ସମବାୟ ସମିତି ସମ୍ପାଦକଙ୍କ କଳା କାରନାମା, ଚତୁରତାର ସହ ଧରିଲେ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ
23/02/2021 at 10:14 PM

ନୀଳଗିରି,୨୩/୦୨ : ନୀଳଗିରି ଉପଖଣ୍ଡ ବିଭିନ୍ନ ମଣ୍ଡିରେ ଧାନ କିଣାରେ ଅନିୟମିତତା ହୋଇଥିବା ଜଣାପଡିଛି । ମିଲର ମାଲିକ, ଧାନ ବେପାରୀ ଓ ସମିତିର ସମ୍ପାଦକଙ୍କ ମଧୁ ଚନ୍ଦ୍ରିକା ନେଇ ଏଭଳି ଅନିୟମିତତା ହେଉଥିବା ଅଭିଯୋଗ ଉଠିଛି । ଟୋକନ ଥିବା ସତ୍ୱେ ଟାର୍ଗେଟ ପୂରଣ ହୋଇଥିବା କହି ଚାଷୀମାନଙ୍କୁ ବହୁ ହଇରାଣ କରାଯାଉଥିବା ନଜରକୁ ଆସିଥିଲା । ପୂର୍ବରୁ ମିତ୍ରପୁର, ନିଜଗଡ଼, ସଜନାଗଡ଼ ସୋସାଇଟିରେ ଏଭଳି ଅଭିଯୋଗ ଆସିବା ପରେ ଏବେ ଈଶ୍ୱରପୁର ସେବା ସମବାୟ ସମିତିରେ ଅନିୟମିୟତା ଚରମ ସୀମାରେ ପହଞ୍ଚିଛି ।
ଗତକାଲିଠାରୁ ସମିତି ଆଗରେ ଚାଷୀ ଧାରଣାରେ ବସିଥିବା ବେଳେ ଆଜି ଘଟଣା ସ୍ଥଳରେ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ଯୋଗାଣ ଅଧିକାରିଣୀ ଏଲିନା ସାହୁ, ନୀଳଗିରି ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା ପହଞ୍ଚିଥିଲେ । ଚାଷୀମାନଙ୍କ ସମସ୍ୟା ବୁଝିବା ପରେ ସମିତିର ସମ୍ପାଦକ ଅଶୋକ କୁମାର ଜେନା ଓ ଅନ୍ୟ ଅଧିକାରୀ ପହଞ୍ଚିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଶ୍ରୀ ଦାସ କଥା ଛଳରେ ଅନିୟମିତତା କିଛି ହୋଇଯାଇଛି । ସମସ୍ତ ପ୍ରମାଣ ତାଙ୍କ ପାଖରେ ଅଛି ତମେ ଯାହା କରିଛ ମାନିଯାଅ କହିବା ପରେ ସମ୍ପାଦକ ଜଣକ ସମସ୍ତ ଘଟଣା ମାନିଯାଇଥିଲେ । ଚାଷୀଙ୍କ ରେଜିଷ୍ଟ୍ରେସନ କଲାବେଳେ ଖାତା ଓ ପ୍ଲଟ ନମ୍ବର ଚଂଚକତା କରି ସଠିକ ଚାଷୀଙ୍କଠାରୁ ଧାନ କ୍ରୟ ନକରି ଯେଉଁ ମାନଙ୍କର ଚାଷ ଜମିରେ ଚାଷ ହୋଇ ନାହିଁ ସେମାନଙ୍କର ଭୁଲ ତଥ୍ୟ ଦେଇ ରେଜିଷ୍ଟ୍ରେସନ କରିଥିଲେ । ଧାନ ବେପାରୀଙ୍କ ସହାୟତାରେ ଧାନ କିଣା ଯାଇଥିବା ସ୍ୱୀକାର କରିଥିଲେ । ୧୦ ଜଣ ଚାଷୀଙ୍କ ଠାରୁ ୬୦୦ କୁଇଣ୍ଟାଲ ଧାନ ବେଆଇନ ଭାବେ କିଣାଯାଇଥିବା ଜଣା ପଡିଥିଲା । ସମ୍ପାଦକ ଜଣକ ସବୁ ଘଟଣା ଲିଖିତ ଭାବେ ସ୍ୱୀକାର କରିଥିବା ଜଣାପଡିଛି ।