଁଗହଳିରେ ଦୈନନ୍ଦିନ ଛୋଟ ବଡ଼ ଗଣ୍ଡଗୋଳ ହେବା ସହ ପାରିବାରିକ କଳହ ହେଉଥିବା କୁହାଯାଇଛି। ତେବେ ନୀଳଗିରି ଅବକାରୀ ଓଆଇସି ଲକ୍ଷସାଧବ ପ୍ରଧାନ କହିଛନ୍ତି ଚୋରା ମଦଭାଟି ଉପରେ ଖବର ପାଇ ଚଢ଼ାଉ କରିଛନ୍ତି। କାଁ ଭାଁ ବେପାରୀ ଖସିଯାଉଥିବା କହିଛନ୍ତି।

ନୀଳଗିରି ଏବେ ଚୋରା କାରବାରର ହବ୍ ପାଲଟିଥିବା ସ୍ଥାନୀୟ ଅବକାରୀ ବିଭାଗ ଉପରେ ଆଉ ଅଞ୍ଚଳବାସୀଙ୍କ ଭରଷା ନଥିବାରୁ ଜିଲ୍ଲାପାଳ ସ୍ବତନ୍ତ୍ର ସ୍କ୍ବାଡ଼ ଗଠନ କରି ମଦଭାଟି ଓ ଗଛିତ ସ୍ଥାନରେ ଚଢ଼ାଉ କରିବାକୁ ସାଧାରଣରେ ଦାବି ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.