ଯଦି ଆପଣ ବି ଗୁଗୁଲରେ ସର୍ଚ୍ଚ କରୁଛନ୍ତି କରୋନା ଭାଇରସ୍‌ର ଚିକିତ୍ସା, ତେବେ ହୋଇଯାଆନ୍ତୁ ସାବଧାନ

Published By : Prameya-News7 Bureau | April 21, 2020 IST

ନୂଆଦିଲ୍ଲୀ ୨୧।୪: ଆଜିକାଲି ଯଦି କୌଣସି ସୂଚନା ବିଷୟରେ ମନରେ କୌଣସି ସନ୍ଦେହ ଥାଏ, ତେବେ ଲୋକମାନେ ଗୁଗୁଲକୁ ଆସି ଏହାକୁ ସର୍ଚ୍ଚ କରନ୍ତି । ଏବେ ପରିସ୍ଥିତି ଏପରି ହୋଇଛି ଯେ ବର୍ତ୍ତମାନ ଲୋକମାନେ ଗୁଗୁଲରେ କରୋନା ଭାଇରସର ଚିକିତ୍ସା ସର୍ଚ୍ଚ ଆରମ୍ଭ କରିଛନ୍ତି । କିନ୍ତୁ ସବୁକିଛି ପାଇଁ ଗୁଗୁଲ ଉପରେ ନିର୍ଭରଶୀଳତା ମଧ୍ୟ ଆପଣଙ୍କ ପାଇଁ ସାଂଘାତିକ ହୋଇପାରେ । କେତେକ ରିପୋର୍ଟରୁ ଜଣାପଡିଛି ଯେ, ଗୁଗୁଲରେ ଚିକିତ୍ସା ସର୍ଚ୍ଚ କରିବା ହେତୁ ଲୋକଙ୍କ ରୋଗ ପୂର୍ବ ଅପେକ୍ଷା ଅଧିକ ଜଟିଳ ହୋଇଇଯାଇଛି ।

କରୋନା ଭାଇରସ୍ ସଂକ୍ରମଣ ବର୍ତ୍ତମାନ ସମଗ୍ର ବିଶ୍ବରେ ବ୍ୟାପିଛି । ଏହି ସମୟ ମଧ୍ୟରେ ଅନେକ ଲୋକ ପରୀକ୍ଷା ନକରି ଗୁଗୁଲରେ ନିଜେ କରୋନା ଭାଇରସର ଚିକିତ୍ସା ଖୋଜୁଛନ୍ତି । ଗୁଗୁଲରେ ଆପଣ ଅନେକ ଲିଙ୍କ୍ ପାଇବେ ଯାହା ଗୋ-ମୂତ୍ର, କ୍ଲୋରୋକ୍ବିନ୍, କୋଲଏଡାଲ୍ ରୂପା, ଭିଟାମିନ୍ ଏବଂ ଚା ଦ୍ବାରା କରୋନାରୁ ଆରୋଗ୍ୟ ଲାଭ କରିବାକୁ ଦାବି କରୁଛନ୍ତି । ଏହାସହ କିଛି ଫାର୍ମା କମ୍ପାନୀଗୁଡିକ ମଧ୍ୟ ନକଲି ହୋମ୍ ଟେଷ୍ଟ କିଟ୍ ଅନଲାଇନରେ ବିକ୍ରି କରୁଛନ୍ତି । ଯାହା ଦ୍ବାରା ସେମାନେ ଲାଭବାନ୍ ହେଉଛନ୍ତି ।

ପ୍ରକୃତରେ କରୋନା ଭାଇରସ୍ ପାଇଁ କୌଣସି ଔଷଧ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ । ଗୁଗୁଲରେ ଏହିପରି ସୂଚନା ଏବଂ ଲିଙ୍କ୍ ଦ୍ବାରା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଚିନ୍ତିତ ଅଛନ୍ତି । ସେଥିପାଇଁ ଗୁଜବ ଏବଂ ନକଲି ଔଷଧଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି । ଗୁଗୁଲରେ କରୋନା ଭାଇରସ୍ ଏବଂ ଅନ୍ୟ କୌଣସି ରୋଗର ଚିକିତ୍ସା ଖୋଜନ୍ତୁ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.