ଜୟପୁର ୧୭।୧: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ଚାଷୀମାନେ ସାରା ଦେଶରେ ବିରୋଧ କରୁଛନ୍ତି। ଏହାକୁ କଳା ଆଇନ କହୁଥିବା ବେଳେ ସମ୍ପର୍କିତ ଅନ୍ୟ ୨ଟି ଆଇନର ମଧ୍ୟ ପ୍ରତ୍ୟାହାର ଦାବି କରୁଛନ୍ତି। ଏଥିଲାଗି ଚାଷୀ ଦିଲ୍ଲୀ ସୀମାରେ ଦୀର୍ଘ ଆନ୍ଦୋଳନ ଚଳାଇବାକୁ ମଧ୍ୟ ପ୍ରସ୍ତୁତ ବୋଲି କହୁଛନ୍ତି। ତେବେ ଆଇନ ନେଇ ସୁପ୍ରିମକୋର୍ଟ ଗଠନ କରିଥିବା କମିଟିର ତଥା ଶେତକରି ସଙ୍ଗଠନର ସଦସ୍ୟ ଅନିଲ ଘନବଟ କିନ୍ତୁ ଭିନ୍ନ କଥା କହୁଛନ୍ତି। ତେବେ ଆସନ୍ତୁ ଜାଣିବା କଣ କହୁଛନ୍ତି ଘନବଟ।
ଦେଶରେ ୧୯୬୦ ମସିହାରୁ ଚାଷୀମାନେ ସଂଶୋଧିତ କୃଷି ଆଇନ ଦାବି କରିଆସୁଛନ୍ତି। ତେବେ ଚାଷୀଙ୍କ ଦାବିକୁ ଏପର୍ଯ୍ୟନ୍ତ କେନ୍ଦ୍ରରେ ଥିବା ସରକାରମାନେ ଟାଳିଆସୁଥିଲେ। ଏପରିକି ଏବେ କେନ୍ଦ୍ରରେ ଥିବା ବିଜେପି ମଧ୍ୟ ସଂସ୍କାରର ବିରୋଧ କରୁଥିଲା। ଏଥିରେ ସଂଶୋଧିତ ଆଇନ ଆସି ସାରିଥିବା ବେଳେ ଏହାର ପ୍ରତ୍ୟାହାର ହେଲେ ଏଥିଲାଗି ଦେଶର ଚାଷୀଙ୍କୁ ହୁଏତ ଆହୁରି ୧୦୦ ବର୍ଷ ଅପେକ୍ଷା କରିବାକୁ ପଡିପାରେ ବୋଲି ସେ କହିଛନ୍ତି।
ଥରେ ଆଇନ ପ୍ରତ୍ୟାହାର ହେଲେ ଅନ୍ୟ ସରକାରମାନେ ଏପରି ଆଇନ ଲାଗି ଭୟ କରିବେ, ଚାଷୀ ଓ ଚାଷ ଅବହେଳିତ ହୋଇ ରହିଯିବ। ଫଳରେ ଦେଶ ସେହି ପୁରୁଣା କୃଷି ଆଇନରେ ଚାଲିବାକୁ ବାଧ୍ୟ ହେବ, ଯେଉଁଥିରେ ଗତ ୨୫ ବର୍ଷରେ ସାଢେ ୪ ଲକ୍ଷ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ଘନବଟ କହିଛନ୍ତି। ଏଣୁ ଆଇନ ପ୍ରତ୍ୟାହାର ନୁହେଁ ଏଥିରେ ଚାଷୀଙ୍କ ଅନୁରୁପ ସୁଧାର ନିଶ୍ଚିତ କରାଯିବ ବୋଲି ସେ କହିଛନ୍ତି।
