ଆଇଏଫଏସ୍ ଅଧିକାରୀ କଲେ ଆତ୍ମହତ୍ୟା, ଝୁଲନ୍ତା ମୃତ ଦେହ ଉଦ୍ଧାର

Published By : Prameya-News7 Bureau | September 09, 2019 IST

ବେଙ୍ଗଲୁରୁ୯|୯: ଭାରତୀୟ ବନ ବିଭାଗର ବରିଷ୍ଠ ଅଧିକାରୀ ନିଜ ଫ୍ଲାଟ୍‌ରେ ଆତ୍ମହତ୍ୟା କରିଛନ୍ତି। ୫୨ ବର୍ଷ ବୟସ୍କ ଅବତାର ସିଂହଙ୍କ ଝୁଲନ୍ତା ମୃତ ଦେହ ପୋଲିସ ଉଦ୍ଧାର କରିଛି। ଆଇଏଫଏସ ଅଧିକାରୀ ଅବତାର ବେଙ୍ଗଲୁରୁରେ ପ୍ରେଷ୍ଟିଜ୍‌ ମାଉଣ୍ଟ ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଛନ୍ତି।ସୂଚନାଯୋଗ୍ୟ ଯେ, ସେ ତାଙ୍କ ପତ୍ନୀ ଓ ୨ସନ୍ତାନ ସହ ସେଠାରେ ରହୁଥିଲେ।

ତାଙ୍କ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ହେଲେ ପୋଲିସ ଅନୁସାରେ ସେ ପ୍ରଚଣ୍ଡ ମେରୁଦଣ୍ଡ ପୀଡା ରୋଗରେ ଆକ୍ରାନ୍ତ ଥିଲେ । ଅସହ୍ୟ ଯନ୍ତ୍ରଣା କାରଣରୁ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଏହି ଘଟଣା ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା  ରୁଜୁ କରାଯାଇଛି।

ବନ ବିଭାଗର ମୁଖ୍ୟ ଅଧିକାରୀ ପୁନାତୀ ଶ୍ରୀଧର କହିଛନ୍ତି ଯେ, ତାଙ୍କ ଉପରେ ଅଧିକ କାମର ଚାପ ମଧ୍ୟ ନଥିଲା। ଅଫିସରେ କେବଳ ୨-୩ଟି ଫାଇଲ କାମର ଦାୟିତ୍ବ ତାଙ୍କୁ ଦିଆଯାଇଥିଲା। ସେ ଗତ କିଛି ଦିନ ହେବ ଛୁଟି ନେଇଥିଲେ।

ଗତ କାଲି ଛୁଟିରୁ ଆସି ସେ ଡ୍ୟୁଟି ଆରମ୍ଭ କରିଥିଲେ। ହେଲେ ଏଭଳି ଘଟଣା ଘଟିବ ତାହା କେହି ଚିନ୍ତା କରିନଥିଲେ। ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.