ଆକାଶରେ ଉଡୁଛି ସରକାରଙ୍କ ମନ, କୃଷକଙ୍କ କଥା ନଶୁଣିଲେ ପୁନର୍ବାର କ୍ଷମତାକୁ ଫେରି ପାରିବେ ନାହିଁ: ରାଜ୍ୟପାଳ

Published By : Prameya-News7 Bureau | October 18, 2021 IST

ନୂଆଦିଲ୍ଲୀ ୧୮।୧୦: ତିନି କୃଷି ଆଇନ ବିରୋଧରେ ଆନ୍ଦୋଳନରତ କୃଷକଙ୍କୁ ପୁଣି ଥରେ ସମର୍ଥନ ଜଣାଇଲେ ମେଘାଳୟ ରାଜ୍ୟପାଳ ସତ୍ୟପାଲ  ମଲିକ। ଏପରିକି ନିଜ ସରକାରଙ୍କୁ ମଧ୍ୟ ଚେତାବନୀ ଦେଇ କହିଛନ୍ତି ଯେ, ଯଦି କୃଷକଙ୍କ କଥା ଶୁଣାନଯାଏ ତେବେ କେନ୍ଦ୍ର ସରକାର ପୁନର୍ବାର କ୍ଷମତାକୁ ଆସିବେ ପାରିବେ ନାହିଁ। ରବିବାର ଝୁନଝୁନରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ମଲିକ କହିଛନ୍ତି ଲକ୍ଷ୍ମୀପୁର ଖେରୀ ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ଘଟଣା ଦିନ ଇସ୍ତଫା ଦେଇ ଦେବାର ଥିଲା। ସେ ଏ ପର୍ଯ୍ୟନ୍ତ ଇସ୍ତଫା ନଦେଇ ସଂପୂର୍ଣ୍ଣ ଭୁଲ୍ କରିଛନ୍ତି। ସେ ମନ୍ତ୍ରୀ ହେବାକୁ ଯୋଗ୍ୟ ନୁହନ୍ତି ବୋଲି କଡା ଟିପ୍ପଣୀ କରିଛନ୍ତି ସତ୍ୟପାଲ ମଲିକ୍।

ମଲିକ କହିଛନ୍ତି, ଯେଉଁ ଦଳର ସରକାର ଥାଏ, ସେମାନଙ୍କର ମିଜାଜ ଆକାଶରେ ପହଞ୍ଚିଯାଏ। କିନ୍ତୁ କୃଷକଙ୍କ କଥା ଶୁଣିବାକୁ ପଡିବ। ଯଦି ସେମାନଙ୍କ କଥା ନଶୁଣିବେ ତେବେ ଏହି ସରକାର ପୁନର୍ବାର କ୍ଷମତାକୁ ଫେରିବ ନାହିଁ। କୃଷକଙ୍କ ସହ ଅନ୍ୟାୟ ହେଉଛି। ସେମାନେ ଘରଦ୍ଵାର ଛାଡି ୧୦ ମାସ ଧରି ପଡିରହିଛନ୍ତି। ଫସଲ ବୁଣା ସମୟରେ ବି ସେମାନେ ଦିଲ୍ଲୀରେ ପଡିଛନ୍ତି। ସେମାନଙ୍କ କଥା ସରକାର ଶୁଣିବା ଉଚିତ୍ ବୋଲି ମେଘାଳୟ ରାଜ୍ୟପାଳ କହିଛନ୍ତି।

ରାଜ୍ୟପାଳ ପଦ ଛାଡି ସେମାନଙ୍କ ସହ ଛିଡା ହେବା ପାଇଁ ଯଦି କୁହାଯାଏ, ଏହା ଉପରେ ସତ୍ୟପାଲ ମଲିକ କହିଛନ୍ତି, ମୁଁ ତସର୍ବଦା ସମର୍ଥନରେ ଛିଡା ହୋଇଛି, ଏଥିପାଇଁ ପଦ ଛାଡିବାର କୌଣସି ଆବଶ୍ୟକତା ନାହିଁ। ଯେବେ ଆବଶ୍ୟକ ପଡିବ ରାଜ୍ୟପାଳ ପଦ ବି ଛାଡି ଦେବି। ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ସଭିଙ୍କ ସହ ଝଗଡା କରି ସାରିଛି। ସମସ୍ତଙ୍କୁ କହି ସାରିଛି ଯେ, ଯାହା କରୁଛନ୍ତି ଭୁଲ୍ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟି ସେ କାଶ୍ମୀର ପ୍ରସଙ୍ଗ ହେଉ କି କୃଷକ ପ୍ରସଙ୍ଗ ସବୁ ବିଷୟରେ ଆଲୋଚନା କରିବୋ ବୋଲି ମେଘାଳୟ ରାଜ୍ୟପାଳ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.