ମଞ୍ଚେଷ୍ଟରରେ ୨ ଦିନ ବର୍ଷା ଆଶଙ୍କା, ଯଦି ଇଣ୍ଡିଆ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ବାତିଲ ବି ହୁଏ ତେବେ ସିଧା ଫାଇନାଲ ଖେଳିବ ଭାରତ
8/07/2019 at 9:35 PM

ଆଇସିସି ୱାର୍ଲଡ କପ୍ ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ମଙ୍ଗଳବାର ମଞ୍ଚେଷ୍ଟରର ଓଲ୍ଡ ଟ୍ରେଫର୍ଡ ଗ୍ରାଉଣ୍ଡରେ ସ୍ଥିରିକୃତ ହୋଇଛି। ଏହି ମ୍ୟାଚ୍ ରେ ଭାରତକୁ ଭେଟିବ ନ୍ୟୁଜିଲ୍ୟାଣ୍ଡ। ତେବେ ଆକ୍ୟୁୱେଦର ଡଟ୍ କମ୍ ଅନୁସାରେ ମ୍ୟାଚ୍ ଦିନ ମଞ୍ଚେଷ୍ଟରରେ ବର୍ଷାର ୬୦ ପ୍ରତିଶତ ସମ୍ଭାବନା ରହିଛି। ଏଣୁ ଗତ ଇଣ୍ଡିଆ-ନ୍ୟୁଜିଲ୍ୟାଣ୍ଡ ଲିଗ୍ ମ୍ୟାଚ୍ ଭଳି ଏହି ମ୍ୟାଚ୍ ମଧ୍ୟ ରଦ୍ଦ ହେବାର ଏବେ ଆଶଙ୍କା କରାଗଲାଣି।ଏହା ସତ୍ତ୍ବେ ଭାରତ ଫାଇନାଲକୁ ଉନ୍ନିତ ହେବ ଆସନ୍ତୁ ଜାଣିବା କିପରି ।

ଯଦି ମଙ୍ଗଳବାର ବର୍ଷା ଯୋଗୁ ମ୍ୟାଚ୍ ବାଧିତ ହୁଏ ତେବେ ଏହା ବୁଧବାରକୁ ଟଳିବ ।ହେଲେ ପାଣିପାଗ ୱେବ୍ ସାଇଟ୍ ଅନୁସାରେ ସେଦିନ ବି ବର୍ଷାର ୬୫ପ୍ରତିଶତ ଆଶଙ୍କା ରହିଛି। ଏଥିପାଇଁ ଯଦି ଟସ୍ ପଡି ନପାରେ ଓ ମ୍ୟାଚ୍ ବାତିଲ ହୁଏ ତେବେ ସର୍ବାଧିକ ପଏଣ୍ଟ ଅନୁସାରେ ଟିମ୍ ଇଣ୍ଡିଆ ଫାଇନାଲକୁ ଉନ୍ନିତ ହେବ।

ଆକ୍ୟୁୱେଦର ଡଟ୍ କମ୍ ମୁତାବକ ମଞ୍ଚେଷ୍ଟରରେ ଆଗାମୀ ଦୁଇ ଦିନ ବର୍ଷା ଆଶଙ୍କା ରହିଛି। ୯ ଓ ୧୦ ଜୁଲାଇ ଦିନ ତମାମ ବାଦଲ ଘୋଡେଇ ହୋଇ ରହିବା ସହ ମଝିରେ ମଝିରେ ଝିପିଝିପି ବର୍ଷା ବି ହୋଇ ପାରେ। ଇଂଲଣ୍ଡ ୱେଲସ୍ ରେ ଖେଳାଯାଉଥିବା ୱାର୍ଲଡ କପ୍ ପାଇଁ ସ୍ଥାନୀୟ ସମୟାନୁସାରେ ସକାଳ ୧୦ଟାରେ ଟସ୍ ହେବ। ଯାହା ଭାରତୀୟ ସମୟରେ ଅପରାହ୍ନ ସଢେ ୨ଟା ବାଜିଥିବ। ମଙ୍ଗଳବାର ସେହି ସମୟରେ ବର୍ଷା ହେବାର ୪୦ ପ୍ରତିଶତ ଆଶଙ୍କା କରାଯାଉଛି। ବର୍ଷା ଯୋଗୁ ଯଦି ମ୍ୟାଚ୍ ପରଦିନ ଅର୍ଥାତ ଜୁଲାଇ ୧୦କୁ ଟଳିଲା ତେବେ ବୁଧବାର ସେତିକି ବେଳେ ବର୍ଷା ହେବାର ୪୭ ପ୍ରତିଶତ ଆଶଙ୍କା କରାଯାଉଛି। ଏଣୁ ଟସ୍ ରେ ବିଳମ୍ବ ହୋଇ ପାରେ।

ସେହିପରି ଯଦି ଖେଳ ଆରମ୍ଭ ହୋଇ ଯାଇଛି ଓ ବର୍ଷା ହେଲା ତେବେ କଣ ହେବ। ଏ କ୍ଷେତ୍ରରେ ଯଦି ବର୍ଷା ଯୋଗୁ ସେଦିନ ଖେଳ ହୋଇ ନ ପାରିଲା ତେବେ ପୂର୍ବ ନିର୍ଦ୍ଧାରିତ ଅନୁସାରେ ସଂରକ୍ଷିତ ଦିନ ଖେଳାଯିବ। ତେବେ ରିଜର୍ଭ ଡେର ଖେଳ ସେଇଠୁ ଆରମ୍ଭ ହେବ ଯେଉଁଠି ପୂର୍ବଦିନ ଅଟକିଥିଲା। ଅର୍ଥାତ ମ୍ୟାଚ୍ ଦିନ ମାନେ ମଙ୍ଗଳବାର ଭାରତ ୧୦ ଓଭର ଖେଳିବା ପରେ ବର୍ଷା ହୋଇଗଲା ଓ ପରେ ଖେଳି ହେଲାନି ତେବେ ବୁଧବାର ଟିମ୍ ଇଣ୍ଡିଆ ୧୧ ଓଭରରୁ ଖେଳ ଆରମ୍ଭ କରିବ। ଯଦି ସେମିଫାଇନାଲ ଅଥବା ଫାଇନାଲ ମ୍ୟାଚ୍ ଟାଇ ହେଲା ତ ସେଥି ପାଇଁ ସୁପର ଓଭର ଖେଳାଯିବ।