'ୟୁପିରେ ଯଦି ଯୋଗୀ ଆଦିତ୍ୟନାଥ ପୁନର୍ବାର ମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ ମୁଁ ରାଜ୍ୟ ଛାଡି ଚାଲିଯିବ'

Published By : Prameya-News7 Bureau | July 17, 2021 IST

ଲକ୍ଷ୍ନୌ ୧୭।୦୭: ଆସନ୍ତା ବର୍ଷ ଦେଶର ସବୁଠୁ ବଡ ରାଜ୍ୟ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ସବୁଠୁ ଗୁରୁତ୍ଵପୂର୍ଣ୍ଣ ଉତ୍ତର ପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏବେଠୁ ରାଜନୈତିକ ଦଳ ମଧ୍ୟରେ ବୟାନବାଜି  ଆରମ୍ଭ ହୋଇ ଯାଇଛି। ଏହା ମଧ୍ୟରେ ପ୍ରସିଦ୍ଧ ଶାୟର ମୁନବର ରାଣା ଏମିତି ଏକ ବୟାନ ଦେଇଛନ୍ତି, ଯାହାକୁ ନେଇ ବିବାଦ ସୃଷ୍ଟି ହେବା ଥୟ। ମୁନବର ରାଣା କହିଛନ୍ତି, ଯଦି ଯୋଗୀ ଆଦିତ୍ୟନାଥ ପୁଣି ଥରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ସେ ରାଜ୍ୟ ଛାଡି ଚାଲିଯିବେ। ଏପରିକି ଅସଦୁଦ୍ଦୀନ ଅଓ୍ଵେସି ଯୋଗୀ ସରକାରଙ୍କୁ ସାହାଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ରାଣା।

ଓଓ୍ଵେସି ନିର୍ବାଚନ ଲଢିବା ନେଇ ରାଣା କହିଛନ୍ତି, ଓଓ୍ଵେସି ବିଜେପିକୁ ସାହାଯ୍ୟ କରିବା ପାଇଁ  ଉତ୍ତର ପ୍ରଦେଶରେ ନିର୍ବାଚନ ଲଢୁଛନ୍ତି। ଯଦି ଉତ୍ତର ପ୍ରଦେଶର ମୁସଲିମଙ୍କଠାରେ ଟିକେ ବି ବୁଦ୍ଧି ଥିବ ତେବେ ଓଓ୍ଵେସିଙ୍କ ସପକ୍ଷରେ ଭୋଟ୍ ଦେବେ ନାହିଁ। ମୁନବର ରାଣା କହିଛନ୍ତି, ଯଦି ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ପୁନର୍ବାର ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ମୁଁ ଉତ୍ତର ପ୍ରଦେଶ ଛାଡି ଚାଲିଯିବି। ଏଟିଏସ ଦ୍ଵାରା ଲକ୍ଷ୍ନୌରେ ଧରା ପଡିଥିବା ଅଲକାଏଦାର ଆତଙ୍କବାଦୀଙ୍କ ଗିରଫଦାରୀ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

ନବଭାରତ ଟାଇମ୍ସ ସହ ଆଲୋଚନା  ବେଳେ ରାଣା ୟୁପିର ଜନସଂଖ୍ୟା ଆଇନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଆମର ମୁଖ୍ୟମନ୍ତ୍ରୀ କାଲି ବିବାହକୁ ମଧ୍ୟ ହରାମ ଆଖ୍ୟା ଦେଇ ଦେବେ। ଆପଣ ତ ଦୁଇଟି ପିଲାଙ୍କୁ ଏନକାଉଣ୍ଟରରେ ମାରି ଦେଉଛନ୍ତି। ଗୋଟିଏ କରୋନାରେ ମରି ଯାଉଛି। ଏମିତିରେ ଗୋଟିଏ ପିଲା ବଞ୍ଚିଲେ ତ ଯାଇ ବାପା-ମାଙ୍କୁ ଶ୍ମଶାନ ଘାଟ ପର୍ଯ୍ୟନ୍ତ ନେଇ ପାରିବ ବୋଲି ମୁନବର ରାଣା କହିଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ସିଏଏ, ରାମ ମନ୍ଦିର ପ୍ରସଙ୍ଗ ଓ ଫ୍ରାନ୍ସର ଶିକ୍ଷକଙ୍କ ଗଳା କାଟି ହତ୍ୟା ମାମଲାରେ ବିବାଦୀୟ ମନ୍ତବ୍ୟ ଦେଇ ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.