'ଆଜିର ଷ୍ଟାର୍ଟ ଅପ୍‌ କାଲିର ବଡ଼ ଉଦ୍ୟାେଗ', ସମ୍ବଲପୁର IIM କ୍ୟାମ୍ପସର ଶିଳାନ୍ୟାସରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

Published By : Prameya-News7 Bureau | January 02, 2021 IST

ସମ୍ବଲପୁର ୦୨।୦୧ : ସମ୍ବଲପୁର IIM କ୍ୟାମ୍ପସର ଶିଳାନ୍ୟାସ । ଭିଡିଓ କନ୍‌ଫରେନ୍ସି ଜରିଆରେ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ଶିଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍‌, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଏବଂ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

IIM ସମ୍ବଲପୁରର ନୂତନ କ୍ୟାମ୍ପସର ଶିଳାନ୍ୟାସ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କହିଛନ୍ତି ଯେ,ସାରାବିଶ୍ୱରେ ସମ୍ବଲପୁର ଟେକ୍ସଟାଇଲର ସ୍ୱତନ୍ତ୍ର ପରିଚୟ ରହିଛି ।  ଆମକୁ ସମୟ ସହ ନୁହେଁ ବରଂ ସମୟ ପୂର୍ବରୁ କାମ ସାରିବାକୁ ପଡିବ । ପ୍ରଯୁକ୍ତିବିଦ୍ୟା ଲାଗି ଭୌଗଳିକ ସମସ୍ୟା ଦୂର ହୋଇଛି । ବିକାଶ ପାଇଁ ଆମକୁ ସର୍ଟ ଟର୍ମ ନୁହେଁ, ବରଂ ଲଙ୍ଗ ଟର୍ମ ପଲିସି ଆବଶ୍ୟକ ରହିଛି । ଦେଶରେ କୋଭିଡ଼ ସଙ୍କଟ ସତ୍ତ୍ୱେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ମିଳିଛି ।

ଗତବର୍ଷ ତୁଳନାରେ ଅନେକ କ୍ଷେତ୍ରରେ ସଫଳତା ମିଳିଛି । ମ୍ୟାନେଜମେଣ୍ଟ କ୍ଷେତ୍ରରେ ଓଡ଼ିଶା ଆଗାମୀ ଦିନରେ ନୂତନ ପରିଚୟ ସୃଷ୍ଟି କରିବ। ସେହିପରି ପ୍ରଧାନମନ୍ତ୍ରୀ ଲୋକାଲକୁ ଭୋକାଲ ପାଇଁ ଆହ୍ବାନ ଦେଇଛନ୍ତି । ସ୍ଥାନୀୟ ଉତ୍ପାଦକୁ ନେଇ ବିଶ୍ବସ୍ତରୀୟ କରିବାକୁ ପଡ଼ିବ ।  ଆଜିର ଷ୍ଟାଟଅପ୍ କାଲିର ମଲ୍‌ଟି ନ୍ୟାସନାଲ କମ୍ପାନୀ ପାଲଟିବ ।  ସମ୍ବଲପୁରରେ ସବୁ କିଛି ଭରପୁର ହୋଇ ରହିଛି । ପର୍ଯ୍ୟଟନ ପାଇଁ ସମ୍ବଲପୁର ପ୍ରକୃଷ୍ଠ ସ୍ଥାନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ମୋଡ଼ର ଯୋଗଦେଇ କହିଛନ୍ତି ଯେ, ସମ୍ବଲପୁର ବୁର୍ଲାରେ ଆଇଆଇଏମ୍‌ ପ୍ରତିଷ୍ଠା କରାଯାଇଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ । ଆଗାମୀ ଦିନରେ ଓଡିଶା ପୂର୍ବ ଭାରତରେ ଶିକ୍ଷାର ହବ୍‌ ହେବାକୁ ଯାଉଛି । ଓଡିଶାରେ ଶିକ୍ଷାର ହବ୍‌ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଆଗାମୀ ଦିନରେ ରାଜ୍ୟରେ ଅଧିକ କେନ୍ଦ୍ରୀୟ ଅନୁଷ୍ଠାନ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 ସମ୍ବଲପୁର ଗୋଶାଳା ନିକଟସ୍ଥ ବସନ୍ତପୁର ନିକଟରେ IIM କ୍ୟାମ୍ପସ୍ ପାଇଁ ମୋଟ ୪୦୧.୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ୨୦୨୨ ସୁଦ୍ଧା କ୍ୟାମ୍ପସ୍ ନିର୍ମାଣ ଶେଷ ହେବାର ଲକ୍ଷ୍ୟ ରଖାଯାଇଛି । ସମ୍ବଲପୁର IIM ୨୦୧୫ମସିହାରୁ ଆରମ୍ଭ ହୋଇଥିବା ଏବେ ଏହା ବୁର୍ଲା ଜ୍ୟୋତି ବିହାର ୟୁନିଭରସିଟି ସ୍ଥିତ ଅସ୍ଥାୟୀ କ୍ୟାମ୍ପସରେ ଚାଲୁଛି । ନିଜସ୍ୱ କ୍ୟାମ୍ପସ୍ ହେଲେ ଅଧିକ ଛାତ୍ରଛାତ୍ରୀ ଏଠାକୁ ଆସିବେ ବୋଲି ସମ୍ବଲପୁର IIM ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏବେ ଦେଶରେ ୨୦ଟି IIM କଲେଜ୍ ରହିଛି, ଯେଉଁଠି ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ପାଠ୍ୟକ୍ରମ ରହିଛି । ୧୯୬୧ରେ ଅହମଦାବାଦ ଏବଂ କୋଲକାତା IIM ସ୍ଥାପିତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.