୨୫ ବିଶ୍ଵ ବିଦ୍ୟାଳୟର କୁଳପତିଙ୍କ ନିଯୁକ୍ତି ଅବୈଧ, ଚିଠି ଲେଖିଲି ଉତ୍ତର ଦେଲେନି ମୁଖ୍ୟମନ୍ତ୍ରୀ: ରାଜ୍ୟପାଳ ଧନଖଡ

Published By : Prameya-News7 Bureau | January 15, 2022 IST

କୋଲକାତା ୧୫।୦୧: କୁଳପତି ନିଯୁକ୍ତିକୁ ନେଇ ଏବେ ମୁହାଁମୁହିଁ ରାଜ୍ୟପାଳ ଜଗଦୀପ ଧନଖଡ ଏବଂ  ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ୟପାଳ ଧନଖଡ କୁଳାଧିପତିଙ୍କ ମଞ୍ଜୁରୀ ବିନା ରାଜ୍ୟର ୨୫ ବିଶ୍ଵ ବିଦ୍ୟାଳୟରେ କୁଳପତିଙ୍କ ନିଯୁକ୍ତି ଉପରେ କଡା ଆପତ୍ତି ପ୍ରକାଶ କରିଛନ୍ତି। ସେ ଶନିବାର କହିଛନ୍ତି, ଏହା ଶାସକର ଆଇନ ନା ଆଇନର ଶାସନ। ଏହା ଶିକ୍ଷାର ଘେରାବନ୍ଦୀ। ଶାସକର ଆଇନ, ଆଇନର ଶାସନ ନାହିଁ। ମମତା ସରକାର କୁଳାଧିପତିଙ୍କ ବିନା ମଞ୍ଜୁରୀରେ ୨୫ ବିଶ୍ଵ ବିଦ୍ୟାଳୟ ପାଇଁ କୁଳପତିଙ୍କ ନିଯୁକ୍ତି କରିଛନ୍ତି।

ରାଜ୍ୟପାଳ କହିଛନ୍ତି, କଲକାତା ବିଶ୍ଵ ବିଦ୍ୟାଳୟର କୁଳପତି ସୋନାଲି ଚକ୍ରବର୍ତ୍ତୀଙ୍କୁ ବିନା କୌଣସି ଚୟନରେ ପୂରା ଚାରି ବର୍ଷର ଦ୍ଵିତୀୟ କାର୍ଯ୍ୟକାଳ ମିଳିଛି। ଗତ ଅଗଷ୍ଟ ୧୭ରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିର ଉତ୍ତର ଏ ଯାଏଁ ମିଳିନି। ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟପାଳ ଧନଖଡ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିବାଦ ଏବଂ ମତାନ୍ତର ସାଧାରଣ କଥାରେ ପରିଣତ ହୋଇ ଗଲାଣି। ଯେ କୌଣସି ପ୍ରସଙ୍ଗ, ସେ ରାଜନୈତିକ ହେଉ କି ଅଣ ରାଜନୈତିକ ହେଉ ଧନଖଡ ଏବଂ ମମତାଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.