ଜେଲ୍‌ରେ ବି ଅୟସ ଖୋଜିଲେ ଅଭୟ ପାଠକ ଏବଂ ତାଙ୍କ ପୁଅ ଆକାଶ, କୋଭିଡ୍ ଓ୍ବାର୍ଡରେ କଟିଲା ଉଭୟଙ୍କ ପ୍ରଥମ ରାତି

Published By : Prameya-News7 Bureau | November 28, 2020 IST

ଭୁବନେଶ୍ବର ୨୮।୧୧: ଜେଲରେ କଟିଛି ଗିରଫ ଆଇଏଫଏସ ଅଫିସର ଅଭୟ ପାଠକଙ୍କ ପ୍ରଥମ ରାତି । ଅୟସ ଆରାମରେ ଜୀବନ କାଟୁଥିବା ଅଭୟକାନ୍ତ ପାଠକ ଝାରପଡା ଜେଲ୍ ରେ ରାତି କାଟିଛନ୍ତି । ଅଭୟଙ୍କ ପୁଅ ଆକାଶ ବି ଜେଲ୍ ରେ ରାତି କାଟିଛନ୍ତି । ସେମାନଙ୍କର କୋଭିଡ୍ ଟେଷ୍ଟ ହୋଇ ନଥିବାରୁ ଜେଲର ଆଇସୋଲେସନ୍ ଓ୍ଵାର୍ଡରେ ରହିଥିଲେ ଉଭୟେ । ଜଙ୍ଗଲ ବାବୁ ଅଭୟ ପାଠକଙ୍କୁ ୧୧ ନଂ କୋଭିଡ୍ ୱାର୍ଡ ଓ ପୁଅ ଆକାଶକୁ ୯ ନଂ କୋଭିଡ୍ ୱାର୍ଡରେ ରଖାଯାଇଛି ।

ଜେଲରେ ଉଭୟ ବାପା-ପୁଅ ସେହିଭଳି ଅୟସ ଖୋଜିଥିଲେ । ଖାଇବାକୁ ବ୍ରେଡ୍-ବଟର୍ ମାଗିଥିବା ବେଳେ ତାଙ୍କୁ ଉପମା-ଘୁଗୁନି ଦିଆଯାଇଥିଲା । ଉଭୟଙ୍କୁ ୨ଟି ଲେଖାଏଁ କମ୍ବଳ ଓ ଦୁଇଟି ପାତ୍ର ଦିଆଯାଇଥିବା ଜଣାପଡିଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କୁ ୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜକୁ ପଠାଇ ଦେଇଛନ୍ତି କୋର୍ଟ । ଗିରଫ ପରେ ଅଭୟକାନ୍ତଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ଆଇଏଫଏସ ଅଫିସର ଅଭୟକାନ୍ତ ଆୟଠାରୁ ୪୩୫ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଦର୍ଶାଇଛି ।

୩ ଦିନ ଧରି ଅଭୟକାନ୍ତଙ୍କୁ ଜେରା କରିବା ପରେ ଶୁକ୍ରବାର ଉଭୟଙ୍କୁ ଗିରଫ କରାଯାଇଥିଲା । ପୁଣେରୁ ପୁଅ ଆକାଶଙ୍କୁ ଭୁବନେଶ୍ବର ଆଣିଥିଲା ଭିଜିଲାନ୍ସ । ଉଭୟ ବାପ ପୁଅଙ୍କୁ ସାମ୍ନାସାମ୍ନି ବସାଇ ଜେରା କରିବା ବେଳେ ଭିଜିଲାନ୍ସକୁ ଅନେକ ତଥ୍ୟ ମିଳିଛି । ତାଙ୍କ ନିକଟରୁ ୬୦ଲକ୍ଷ ନଗଦ ଟଙ୍କା ସହ ୯ କୋଟି ୩୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଯାହାର ଯଥେଷ୍ଟ ପ୍ରମାଣ ସେ ଦେଇପାରିନାହାନ୍ତି । ଯେହେତୁ ସେ ବିପୁଳ କ୍ୟାସ୍ କାରବାର ବିଭିନ୍ନ ପ୍ରାଇଭେଟ୍ ବ୍ୟାଙ୍କ୍ ମାଧ୍ୟମରେ କରିଛନ୍ତି ତେଣୁ ସେସବୁ ବ୍ୟାଙ୍କରୁ ଟ୍ରାଞ୍ଜାକ୍ସନ ଷ୍ଟେଟମେଣ୍ଟ ମଗାଯାଇଛି ।

ସେହିପରି ପାଠକ ପରିବାର ଯେଉଁସବୁ ଚାର୍ଟର ପ୍ଲେନ୍ ବ୍ୟବହାର କରିଥିଲେ ସେସବୁ ଭୁବନେଶ୍ବରର ଏକ ଟ୍ରାଭେଲ ଏଜେନ୍ସୀ ଦ୍ବାରା ବୁକିଂ କରାଯାଇଥିଲା । ତେଣୁ ଟ୍ରାଭେଲ ଏଜେନ୍ସୀର କାର୍ଯ୍ୟର ମଧ୍ୟ ତଦନ୍ତ କରାଯିବ ବୋଲି ଭିଜିଲାନ୍ସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.