ସନ୍ଧ୍ୟା ହେଲେ ଜମୁଛି ଜୁଆ ଖେଳର ଆସର, ମୋଟା ଅଙ୍କ ନେଇ ପୋଲିସ୍‌ ଚୁପ୍‌

Published By : Prameya-News7 Bureau | October 17, 2021 IST

ପୁରୀ, ୧୭/୧୦: ସନ୍ଧ୍ୟା ହେଲେ ଜମୁଛି ଜୁଆ ଖେଳର ଆସର। ଖୁଲମଖୁଲା ଜୁଆ ଖେଳ ଚାଲିଥିବା ବେଳେ ଏଥିରେ ଜୁଆଡି ମାନେ ବାଜି ଲଗାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏମାନଙ୍କୁ ନା ଅଛି ପୋଲିସର ଡର ନା ଆଇନକାନୁନର ଭୟ। ପୁରୀ ସଦର ଚନ୍ଦନପୁର ବୀରପ୍ରତାପପୁର ଗୋଲା ସାହିରେ ଚାଲିଛି ଖୁଲମଖୁଲା ଜୁଆ ଖେଳ। ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ ଏଭଳି ଜୁଆ ଖେଳ ଚାଲୁଥିବା ବେଳେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗୋଟିଏ ପଟେ ଅପରାଧ ଏବଂ ବେଆଇନ କାରବାରକୁ ଦୃଢ ହସ୍ତରେ ଦମନ କରିବା ପାଇଁ ପୁରୀ ପୋଲିସ ଆକ୍ସନ ମୋଡରେ ଥିବା ବେଳେ ଜୁଆ ଖେଳକୁ କିଭଳି ବନ୍ଦ କରିପାରୁ ନାହିଁ ସେନେଇ ପୋଲିସର ପାରିବାପଣିଆ ପ୍ରତି ସାଧାରଣରେ ପ୍ରଶ୍ନ ଉଠିଛି।

କିଛି ଅସାଧୁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁଁ ଏହି ଜୁଆ ଖେଳ ଚାଲିଥିବା ନେଇ ସାଧାରଣରେ ସନ୍ଦେହ କରାଯାଉଛି। ତେବେ ଏହି ଜୁଆ ଖେଳ ଓ ଜୁଆଡିଙ୍କ ପ୍ରତି ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଅନେକ ଅପରାଧ ଘଟିବାର ସମ୍ଭାବନା ରହିଛି। ସେପଟେ କିଛିଦିନ ପୂର୍ବେ ଚନ୍ଦନପୁର ବଜାର ଓ ଥାନା ପାଖରେ ଏଭଳି ଜୁଆ ଖେଳ ଚାଲିଥିବା ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଥିଲା। ଏନେଇ ପ୍ରଥମେ ନ୍ୟୁଜ7 ରେ ଖବର ପ୍ରସାରଣ ହେବା ପରେ ଜୁଆଡି ତଥା ଏହି ଅସାଧୁ ବ୍ୟକ୍ତିଙ୍କ ମନରେ ଛନକା ପଶିଥିଲା। 

ଏବେ କିନ୍ତୁ ଗୋଲା ସାହି ଅଞ୍ଚଳରେ ଅସାଧୁ ବ୍ୟକ୍ତିମାନେ ପୁଣିଥରେ ଜୁଆ ଖେଳ ଆରମ୍ଭ କରିଥିବା ବେଳେ ଏଥିପାଇଁ କିଛି ପୋଲିସ ଅଧିକାରୀ ଓ କର୍ମଚାରୀ ମୋଟା ଅଙ୍କ ନେଉଥିବା ଶୁଣିବାକୁ ମିଳିଛି। ସେଥିପାଇଁ ଏହି ଅସାଧୁ ବ୍ୟକ୍ତିମାନେ କାହାରିକୁ ଭୟ କରୁନାହାନ୍ତି। ତେବେ ପୁରୀ ଏସପି ଏମାନଙ୍କ ପ୍ରତି କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାକୁ ହିଁ ଅପେକ୍ଷା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.