୩୭୦ ଉଚ୍ଛେଦ କଲ ବୋଲି ଉତ୍ସାହିତ ହୋଇ ଧାରା ୧୧୮ରେ ହାତ ମାରିବାକୁ ସାହସ କରନି, ଭୋଗିବ ପରିଣାମ : ଧମକ ଦେଲେ କୁଲଦୀପ ରାଠୋର

Published By : Prameya-News7 Bureau | August 09, 2019 IST

ସିମ୍‌ଲା ୯|୮: ହିମାଚଳ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କୁଲଦୀପ ରାଠୋରଙ୍କ ଏକ ବିବୃତ୍ତି ହଇଚଇ ସୃଷ୍ଟି କରିବା ସହ ଚର୍ଚ୍ଚାରେ ରହିଛି । ସେ  କହିଛନ୍ତି ଯେ, ସମ୍ବିଧାନର ୩୭୦ ଧାରାକୁ ଉଚ୍ଛେଦ କରିବା ପରେ ରାଜ୍ୟର ଭାରତୀୟ ଜନତା ପାର୍ଟି ସରକାର ଉତ୍ସାହିତ ହୋଇ ହିମାଚଳରେ ଭୂ-ରାଜସ୍ବ ଅଧିନିୟମର ଧାରା ୧୧୮କୁ କୋହଳ କରିବା ଲାଗି ସଂଶୋଧନ କରନ୍ତି ତାହେଲେ  ତାର ପରିଣାମ ଭୟାନକ ହେବ ।  ଭାଜପା ସରକାରଙ୍କୁ ସାଂଘାତିକ ପରିଣାମ ଭୋଗିବାକୁ ପଡିବ ।

ଏ ସଂକ୍ରାନ୍ତରେ ପଞ୍ଜାବର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ବାଦଲଙ୍କ ବୟାନକୁ ମଧ୍ୟ ରାଠୋର ବିରୋଧ କରିଛନ୍ତି । ସୁଖବିନ୍ଦର ହିମାଚଳର ଭୂ-ରାଜସ୍ବ ଆଇନ ଅନ୍ତର୍ଗତ ଧାରା ୧୧୮ କୋହଳ କରିବାକୁ ପରାମର୍ଶ ଦେଇଥିଲେ ।ସୂଚନାଯୋଗ୍ୟ ଯେ, ଏହି ଆଇନ ଅନୁସାରେ ହିମାଚଳରେ ମଧ୍ୟ କୌଣସି ଅଣ ହିମାଚଳ ବାସିନ୍ଦା ଜମି କିଣିପାରିବେ ନାହିଁ ।

କୁଲଦୀପ କହିଛନ୍ତି ଯେ, ହିମାଚଳ ବାହାରର ଲୋକଙ୍କୁ ହିମାଚଳରେ ସମ୍ପତ୍ତି କ୍ରୟ କରିବାକୁ ଅନୁମତି ଦେବା ଲାଗି ଏହି ଆଇନକୁ କୋହଳ କରିବା ପାଇଁ କଥା ଉଠାଇବା ପଛରେ ଭାଜପା ସହ ସୁଖବିନ୍ଦରଙ୍କ ଭିତିରିଆ ରାଜନୈତିକ ଷଡଯନ୍ତ୍ର ହୋଇଥିବା ଭଳି ଜଣାପଡୁଛି । ସେ କହିଛନ୍ତି ଯେ, କଂଗ୍ରେସ ହିମାଚଳ ପ୍ରଦେଶର ଲୋକ ଏବଂ ସେମାନଙ୍କର ହିତ ସହ କୌଣସି ଖେଳକୁ ବରଦାସ୍ତ କରିବ ନାହିଁ । ହିମାଚଳର ତୁଳନା ଜମ୍ମୁକାଶ୍ମୀର ସହ କରାଯାଇପାରିବନାହିଁ । ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଯଶଓ୍ବନ୍ତ ସିଂ ହ ପରମାର ହିମାଚଳବାସୀଙ୍କ ଭାବନା ଓ ଆବଶ୍ୟକତାକୁ ଦେଖି ଧାରା ୧୧୮ ଲାଗୁ କରିଥିଲେ ।

ହିମାଚଳ ପ୍ରଦେଶର ପରିବେଶ ସବୁଜିମାରେ ଭରି ରହିଛି । ଯଦି ଅନ୍ୟ ରାଜ୍ୟର ଲୋକଙ୍କୁ ଏଠାରେ ସମ୍ପତ୍ତି କିଣିବାର ଅନୁମତି ମିଳେ ତେବେ ହିମାଚଳ ପ୍ରଦେଶର କ୍ଷତି ହେବ । କଂଗ୍ରେସ ଭାଜପା ସରକାରଙ୍କ ମନୋଭାବକୁ ଦୃଷ୍ଟିରେ ରଖି ପରମାର ଜୟନ୍ତୀରୁ ସେଭ୍ ହିମାଚଳ ଅଭିଯାନ ଆରମ୍ଭ କରିସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.