ସାବଧାନ ! କାର ପଛରେ ବସି ସିଟ୍ ବେଲ୍ଟ ନପିନ୍ଧିଲେ, ବାଇକ୍‌ର ସାଇଡ୍ ମିରର ନଥିଲେ କଟିବ ଚାଲାଣ

Published By : Prameya-News7 Bureau | January 15, 2021 IST

ନୂଆଦିଲ୍ଲୀ ୧୫।୦୧: ରାଜଧାନୀ ଦିଲ୍ଲୀରେ ଟ୍ରାଫିକ ଓ ଡ୍ରାଇଭିଂର ନିୟମ ଆହୁରି କଠୋର ହୋଇ ଯାଇଛି। ଯଦି ଆପଣ କାରର ପଛ ସିଟ୍‌ରେ ବସୁଛନ୍ତି ଏବଂ ସିଟ୍‌ ବେଲ୍ଟ ଲଗାଉ ନାହାନ୍ତି ତେବେ ଆପଣଙ୍କ ଉପରେ ମଧ୍ୟ ଜରିମାନା ଲାଗିପାରେ। ଏହା ବ୍ୟତୀତ ଯଦି ଆପଣ ବାଇକ୍ ଚଳାଉଛନ୍ତି ଏବଂ ସାଇଡ୍ ମିରର ନାହିଁ ତେବେ ଏହାକୁ ଟ୍ରାଫିକ ନିୟମ ଉଲ୍ଲଂଘନ ଭାବେ ଧରାଯିବ ଏବଂ ଆପଣଙ୍କୁ ଜରିମାନା ଦେବାକୁ ପଡିପାରେ।

ଦିଲ୍ଲୀ ଟ୍ରାଫିଲ ପୁଲିସ ଏ ସଂପର୍କିତ ଆଡଭାଇଜରି ଜାରି କରିଛି। ଦିଲ୍ଲୀ ଟ୍ରାଫିକ୍ ପୁଲିସ କହିଛି ଯେ ଅଧିକାଂଶ ବାଇକ୍‌ରେ ସାଇଡ୍‌ ମିରର ନଥିବା ଦେଖିବାକୁ ମିଳିଛି, ଯାହା ବହୁତ ଜରୁରୀ। ଲୋକେ ଏହାକୁ କାଢି ଦେଉଛନ୍ତି କିମ୍ବା ଖରାପ ହେଲେ ସଜାଡୁ ନାହାନ୍ତି। ଏହା ବ୍ୟତୀତ କାର ପଛ ସିଟ୍‌ରେ ବସୁଥିବା ବ୍ୟକ୍ତି କେବେ ବେଲ୍‌ଟ ମଧ୍ୟ ଲଗାଉ ନାହାନ୍ତି। ଏହି କାରଣରୁ ଯଦି କୌଣସି ଦୁର୍ଘଟଣା ଘଟୁଛି ତେବେ ଡ୍ରାଇଭର ଏବଂ ଆଗ ସିଟ୍‌ରେ ବସିଥିବା ବ୍ୟକ୍ତିଙ୍କ ଜୀବନ ବଞ୍ଚି ଯାଉଛି, କିନ୍ତୁ ପଛ ସିଟ୍‌ରେ ବସିଥିବା ଲୋକ ଅଧିକ ଆହତ ହେଉଛନ୍ତି। ଏପରିକି ସେମାନଙ୍କର ମୃତ୍ୟୁ ମଧ୍ୟ ଘଟୁଛି।

ଏବେ ଟ୍ରାଫିକ ପୁଲିସ ଦିଲ୍ଲୀରେ ଏହି ନିୟମ କଡାକଡି ଲାଗୁ କରିବା ପାଇଁ ଅଭିଯାନ ଆରମ୍ଭ କରିଛି। ଏହି ଆଧାରରେ ଲୋକଙ୍କୁ ବୁଝାଇବା ସହିତ ଜରିମାନା ମଧ୍ୟ ଆଦାୟ କରାଯିବ। ସୂଚନା ଅନୁଯାୟୀ କାର ପଛ ସିଟ୍‌ରେ ବସି ବେଲ୍‌ଟ ନଲଗାଇଲେ ୧୦୦୦ ଟଙ୍କା ଜରିମାନା ଏବଂ ବାଇକ୍‌ର ସାଇଡ୍ ମିରର ନଥିଲେ ୫୦୦ ଟଙ୍କା ଚାଲାଣ କଟାଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.