ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର : ଆସନ୍ତା ୩୦ ତାରିଖ ସୁଦ୍ଧା ବିଲ୍ ପୈଠ କଲେ ମିଳିବ ୪% ରିହାତି

Published By : Prameya-News7 Bureau | April 17, 2020 IST

ଭୁବନେଶ୍ବର ୧୭।୪: ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଆସନ୍ତା ୩୦ ତାରିଖ ସୁଦ୍ଧା ବିଦ୍ୟୁତ ବିଲ୍‌ ଦାଖଲ କରିଲେ ମିଳିବ ୪% ରିହାତି । ମେ’ ୩ ତାରିଖ ସୁଦ୍ଧା ବକେୟା ବିଲ୍‌ରେ ବି ମିଳିପାରିବ ରିହାତି । ୱାନ୍‌ ଟାଇମ୍‌ ସେଟଲମେଣ୍ଟରେ ଉପଭୋକ୍ତା ଏଭଳି ଲାଭ ପାଇପାରିବେ ବୋଲି ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ ବା ଓଇଆରସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ସେସୁ ସିଇଓ ଚିଠି ଲେଖି ଏ ବାବଦରେ ସୂଚିତ କରିଛନ୍ତି ।

ସେହିପରି ନେସ୍କୋ, ୱେସ୍କୋ ଓ ସାଉଥ୍‌କୋର ପ୍ରଶାସନିକ ଅଧିକାରୀ (ଏଓ)ଙ୍କୁ ମଧ୍ୟ ଲେଖାଯାଇଛି । ଲକ୍‌ ଡାଉନ୍‌ ସମୟରେ ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ବିଲ୍‌ ଦେବାକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଲୋ ଟେନସନ୍‌ ବା ଏଲଟି ଉପଭୋକ୍ତାଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ।

ସେସୁ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ଅପ୍ରେଲ ଓ ମେ’ ମାସରେ ବର୍ତ୍ତମାନର ବିଲ୍‌ ସମେତ ବକେୟା ବିଲ୍‌ ଦାଖଲ କଲେ ୪ ପ୍ରତିଶତ ରିହାତି ମିଳିପାରିବ । ଉଭୟ ଅନଲାଇନ୍‌ ଓ ଅଫଲାଇନ୍‌ ସମସ୍ତ ମୋଡରେ ଏହି ରିହାତି ନିଆଯାଇପାରିବ ।  ତେବେ ରାଜ୍ୟରେ ଘରୋଇ ଗ୍ରାହକଙ୍କ ସମେତ ଡାକ୍ତରଖାନା ଏବଂ ଅନ୍ୟାନ୍ୟ ଗ୍ରାହକଙ୍କୁ ୨୪ ଘଣ୍ଟା ବିଜୁଳି ଯୋଗାଣ ବାଧ୍ୟତାମୂଳକ କରାଯାଇଛି ।

ଓଡିଶାରେ ଥିବା ୪ଟି ଯାକ ବଣ୍ଟନକାରୀ କମ୍ପାନୀରୁ ପ୍ରାୟ ୧୦ହଜାର କୋଟି ଟଙ୍କାର ରାଜସ୍ୱ ଆସୁଥିବା ବେଳେ ଏଥିରୁ ୬୦ ପ୍ରତିଶତ କେବଳ ଶିଳ୍ପସଂସ୍ଥା ଗୁଡିକରୁ ଆଦାୟ ହୋଇଥାଏ । ହେଲେ ପ୍ରାୟତଃ ସବୁ ଶିଳ୍ପସଂସ୍ଥା ଏବେ ଲକ୍‌ ଡାଉନ୍‌ ଯୋଗୁଁ ବନ୍ଦ । ଶିଳ୍ପସଂସ୍ଥା ଗୁଡିକରୁ କ୍ରସ ସବସିଡ୍‌ ବାବଦରେ ଅର୍ଥ ମିଳୁନଥିବାରୁ ଓଇଆରସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳୁଛି ।

ଓଇଆରସି ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ ଅପ୍ରେଲ ଓ ମଇ ମାସରେ ଯେଉଁ ଘରୋଇ ଗ୍ରାହକମାନେ ସେମାନଙ୍କ ବିଲ୍‌ ପଇଠ କରିବେ ତାଙ୍କୁ ଅନ୍ୟ ସମସ୍ତ ରିହାତି ବାଦ୍‌ ଅତିରିକ୍ତଭାବେ ଆଉ ୪ ପ୍ରତିଶତ ରିହାତି ମିଳିବ । ଲକ୍‌ ଡାଉନ୍‌ ଯୋଗୁଁ ଏହି ନିର୍ଦ୍ଦେଶନାମା ଓଇଆରସିର ନିୟମାବଳୀ ୨୦୨ କୋଡ୍‌ ୨୦୧୯ ଅନୁଯାୟୀ ଜାରି ହୋଇଛି । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସମସ୍ତ ବିତରଣ କମ୍ପାନୀକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.