ଆଇଆଇଟି ମାଡ୍ରାସରେ କରୋନା ବିସ୍ଫୋରଣ: ୧୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ବନ୍ଦହେଲା ଇନଷ୍ଟିଚ୍ୟୁଟ୍

Published By : Prameya-News7 Bureau | December 14, 2020 IST

ଚେନ୍ନାଇ ୧୪/୧୨ : ଦେଶରେ କରୋନା ପ୍ରକୋପ ଧିରେ ଧିରେ କମୁଛି । ଏହାରି ମଧ୍ୟରେ ମାଡ୍ରାସ୍ ଆଇଆଇଟିରେ କରୋନା ବିସ୍ଫୋରଣ ହୋଇଛି । ଏକା ସଙ୍ଗେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହା ପରେ ଅନେକ ବିଭାଗ, ଲାଇବ୍ରେରୀ ସମେତ ଲ୍ୟାବଗୁଡିକୁ ବନ୍ଦ କରିଦିଆଯାଇଛି ।

ତାମିଲନାଡୁ ସ୍ବାସ୍ଥ୍ୟ ସଚିବ ଜେ. ରାଧାକୃଷ୍ଣନ କହିଛନ୍ତି କ୍ୟାମ୍ପସର ମୋଟ ୭୭୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ ହଷ୍ଟେଲ ଏବଂ ମେସ ବନ୍ଦ କରାଯିବା ସହିତ ଛାତ୍ରଛାତ୍ରୀଙ୍କ ରୁମକୁ ଖାଦ୍ୟ ପହଞ୍ଚାଉଛନ୍ତି କର୍ତ୍ତୃପକ୍ଷ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କହିଛି ଯେ, ପ୍ରାୟ ୯ଟି ହଷ୍ଟେଲ୍ ଏବଂ ଗୋଟିଏ ଗେଷ୍ଟ୍ ହାଉସରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ମୋଟ ୧୦୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଛାତ୍ରଛାତ୍ରୀ, ମେସ କର୍ମଚାରୀ ଏବଂ ଆଟେଣ୍ଡଣ୍ଟ୍ ଥିବା ସୂଚନା ମିଳିଛି ।

କ୍ୟାମ୍ପସରେ ଥିବା  କୃଷ୍ଣା ହଷ୍ଟେଲରୁ ୨୨, ଯମୁନାରୁ ୨୦, ଅଲାଗାନନ୍ଦାରୁ ୩, ନର୍ମଦାରୁ ୩, ତାପ୍ତୀରୁ ୩, କୋଥାଓ୍ବରୀରୁ ୨, ତୁଙ୍ଗାରୁ ୪, ସାବରମତୀରୁ ୩, ସରସ୍ବତୀରୁ ୫ ଏବଂ ଗେଷ୍ଟହାଉସରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଇଆଇଟି କର୍ତ୍ତୃପକ୍ଷ କହିଛନ୍ତି କରୋନା ସଂକ୍ରମଣକୁ ଦେଖି ମେସକୁ ବନ୍ଦ କରାଯାଇଛି । ଛାତ୍ରଛାତ୍ରୀଙ୍କ ରୁମକୁ ଖାଦ୍ୟ ପ୍ୟାକେଟ ପହଞ୍ଚାଯାଉଛି । ଏହା ସହିତ ପୂରା କ୍ୟାମ୍ପସକୁ ସାନିଟାଇଜ କରାଯାଇଛି । ତେବେ କ୍ୟାମ୍ପସରେ ଥିବା ଅନ୍ୟ ଛାତ୍ରଛାତ୍ରୀଙ୍କର କରୋନା ଟେଷ୍ଟ  ପାଇଁ ସାମ୍ପୁଲ ସଂଗ୍ରହ କରାଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.