IFFI 2019: ଅମିତାଭ ବଚ୍ଚନଙ୍କୁ ଗୋଡ ଛୁଇଁ ପ୍ରଣାମ କଲେ ସୁପରଷ୍ଟାର ରଜନୀକାନ୍ତ
21/11/2019 at 4:26 PM

ପାଣାଜୀ(ଗୋଆ)୨୧|୧୧: ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲର ୫୦ ତମ ଏଡିଶନ ଗୋଆରେ ଆରମ୍ଭ ହୋଇଛି। ପ୍ରତି ବର୍ଷ ଭଳି ଏଥର ମଧ୍ୟ ଏହି ସମାରୋହ ୯ ଦିନ ପର୍ଯ୍ୟନ୍ତ ଚାଲିବ। ଏଥର ଫିଲ୍ମ ମହୋତ୍ସବରେ ୭୬ ଦେଶର ୨୦୦ରୁ ଅଧିକ ଫିଲ୍ମ ପ୍ରଦର୍ଶନ କରାଯିବ। ଏହି ଇଭେଣ୍ଟକୁ କରନ ଜୋହର ହୋଷ୍ଟ କରୁଛନ୍ତି।

ମହୋତ୍ସବର ପ୍ରଥମ ଦିନ ସୁପରଷ୍ଟାର ରଜନୀକାନ୍ତଙ୍କୁ ଆଇକନ ଅଫ ଗୋଲ୍ଡେନ ଜୁବଲୀ ଆୱାର୍ଡ ଦିଆଯାଇ ସମ୍ମାନିତ କରାଯାଇଛି। ଅପରପକ୍ଷରେ ରଜନୀକାନ୍ତ ବଲିଉଡର ବିଗ ବି ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲ୍କେ ପୁରସ୍କାର ଦେଇଥିଲେ। ଏହି ଅବସରରେ ଅମିତାଭ ସୁପରଷ୍ଟାର ରଜନୀକାନ୍ତଙ୍କୁ କୁଣ୍ଢାଇଥିଲେ।

ସେହି ସମୟରେ ରଜନୀକାନ୍ତ ଗୋଡ ଛୁଇଁ ଅମିତାଭଙ୍କୁ ପ୍ରଣାମ କରିଥିଲେ। ରଜନୀକାନ୍ତ କହିଥିଲେ ଯେ, ଫିଲ୍ମ ଇଣ୍ଡଷ୍ଟ୍ରିରେ ଅମିତାଭ ବଚ୍ଚନ ହେଉଛନ୍ତି ତାଙ୍କର ପ୍ରେରଣା । ସାଧାରଣତଃ ଅମିତାଭଙ୍କୁ କିଏ ଗୋଡ ଛୁଇଁ ପ୍ରଣାମ କଲେ ସେ ସେମାନଙ୍କୁ ଅଟକାନ୍ତି।ହେଲେ ରଜନୀକାନ୍ତ ଏହି ପ୍ରକ୍ରିୟାରେ ଖୁବ ଚଞ୍ଚଳ ଥିଲେ ସେଥିପାଇଁ ଅମିତାଭ ତାଙ୍କୁ ଗୋଡ ଛୁଇଁବାରୁ ଅଟକାଇ ପାରି ନଥିଲେ।

ଏହି ଆୱାର୍ଡ ପାଇଁ ଅମିତାଭ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ସହ ଭାରତ ସରକାର ଓ ଗୋଆ ସରକାରଙ୍କୁ ମଧ୍ୟ ଧନ୍ୟାବାଦ ଜଣାଇଥିଲେ। ଅମିତାଭ ଶେଷରେ କହିଛନ୍ତି ଯେ, ରଜନୀକାନ୍ତଙ୍କୁ ସେ ନିଜ ପରିବାରର ସଦସ୍ୟ ବୋଲି ମାନନ୍ତି। ଉଭୟ ପରସ୍ପରଙ୍କୁ ସବୁବେଳେ ପରାମର୍ଶ ଦିଅନ୍ତି।

ଅବଶ୍ୟ ସେହି ପରାମର୍ଶର ପାଳନ ହେଉ ବା ନ ହେଉ ହେଲେ ଦୁହେଁ ବସି ଅନେକ ଜିନିଷ ବିଷୟରେ ଆଲୋଚନା କରନ୍ତି। ରଜନୀକାନ୍ତଙ୍କୁ ଅତୁଳନୀୟ ବୋଲି କହିଥିଲେ ବିଗ ବି। ଏହା ସହ ରଜନୀକାନ୍ତ ଜଣେ ନମ୍ର ବ୍ୟକ୍ତିତ୍ୱ ବିଶିଷ୍ଟ ମଣିଷ ବୋଲି କହି ତାଙ୍କୁ ସମ୍ମାନ ଦେଇଥିଲେ ଅମିତାଭ ବଚ୍ଚନ।