ଟ୍ରମ୍ପ ଯଦି ଇସ୍ତଫା ନଦିଅନ୍ତି ତାଙ୍କ ବିରୋଧରେ ଆସିବ ମହାଭିଯୋଗ: ନେନସୀ ପେଲୋସୀ
9/01/2021 at 7:26 PM

ୱାସିଂଟନ: ଟ୍ରମ୍ପ ଯଦି ତାଙ୍କ ପଦରୁ ଇସ୍ତଫା ନ ଦିଅନ୍ତି ତେବେ ଆମେରିକୀୟ ସମ୍ବିଧାନର ୨୫ତମ ସଂଶୋଧନରେ ପ୍ରଦତ ଆଇନ ଅନୁସାରେ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ। ଏଥିପାଇଁ ହାଉସ୍ ରୁଲସ୍ କମିଟିକୁ ଅନୁମତି ଦିଆଯାଇଥିବା ବାଚସ୍ପତି ନେନସୀ ପେଲୋସୀ ଶୁକ୍ରବାର କହିଛନ୍ତି। ସରକାରୀ କର୍ତ୍ତବ୍ୟ ପାଳନରେ ଅସମର୍ଥ ରାଷ୍ଟ୍ରପତି ଅପସାରଣ ପାଇଁ ଏହି ଆଇନରେ କ୍ଷମତା ପ୍ରଦାନ କରାଯାଇଛି।

କ୍ୟାପିଟଲ ଆକ୍ରମଣ ରିପବ୍ଲିକାନ ରାଷ୍ଟ୍ରପତିଙ୍କ ଲାଗି ମହଙ୍ଗା ସାବ୍ୟସ୍ତ ହୋଇଛି। ଘଟଣା ଲାଗି ସେ ଅନୁତାପ କରିଥିଲେ ହେଁ ଡୋନାଲ୍ଡ ଟ୍ରମ୍ପ ଏବେ ସମ୍ପୂର୍ଣ୍ଣ ଏକାକୀ ହୋଇପଡିଛନ୍ତି। ଏଥିରେ ତାଙ୍କ ବିରୋଧରେ ଏବେ ମହାଭିଯୋଗ ଆଣିବାକୁ ଦେଶରେ ଦାବି ହେଉଛି। ବାଚସ୍ପତି ନେନସୀ ପେଲୋସୀଙ୍କ ବୟାନ ଏହି ଦାବିକୁ ଏବେ ଖୋରାକ ଯୋଗାଇଛି।

ତେବେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ନେଇ ଆଗାମୀ ସପ୍ତାହରେ ସଂସଦରେ ଭୋଟ ହୋଇପାରେ ବୋଲି ଡେମୋକ୍ରାଟମାନେ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ କାର୍ଯ୍ୟକାଳ ଆଉ ମାତ୍ର ୧୨ ଦିନ ପରେ ସରିବ। ତେବେ ଏହି ସମୟରେ ସେ ଦେଶକୁ ବିଭାଜିତ କରିଦେଇପାରନ୍ତି ବୋଲି ହ୍ୱାଇଟ୍ ହାଉସ୍ ମୁଖପାତ୍ର ଜୁଡ୍ ଡିରେ ଆଶଙ୍କା ପ୍ରକାଶ କରିଛନ୍ତି।

କ୍ୟାପିଟଲ ଆକ୍ରମଣ ପରେ ବିଭିନ୍ନ ସର୍ଭେକ୍ଷଣ ସଂସ୍ଥା ଦେଶରେ ଜନମତ ସର୍ଭେ କରିଛନ୍ତି। ଯେଉଁଥିରେ ୫୭ ପ୍ରତିଶତ ଆମେରିକୀୟ ଘଟଣା ପରେ ଟ୍ରମ୍ପଙ୍କୁ ତୁରନ୍ତ କାର୍ଯ୍ୟାଳୟରୁ ହଟାଯିବା ସପକ୍ଷରେ ମତ ଦେଇଛନ୍ତି। ସେହିପରି ୭୦ପ୍ରତିଶତ କ୍ୟାପିଟାଲ ଆକ୍ରମଣ ଲାଗି ଟ୍ରମ୍ପଙ୍କ କାର୍ଯ୍ୟକୁ ନାପସନ୍ଦ କରିଛନ୍ତି। ଏହାଛଡା ଘଟଣାକୁ ନେଇ ରିପବ୍ଲିକାନ ପାର୍ଟିରେ ମଧ୍ୟ ଫାଟ ସୃଷ୍ଟି ହୋଇଛି।

ଏବେ ତାଙ୍କ ଦଳର ସିନେଟରମାନେ ମଧ୍ୟ ଟ୍ରମ୍ପଙ୍କ କାର୍ଯ୍ୟକୁ ଗ୍ରହଣ କରିପାରୁନାହାନ୍ତି। ଘଟଣା ପରେ ଟ୍ରମ୍ପ ଇସ୍ତଫା ଦେଇଦେବା ଦରକାର ଥିଲା ବୋଲି ଅଲସ୍କା ସିନେଟର କହିଛନ୍ତି। ସେହିପରି ଅନ୍ୟ ଜଣେ ସିନେଟର ଲିସା ମୁର୍କୋସ୍କି ଯଦି ପାର୍ଟି ତାଙ୍କଠାରୁ ପୃଥକ ନ ହୋଇପାରୁଛି ତେବେ ତାଙ୍କ ସହ ପାର୍ଟିର ଭବିଶ୍ୟତ ମଧ୍ୟ ଅନିଶ୍ଚିତ ବୋଲି କହିଛନ୍ତି।

ଏଥିରେ ଟ୍ରମ୍ପଙ୍କୁ କୌଣସି ପ୍ରକାର ସୈନ୍ୟ ସଞ୍ଚାଳନ ଅଥବା ପରମାଣୁ ଅସ୍ତ୍ରଶସ୍ତ୍ରର ଉପଯୋଗରୁ କ୍ଷାନ୍ତ କରିବାକୁ ବାଚସ୍ପତି ଜଏଣ୍ଟ ଚିଫ୍ ଅଫ ଷ୍ଟାଫ୍ ଚେୟାରମ୍ୟାନ୍ ମାର୍କ ମିଲେଙ୍କ ସହ ଆଲୋଚନା କରିଥିବା କହିଛନ୍ତି। ଯେଉଁଥିରେ ମିଲେ ତାଙ୍କ ପକ୍ଷରୁ ନିଶ୍ଚିତ ରହିବାକୁ ଆଶ୍ୱସ୍ତ କରିଥିବା ଡେମୋକ୍ରାଟିକ କନଫରେନ୍ସରେ ନେନସୀ ପେଲୋସୀ କହିଛନ୍ତି।