IIFLରୁ ୨୦କୋଟି ଟଙ୍କାର ସୁନା ଲୁଟ୍ ଘଟଣା, ସଂସ୍ଥାର ଆଉ ୪ କର୍ମଚାରୀଙ୍କୁ ଜେରା

Published By : Prameya-News7 Bureau | November 25, 2020 IST

କଟକ ୨୫।୧୧ : କଟକ ନୟାସଡକ ଆଇଆଇଏଫ୍‌ଏଲ୍‌ ସୁନା ଲୁଟ୍ ଘଟଣା । ଦିନ ଗଡିବା ସହ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ସଂସ୍ଥାର ଆଉ ୪ ଜଣ କର୍ମଚାରୀଙ୍କୁ ଅଟକ ରଖି ଜେରା କରୁଛି ପୋଲିସ । ଅଟକଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା କର୍ମଚାରୀ । ସୁନା ଲୁଟ ଏକ ନାଟକ ଥିଲା, ଆଇଆଇଏଫ୍‌ଏଲ୍‌ର କିଛି କର୍ମଚାରୀ ସୁନା ଲୁଟର ନାଟକ ରଚିଥିଲେ । ସୁନା ହେରଫେର କରି ଏହାକୁ ଲୁଟ୍‌ର ରୁପ ଦେବାକୁ ହୋଇଥିଲା ଯୋଜନା । ଲୁଟ୍‌ରେ ସଂପୃକ୍ତ ସଂସ୍ଥାର ଜଣେ କର୍ମଚାରୀ, ତାଙ୍କ ଭାଇ ସହ ମୋଟ ୬ ଜଣକୁ ଧରିବାରେ ସଫଳ ହୋଇଛି ପୋଲିସ । ସେମାନଙ୍କ ନିକଟରୁ ୨ କେଜି ସୁନା ଜବତ ହୋଇଥିବା ବେଳେ ଅନ୍ୟ ସୁନାକୁ ଜବତ କରିବା ପାଇଁ କଟକ ସହର ସମେତ ଆଖ ପାଖ ଅଞ୍ଚଳରେ ଚଢାଉ କରୁଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଦିନ କଟକ ନୟାସଡ଼କ ସ୍ଥିତ ଆଇଆଇଏଫ୍‌ଏଲ୍‌ରୁ ୨୦ କୋଟି ଟଙ୍କାର ସୁନାଗହଣା ଲୁଟିନେଇଥିଲେ ଦୁର୍ବୁତ୍ତ । ତେବେ ଏତେ କମ ସମୟରେ ଏତେ ପରିମାଣର ସୁନା ଲୁଟ କିପରି ହେଲା । ଲୁଟ୍‌ ସମୟରେ ଆଇଆଇଏଫ୍‌ଏଲ୍‌ର ସିସିଟିଭ କାମ କରୁନଥିଲା । ଏପରି ଆଦି ଅନେକ ପ୍ରଶ୍ନର  ଛାନ୍‌ଭିନ୍‌ ଆରମ୍ଭ କରିଥିଲା କମିଶନରେଟ୍ ପୋଲିସ । ଘଟଣାର ତଦନ୍ତ ଓ ଛାନ୍‌ଭିନ୍‌ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା , ଏବଂ ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ କରିଥିଲା । ମଙ୍ଗଳବାର ଦିନ ଲୁଟ୍ ଘଟଣାକୁ ନେଇ ପୋଲିସ କମିଶନର ପ୍ରେସମିଟ୍ କରିଥିଲେ ।

ପ୍ରେସମିଟ୍‌ରେ ପୋଲିସ କମିଶନର କହିଥିଲେ ଯେ, ମାତ୍ର ୬ ଦିନରେ ଲୁଟ୍ ଘଟଣାର ପର୍ଦ୍ଦାଫାଶ ହୋଇଛି । ଘଟଣା ଦିନ IIFLର ନୟାସଡକ ବ୍ରାଞ୍ଚ ଖୋଲିବା ପରେ ୪ ଜଣ ଦୁର୍ବୃତ୍ତ ଜବରଦସ୍ତି ପଶିଥିଲେ । ସମସ୍ତେ ମୁହଁ ଘୋଡାଇଥିଲେ । ଜଣଙ୍କ ହାତରେ ବନ୍ଧୁକ ଥିଲା । ବ୍ରାଞ୍ଚର ଜଣେ କର୍ମଚାରୀ ଲକର ଖୋଲିଥିଲେ । ଲକରରୁ ପୁଳା ପୁଳା ସୁନା ସେମାନଙ୍କୁ ଦେଇଦେଇଥିଲେ । ଲୁଟେରାମାନେ ସୁନା ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହା ଏକ ଯୋଜନାବଦ୍ଧ ଅପରାଧ ଥିଲା । ଘଟଣା ଦିନ IIFL ବ୍ରାଞ୍ଚର ସମସ୍ତ ସୁରକ୍ଷା ବ୍ୟବସ୍ଥା ଆକାମୀ ଥିଲା । ସିସିଟିଭି ବନ୍ଦ ରହିଥିଲା । ସିକ୍ୟୁରିଟି ଗାର୍ଡ ମଧ୍ୟ ଛୁଟିରେ ଥିଲେ । ଲୁଟ୍ ଘଟଣାର ମୁଖ୍ୟ କାର୍ପଟଦାର ଥିଲେ IIFLର କର୍ମଚାରୀ ଲାଲା ଅମ୍ରିତ ରାୟ । ସେ ଲୁଟେରାମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ କରିଥିଲେ ।

ଡକାୟତି ଘଟଣାରେ ୪ ଜଣ ସଂପୃକ୍ତ ଥିବା ବେଳେ ପଞ୍ଚମ ବ୍ୟକ୍ତି ନଆସି ଲୁଟ୍ ଘଟଣାକୁ ପରିଚାଳିତ କରିଥିଲେ । ସେ ହେଉଛନ୍ତି ବାପୁ ଓରଫ ରଞ୍ଜନ ବେହେରା । ତାଙ୍କ ଘର କିଶନନଗର ଅଞ୍ଚଳରେ ବିଶ୍ବନାଥପୁରରେ । ଲାଲା ଅମ୍ରିତ ରାୟ ତାଙ୍କ ପିଲା ଦିନର ସାଙ୍ଗ । ଲୁଟ୍ ପାଇ ଆସିଥିବା ୪ ଜଣ ହେଉଛନ୍ତି ରାଜକିଶୋର ସାହୁ, ବିଜୁ ଓରଫ ପ୍ରକାଶ ସାହୁ, ପଦିଆ ଓରଫ ପ୍ରଦୀପ୍ତ ବେହେରା ଏବଂ ବାପି ଓରଫ ସନ୍ତୋଷ ଭୋଇ । ସମସ୍ତଙ୍କୁ ଅଟକ ରଖାଯାଇଛି । ଘଟଣାରେ ବ୍ୟବହୃତ ବାଇକ୍ ଜବତ କରାଯାଇଛି । ଲୁଟ୍ ହୋଇଥିବା ସୁନାରୁ ୨ କିଲୋରୁ ଅଧିକ ସୁନା ଜବତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.