ଗୋଟିଏ ବି କରୋନା କେସ୍ ରହିଲେ ୟୁପିରେ ଖୋଲିବ ନାହିଁ ଲକ୍‌ଡାଉନ୍‌: ଯୋଗୀ ସରକାର

Published By : Prameya-News7 Bureau | April 06, 2020 IST

ଲକ୍ଷ୍ନୌ ୦୬।୦୪: ଉତ୍ତର ପ୍ରଦେଶରେ କରୋନା ଭାଇରସ କାରଣରୁ ଲାଗୁ ଲକ୍‌ଡାଉନ୍‌ ଏପ୍ରିଲ ୧୪ ପରେ ମଧ୍ୟ ଜାରି ରହିପାରେ। ଏହାର ସଙ୍କେତ ଖୋଦ୍ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଗୃହ) ଅବନିଶ ଅବସ୍ଥି ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି କରୋନା ଭାଇରସର ଗୋଟିଏ ବି ମାମଲା ରାଜ୍ୟରେ ରହିବ ତେବେ ଲକ୍‌ଡାଉନ୍‌ ଖୋଲିବ ନାହିଁ। ଅନ୍ୟପଟେ ଉତ୍ତର ପ୍ରଦେଶରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟି ୩୦୫ରେ ପହଞ୍ଚି ଯାଇଛି।

ଅବନିଶ ଅବସ୍ଥି କହିଛନ୍ତି ଯେ, ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ୍ ୨୭ଟି ନୂତନ କେସ୍ ସାମ୍ନାକୁ ଆସିଛି। ଏଥିରୁ ୨୧ ଜଣ ତବଲିଗି ଜମାତରୁ ଫେରିଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୫ରେ ରହିଛି। ସେମାନଙ୍କ ମଧ୍ୟରୁ ୧୫୯ ରୋଗୀ ତବଲିଗି ଜମାତ ସହ ଜଡିତ ଅଛନ୍ତି।

ଏପ୍ରିଲ ୧୪ ପରେ ଲକ୍‌ଡାଉନ୍‌ ଖୋଲାଯିବା ବିଷୟରେ ଅବନିଶ ଅବସ୍ଥି କହିଛନ୍ତି ଯେ, ଲକ୍‌ଡାଉନ୍‌ ଖୋଲିବା ଉପରେ ଏବେଠୁ କହିବା ତରବରିଆ ହେବ। ଲକ୍‌ଡାଉନ୍‌ ଖୋଲିବାକୁ ଏବେ ମଧ୍ୟ ଆହୁରି ସମୟ ଲାଗିବ। ଏପ୍ରିଲ ୧୪ ପରେ ମଧ୍ୟ ଲକ୍‌ଡାଉନ୍‌ ଜାରି ହେବାର ସମ୍ଭାବନା ରହିଛି। ଯଦି ରାଜ୍ୟରେ ଗୋଟିଏ ବି କରୋନା କେସ୍ ରହେ ତେବେ ଲକ୍‌ଡାଉନ୍‌ ଖୋଲିବ ନାହିଁ। ଜୀବନ ପ୍ରଥମେ ବୋଲି ସେ କହିଛନ୍ତି।

ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପ୍ରୟାସ କ୍ରମେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ରାଜ୍ୟର ସମସ୍ତ ଧର୍ମଗୁରୁଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଆଲୋଚନା ବେଳେ ଧର୍ମଗୁରୁଙ୍କୁ କହିଛନ୍ତି ଯେ, ଏବେ ଲକ୍‌ଡାଉନ୍‌ ଖୋଲିବା ଠିକ୍ ନୁହଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.