ପୋଲିସର ନାକ ତଳେ ବିସ୍ଫୋରକ ଗଦା : ଜାଣିପାରୁନି ପୋଲିସ

Published By : Prameya-News7 Bureau | October 20, 2019 IST

କଟକ ୨୦।୧୦: କ୍ବିଣ୍ଟାଲ୍ କ୍ବିଣ୍ଟାଲ ବାରୁଦ, ପୋଟାସିୟମ୍ ନାଇଟ୍ରେଟ୍ ଆଉ ଫସ୍‌ଫରସ୍ । ବାଣ ତିଆରି ପାଇଁ କେମିତି ଆଉ କେଉଁଠୁ ଆସୁଛି ଏତେ ପରିମାଣର ବିସ୍ଫୋରକ, ଜଗତପୁରର ତ୍ରିଲୋଚନପୁର, ମହାଜନପୁର ଓ ପଦ୍ମପୁର ଆଦି ଅଞ୍ଚଳକୁ । ଆହୁରି ବଡ ଆଶ୍ଚର୍ଯ୍ୟର କଥା ହେଉଛି, ଏତେ ପରିମାଣର ମାରାତ୍ମକ ବିସ୍ଫୋରକ ଆସୁଛି, ମାତ୍ର ତାହା ପୋଲିସ ଜାଣି ପାରୁନି କେମିତି । ସେପଟେ ବାଣ ତିଆରି ଭଳି ବିପଦଜନକ କାମ ଛାଡି ଅନ୍ୟ କାମ ପାଇଁ ଆଗ୍ରହ ପ୍ରକାଶ କଲେ ଜିଲ୍ଲା ପ୍ରଶାସନ ଗ୍ରାମବାସୀଙ୍କୁ ସାହାଯ୍ୟ କରିବ ବୋଲି କହିଛନ୍ତି ଜଟକ ଜିଲ୍ଲାପାଳ ।

ଜଗତପୁର ଥାନାରୁ ମାତ୍ର ଚାରି ପାଞ୍ଚ କିଲୋମିଟର ଗଲେ ପଡେ ତ୍ରିଲୋଚନପୁର, ପଦ୍ମପୁର ଆଉ ମହାଜନପୁର । ବାଣ ତିଆରି ପାଇଁ ଏହି ଗାଁ ଗୁଡିକୁ ଆସିଥାଏ ଶହ ଶହ କ୍ୱିଣ୍ଟାଲ ବାରୁଦ, ପୋଟାସିୟମ୍ ନାଇଟ୍ରେଟ୍ ଆଉ ଫସଫରସ୍ । ତେବେ ବାଣ ଜବତ କରି ବାହାବା ନେଉଥିବା ପୋଲିସ୍ ଏତେ ପରିମାଣର ବିସ୍ଫୋରକ ଆସି ଗଦା ହେବା ଘଟଣା ସମ୍ପର୍କରେ ସତେ ଯେମିତି ଆଖି ବୁଜି ଦେଇଛି । ପୋଲିସର ପ୍ରାଥମିକ ତଦନ୍ତରୁ କିଛି ଖଣି ଲିଜ୍ ଧାରିଙ୍କ ପାଖରୁ ଏହି ବିସ୍ଫୋରକ ଆସୁଥିବା ଜଣା ପଡିଛି । ଏ ବିଷୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି ଅଖିଳେଶ୍ବର ସିଂ ସୂଚନା ଦେଇଛନ୍ତି।

{"id":172303}

ଗ୍ରାମବାସୀଙ୍କ କହିବା ଅନୁସାରେ ଖୋର୍ଦ୍ଧା, ତାପଙ୍ଗ ଓ ଯାଜପୁରର ଚଢେଇଧରା ଅଞ୍ଚଳରୁ ବାଣ ତିଆରି ପାଇଁ ଏହି ବିସ୍ଫୋରକ ସାମଗ୍ରୀ ଆସିଥାଏ । ସେପଟେ ଏପରି ବିପଦଜ୍ଜନକ କାମ ପାଇଁ ଆଉ ଲାଇସେନ୍ସ ଦେବା ସମ୍ଭବ ନୁହେଁ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ଯଦି ବାଣ କାରିଗରମାନେ ରୋଜଗାରର ବିକଳ୍ପ ପନ୍ଥା ବାଛିବେ, ତେବେ ଜିଲ୍ଲା ପ୍ରଶାସନ ସାହାଯ୍ୟ କରିବ ବୋଲି ଜିଲ୍ଲାପାଳ ଭବନୀ ଶଙ୍କର ଚୟନୀ କହିଛନ୍ତି ।

ତ୍ରିଲୋଚନପୁର, ପଦ୍ମପୁର, ମହାଜନପୁର ଆଦି ଗାଁରେ ପ୍ରାୟ ହଜାରରୁ ଅଧିକ ପରିବାର ଶହ ଶହ ବର୍ଷ ହେଲା ବାଣ ତିଆରି କରି ପରିବାର ଚଳାନ୍ତି । ଏମାନଙ୍କୁ ଏହି ବିପଦଜନକ କାମରୁ ନିବୃତ୍ତ କରି ଅନ୍ୟ ପନ୍ଥା ଆପଣେଇବା ପାଇଁ ଉଭୟ ପୋଲିସ ଓ ପ୍ରଶାସନର ସହଯୋଗ ଆବଶ୍ୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.