ଏବେ Covid-19 ଚିହ୍ନଟ କରିବ ରିଷ୍ଟ ଟ୍ରେକର, ଖୁବ୍ ଶୀଘ୍ର ବଜାରକୁ ଆଣିବେ IIT ମାଡ୍ରାସ
25/07/2020 at 8:24 PM

ଚେନ୍ନାଇ ୨୫।୭: କୋଭିଡ-୧୯ ମହାମାରୀ ସାରା ବିଶ୍ୱରେ ସଞ୍ଚରି ଯାଇଛି। ତେବେ ସଂକ୍ରମିତଙ୍କ ଚିହ୍ନଟ ବ୍ୟୟବହୁଳ ଓ ସମୟସାପେକ୍ଷ ହେଉଥିବାରୁ ଏପର୍ଯ୍ୟନ୍ତ ସବୁ ଲୋକଙ୍କ ପରୀକ୍ଷଣ ସମ୍ଭବ ହୋଇପାରୁନି। ଏଥିରେ ଆଇଆଇଟି ମାଡ୍ରାସଙ୍କ ଷ୍ଟାର୍ଟଅପ୍ ନୂଆ ଆଶା ସଞ୍ଚାର କରିଛି। ଏପରି ଏକ ରିଷ୍ଟ ଟ୍ରେକର ବିକଶିତ କରିଛନ୍ତି ଯାହା ଆପଣଙ୍କୁ କେବଳ କୋଭିଡ କବଳରୁ ରକ୍ଷା କରିବନି ଆକ୍ରାନ୍ତ ହେବାମାତ୍ରେ ସୂଚେଇ ମଧ୍ୟ ଦେବ।
କୋଭିଡ ଆକ୍ରାନ୍ତଙ୍କ ଠାରେ ଅନେକ ଲକ୍ଷଣ ଦେଖାଯାଉଛି। ସେହିପରି ଲୋକେ ନାନା ଶାରୀରିକ ସମସ୍ୟା ମଧ୍ୟ ଭୋଗୁଛନ୍ତି। ତେବେ ଆଇଆଇଟି ମାଡ୍ରାସଙ୍କ ଏହି ଷ୍ଟାର୍ଟଅପ ପ୍ରସ୍ତୁତ କରିଥିବା ଟ୍ରେକାର କୋଭିଡକାଳର ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ମଧ୍ୟ ଆପଣଙ୍କୁ ସୂଚିତ କରିବ। ଯାହା ଦ୍ୱାରା ଆପଣ ଅଗ୍ରୀମ ପଦକ୍ଷେପ ନେଇ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରିବା ସହ କୋଭିଡ କବଳରୁ ନିଜକୁ ସହଜରେ ମୁକ୍ତ କରିପାରିବେ।
ଏହି ରିଷ୍ଟ ଟ୍ରେକରକୁ ଆଇଆଇଟି ମାଡ୍ରାସ ଏନଆଇଟି ୱାରଙ୍ଗଲର ଆଲ୍ୟୁମିନିଙ୍କ ସହଯୋଗରେ ବିକଶିତ କରିଥିବା ବେଳେ ଏହାକୁ ଏକକାଳୀନ ୭୦ଟି ଦେଶରେ ଉପଲବ୍ଧ କରିବାକୁ ଯୋଜନା କରିଛନ୍ତି। ଏହି ରିଷ୍ଟ ଟ୍ରେକର ଶରୀରର ଉତ୍ତାପ ସାଙ୍ଗକୁ ହାର୍ଟ ରେଟ୍ ଓ ଏସପିଓ-୨(ବ୍ଲଡ ଅକ୍ସିଜେନ ସାଚ୍ୟୁରେସନ) ସମ୍ପର୍କରେ ପ୍ରତିମୂହୁର୍ତ୍ତରେ ସୂଚାଇବ। ଯାହା ଦ୍ୱାରା ସଂକ୍ରମଣ ସନ୍ଦେହ ହେବା ମାତ୍ରେ କେହିବି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଜକୁ ସୁନିଶ୍ଚିତ ରଖି ପାରିବେ।
ଏହି ଟ୍ରେକର ବ୍ଲୁ ଟୁଥ ମାଧ୍ୟମରେ ମୋବାଇଲ ଫୋନ ସହ ସମ୍ପୃକ୍ତ ରହି ସମନ୍ୱୀତ କୋଭିଡ ନିୟନ୍ତ୍ରଣ କକ୍ଷ ସହ ଜଡିତ ରଖିବା ସହ କୋଭିଡ କଣ୍ଟେନମେଣ୍ଟ ଜୋନ ସମ୍ପର୍କରେ ମଧ୍ୟ ଲଗାତାର ସୂଚିତ କରିବ। ଏହି ରିଷ୍ଟ ଟ୍ରେକରର ମୂଲ୍ୟ ୩ହଜାର ୫୦୦ ଟଙ୍କା ରଖା ଯାଇଥିବା ବେଳେ ୨୦୨୨ ସୁଦ୍ଧା ୧୦ ଲକ୍ଷ ପ୍ରଡକ୍ଟ ବଜାରରେ ବିକିବାକୁ ଲକ୍ଷ ରଖାଯାଇଥିବା ଆଇଆଇଟି ମାଡ୍ରାସର କେ.ଏଲ.ଏନ. ସାଇପାରସ ନାଥ କହିଛନ୍ତି। ତେବେ ଆସନ୍ତା ଅଗଷ୍ଟ ମାସରୁ ସାରା ଦେଶରେ ଏହି ଟ୍ରେକର ଉପଲବ୍ଧ କରାଯିବ। ଏହା ଦ୍ୱାରା କୋଭିଡ ନେଇ ଲୋକଙ୍କୁ ତ୍ୱରିତ୍ ସୂଚନା ପ୍ରଦାନ ହିଁ ଏହାର ମୂଳ ଉଦ୍ଦେଶ୍ୟ ବୋଲି ସାଇ ପାରସନାଥ କହିଛନ୍ତି। ଯାହା ଦ୍ୱାରା ଲୋକେ ସମୟ ପୂର୍ବରୁ ନିଜର ଚିକିତ୍ସା କରାଇବା ସହ ସୁସ୍ଥ ରଖିପାରିବେ।