ଆଇଆଇଟି ଦିଲ୍ଲୀର ଆକଳନ ଓଡିଶା ପାଇଁ ବଢାଇଲା ଚିନ୍ତା, ଜୁନ୍‌ ୬ ସୁଦ୍ଧା ରାଜ୍ୟରେ ଚରମରେ ରହିବ କରୋନା ସଂକ୍ରମଣ

Published By : Prameya-News7 Bureau | May 17, 2020 IST

ଭୁବନେଶ୍ୱର ୧୭।୦୫: ଆସନ୍ତା ଜୁନ୍‌ ୬ ତାରିଖ ସୁଦ୍ଧା ରାଜ୍ୟରେ କରୋନା ରୋଗୀ ସଂଖ୍ୟା ୧୧ ହଜାର ଛୁଇଁବ । ଜୁନ୍‌ ପ୍ରଥମ ସପ୍ତାହ ସୁଦ୍ଧା ରୋଗୀ ସଂଖ୍ୟା ୧୦ହଜାର ଟପିଯିବ । ଓଡ଼ିଶାରେ କରୋନା ରୋଗୀ ସଂଖ୍ୟାର ସ୍ଥିତିକୁ ଏଭଳି ଆକଳନ କରିଛି ଆଇଆଇଟି ଦିଲ୍ଲୀ।

ଦେଶରେ କରୋନା ସଂଖ୍ୟା ଆକଳନ ପାଇଁ ଆଇଆଇଟି ଦିଲ୍ଲୀ ଏଆଇସିଏସ୍‌ଇଆଇଆର୍‌ ମଡେଲ ଆପଣାଉଛି । ଏହି ମଡେଲ ମୁତାବକ, ଜୁନ୍‌ ୬ ତାରିଖ ସୁଦ୍ଧା ରାଜ୍ୟରେ କୋଭିଡ୍‌ ରୋଗୀ ସଂଖ୍ୟା ୧୧ହଜାର ୨୮୩ରେ ପହଞ୍ଚିବ । ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରୁଥିବାରୁ କରୋନା ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି । ଆଗକୁ ମଧ୍ୟ ଏହି ସଂଖ୍ୟା ବଢ଼ିବ । ପ୍ରାୟ ୫ଲକ୍ଷରୁ ଅଧିକ ଶ୍ରମିକ ରାଜ୍ୟକୁ ଫେରିବେ । ଏଣୁ ମେ ୧୫ରୁ ଜୁନ୍‌ ୬ ତାରିଖ ଭିତରେ ରାଜ୍ୟରେ କୋଭିଡ୍‌ ରୋଗୀ ସଂଖ୍ୟା ୧୫ଗୁଣା ହାରରେ ବଢ଼ିବ ବୋଲି ଆଇଆଇଟି ଦିଲ୍ଲୀ ଆକଳନ କରିଛି ।  

ପୂର୍ବରୁ ମଧ୍ୟ ରାଜ୍ୟରେ କରୋନା ସଂଖ୍ୟା ହାରକୁ ନେଇ ଆଇଆଇଟି ଦିଲ୍ଲୀ ଆକଳନ କରିଥିଲା । ମେ ୧୨ସୁଦ୍ଧା ଏହି ସଂଖ୍ୟା ୩୬୫ରେ ପହଞ୍ଚିବ ବୋଲି କୁହାଯାଇଥିଲା । କିନ୍ତୁ ଏହି ସମୟ ଭିତରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୪୩୭ରେ ପହଞ୍ଚିଥିଲା । ଏଣୁ ଜୁନ୍‌ ମାସ ୬ ତାରିଖ ସୁଦ୍ଧା ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟାକୁ ନେଇ ଆଇଆଇଟି ଦିଲ୍ଲୀ ତାଜା ଆକଳନ କରିଛି ।  

ମେ ୧ରୁ ମେ ୧୫ ତାରିଖ ଭିତରେ ରାଜ୍ୟରେ କୋଭିଡ୍‌ ରୋଗୀ ସଂଖ୍ୟା ୩୭୮ ପ୍ରତିଶତ ହାରରେ ବଢ଼ିଛି । ୧୫ ତାରିଖ ସୁଦ୍ଧା ରୋଗୀ ସଂଖ୍ୟା ୭୩୭ରେ ପହଞ୍ଚିବା ପାଇଁ ପଜିଟିଭ୍‌ କେଶ୍‌ ସଂଖ୍ୟା ୫ଗୁଣା ହାରରେ ବଢିଥିଲା । ମେ ୧ରେ ପଜିଟିଭ୍‌ ସଂଖ୍ୟା ୧୫୪ ଥିଲା । ତେବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ତଥ୍ୟ ଅନୁସାରେ ଏବେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୯ପ୍ରତିଶତ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଅଛନ୍ତି । ଏଥିରେ ବ୍ୟାପକ ସଂକ୍ରମଣର ଆଶଙ୍କା କମ୍‌ । ତେବେ ଆଗକୁ ରାଜ୍ୟରେ ଯଦିଓ କରୋନା ରୋଗୀ ସଂଖ୍ୟା ଅଧିକ ବଢିବ କିନ୍ତୁ କଣ୍ଟାକ୍ଟ ଟ୍ରେସିଂର ଅଧିକ ଆବଶ୍ୟକତା ପଡ଼ିବନି ବୋଲି ଆଇଆଇଟି ଦିଲ୍ଲୀ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.