ଆଜିର ମ୍ୟାଚରେ ଯଦି ପାକିସ୍ତାନ ଜିତିଯାଏ : କ’ଣ ହେବ ଜାଣନ୍ତୁ

Published By : Prameya-News7 Bureau | September 19, 2018 IST

ଏସିଆ କପରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ତେବେ ପାକିସ୍ତାନ ଯଦି ଏହି ମ୍ୟାଚ୍ ଜିତିଯାଏ ତାହେଲେ କ’ଣ ହେବ ଜାଣିଛନ୍ତି କି? ପାକିସ୍ତାନ ଯଦି ଏ ମ୍ୟାଚ୍ ଜିତିଯାଏ ତାହେଲେ ଏସିଆ କପରେ ପରସ୍ପରଠାରୁ ଜିତିବା କ୍ଷେତ୍ରରେ ଭାରତର ସମକକ୍ଷ ହୋଇଯିବ। କାରଣ ଅଦ୍ୟାବଧି ଏସିଆ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମୁଦାୟ ୧୧ଟି ମ୍ୟାଚ୍ ହୋଇଛି। ଏଥିରୁ ୬ଟିରେ ପାକିସ୍ତାନକୁ ହରାଇ ଭାରତ ବିଜୟୀ ହୋଇଛି। ୧୯୮୪ମସିହାରେ ଏସିଆ କପ୍ ଆରମ୍ଭ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚରେ ପାକିସ୍ତାନକୁ ଭାରତ ୫୪ରନରେ ପରାସ୍ତ କରିଥିଲା। ଏହି ମ୍ୟାଚରେ ସୁନୀଲ ଗାଭାସ୍କର ଭାରତର ଅଧିନାୟକ ଥିଲେ। ସୁନୀଲ ଗାଭାସ୍କର ସୁନ୍ଦର ଖେଳ ପ୍ରଦର୍ଶନ କରିଥିଲେ। ସୁରେନ୍ଦ୍ର ଖାନ୍ନା ଆକର୍ଷଣୀୟ ଅର୍ଦ୍ଧଶତକ କରିଥିଲେ। ତେବେ ଏହି ମ୍ୟାଚରେ ମାତ୍ର ୯ରନରେ ପାକିସ୍ତାନ ୬ଟି ଓ୍ବିକେଟ୍ ହରାଇଦେଇଥିଲା। ୧୯୮୮ମସିହାରେ ଏସିଆ କପରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ଭାରତ ଟସ୍ ଜିତି ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଏହି ମ୍ୟାଚ୍ ଭାରତ ୪ଓ୍ବିକେଟରେ ବିଜୟୀ ହୋଇଥିଲା। ମ୍ୟାଚରେ ମହିନ୍ଦ୍ର ଅମରନାଥ ସର୍ବାଧିକ ୭୪ରନ୍ କରିଥିଲେ। ୧୯୯୫,୨୦୦୦ ଏବଂ ୨୦୦୪ମସିହାର ଏସିଆ କପରେ ଭାରତ ପାକିସ୍ତାନଠାରୁ ପରାସ୍ତ ହୋଇଥିଲା। ତେବେ ୨୦୦୮ମସିହାରେ ଏହି ପରାସ୍ତର ପ୍ରତିଶୋଧ ନେଇଥିଲା ଭାରତ। ଏହି ବର୍ଷ ଏସିଆ କପରେ ଭାରତ ବିପକ୍ଷରେ ପ୍ରଥମେ ବ୍ୟାଟିଂକରି ପାକିସ୍ତାନ ୨୯୯ରନର ବିଶାଳ ଟାର୍ଗେଟ୍ ଦେଇଥିଲା ଭାରତକୁ। ତେବେ ବୀରେନ୍ଦ୍ର ସେହେଓ୍ବାଗଙ୍କ ଆକର୍ଷଣୀୟ ଶତକ ବଳରେ ଭାରତ ଏହି ଟାର୍ଗେଟ ହାସଲ କରିବା ସହ ବିଜୟୀ ହୋଇଥିଲା। ସେହିଭଳି ୨୦୧୦ମସିହାରେ ଭାରତୀୟ ଦଳର ଅଧିନାୟକ ଥିଲେ। ମ୍ୟାଚରେ ସୟିଦ ଆଫ୍ରିଦିଙ୍କ ପାକିସ୍ତାନ ଦଳ ଭାରତ ଆଗରେ ୨୬୭ରନର ଲକ୍ଷ୍ୟ ରଖିଥିଲେ। କିନ୍ତୁ ଭାରତ ଅନାୟସରେ ଏହି ଲକ୍ଷ୍ୟ ହାସଲ କରି ବିଜୟୀ ହୋଇଥିଲା। ୨୦୧୨ମସିହାରେ ଏସିଆ କପରେ ପାକିସ୍ତାନ ବିପକ୍ଷରେ ବିରାଟ କୋହଲୀ ଭାରତକୁ ବିଜୟୀ କରାଇଥିଲେ କହିଲେ ଭୁଲ୍ ହେବ ନାହିଁ। ବିରାଟ ଏହି ମ୍ୟାଚରେ ତାଙ୍କର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରି ପାକିସ୍ତାନ ବିପକ୍ଷରେ ବ୍ୟକ୍ତିଗତ ୧୮୩ରନ୍ ସଂଗ୍ରହ କରିଥିଲେ। ସଚିନ୍ ତେନ୍ଦୁଲକର ଆକର୍ଷଣୀୟ ଅର୍ଦ୍ଧଶତକ କରିଥିଲେ। ପାକିସ୍ତାନକୁ ୩୨୯ରନର ଲକ୍ଷ୍ୟ ଦେଇ ଭାରତ ବିଜୟୀ ହୋଇଥିଲା। ୨୦୧୬ମସିହା ଏସିଆ କପରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବରେ ଭାରତ ପାକିସ୍ତାନକୁ ହରାଇଥିଲା। ଏହି ବର୍ଷ ଏସିଆ କପ୍ ଟି-୨୦ଫର୍ମାଟରେ ଖେଳାଯାଇଥିଲା। ଭାରତ ଟସ୍ ଜିତି ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ୧୮ଓଭରରେ ମାତ୍ର ୮୩ରନ୍ କରି ପାକିସ୍ତାନର ସମସ୍ତ ଖେଳାଳି ଆଉଟ୍ ହୋଇଯାଇଥିଲେ। ଏହି ମ୍ୟାଚରେ ମଧ୍ୟ ବିରାଟ କୋହଲୀ ସୁନ୍ଦର ପ୍ରଦର୍ଶନ କରିଥିଲେ। ବ୍ୟକ୍ତିଗତ ୪୯ରନ୍ କରି ଦଳକୁ ବିଜୟୀ କରାଇଥିଲେ। ଆଜିର ମ୍ୟାଚରେ ଦୁଇଦଳର ମୁକାବିଲା ରୋଚକ ହେବ। ଭାରତର ମଧ୍ୟମକ୍ରମ ଭଲ ଫର୍ମରେ ନଥିବାବେଳେ ରୋହିତ ଶର୍ମା ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ଖେଳାଳି ମଧ୍ୟ ଭଲ ଫର୍ମରେ ନାହାନ୍ତି। ତେବେ ଶିଖର ଧାଓ୍ବନ ଏବଂ ରାୟୁଡ଼ୁଙ୍କ ଉପରେ ଦଳ ନିର୍ଭର କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.