ଦେଶରେ ପ୍ରଚଳିତ କୃଷି ଆଇନ ଏପର୍ଯ୍ୟନ୍ତ ଚାଷୀଙ୍କୁ ଗରିବରୁ ଗରିବ କରିଛି। ଚାଷୀ ସମବାୟ ଋଣ ସୁଝିବାରେ ବିଫଳ ହୋଇଛି। ଚାଷରୁ ଆୟ ହ୍ରାସ ହୋଇ ଚାଲିଥିବା ବେଳେ ପରିବାରର ଖର୍ଚ ଭରଣା କରି ନପାରି ଚାଷୀ ଆତ୍ମହତ୍ୟା କରୁଛି। ନୂଆ ଆଇନ ଚାଷୀଙ୍କୁ ଉନ୍ନତ ଚାଷରେ ସହାୟତା କରିବ। ସେମାନଙ୍କ ଆୟ ବୃଦ୍ଧି ସାଙ୍ଗକୁ ସାମାଜିକ ମାନ ମଧ୍ୟ ବୃଦ୍ଧି ହେବ। ଚାଷୀକୁ ଆତ୍ମ ବିଶ୍ୱାସ ମିଳିବା ସହ ଆତ୍ମହତ୍ୟାରୁ ନିବୃତ ହେବ ବୋଲି କହିଛନ୍ତି ଘନବଟ।
ତେବେ ଚାଷୀଙ୍କ ଅଭିଯୋଗ ମଧ୍ୟ ନିରାଧାର ନୁହେଁ। ଆଇନରେ ଅନେକ ତ୍ରୁଟି ରହିଛି। ହେଲେ ଆଇନରେ ଏପର୍ଯ୍ୟନ୍ତ ଚାଷୀଙ୍କ ଗୋଡରେ ପଡିଥିବା ବେଡି ସାମାନ୍ୟ ଢିଲା ହୋଇଛି ବୋଲି ଘନବଟ କହିଛନ୍ତି। ଶଂଶୋଧିତ ଆଇନର ଜୁଡିସିଆଲ ପ୍ରୋସେସରେ ରେଭିନ୍ୟୁ ଅଧିକାରୀଙ୍କୁ କ୍ଷମତା ଦିଆଯାଇଛି। ଏହି ବିଭାଗ ତଳୁ ଉପରଯାଏଁ ଦୁର୍ନୀତିରେ ଭରି ରହିଛି। ଏଥିରେ ରେଭିନ୍ୟୁ ଅଧିକାରୀ ଚାଷୀଙ୍କ ଆଇନଗତ ସମସ୍ୟା ସମାଧାନ ଦାୟିତ୍ୱରେ ରହିଲେ ଚାଷୀଙ୍କର ଲାଭ ବଦଳେ କ୍ଷତି ହିଁ ହେବ ବୋଲି ଘନବଟ କହିଛନ୍ତି।
ସେହିପରି ଇସେନସିଆଲ କମଡିଟିରେ ୫ବର୍ଷରେ ରିଭ୍ୟୁ ବ୍ୟବସ୍ଥା ମଧ୍ୟ ଭୁଲ। ଆଇନରୁ ଏହାକୁ ହଟାଯିବା ଦରକାର। ସେହିପରି ଏମଏସପିକୁ ନେଇ ଚାଷୀଙ୍କ ଦାବି ଯଥାର୍ଥ ବୋଲି ଘନବଟ କହିଛନ୍ତି। ଏପରି ଛୋଟମୋଟ ସୁଧାର ନେଇ ଚାଷୀଙ୍କ ସହ ଆଲୋଚନା ହେଲେ ସମସ୍ୟା ସମାଧାନର ବାଟ ବାହାରିଆସିବ ବୋଲି ସେ କହିଛନ୍ତି।
ଦେଶରେ ଚାଷୀଙ୍କ ଏତେବଡ ଆନ୍ଦୋଳନ ପ୍ରଥମ। ଏହା ପୂର୍ବରୁ ଚାଷୀ କେବେ ଏପରି ଆନ୍ଦୋଳନକୁ ଓହ୍ଲାଇ ନଥିଲେ। ଭାରତ ଏକ କୃଷି ପ୍ରଧାନ ଦେଶ କୁହାଯାଉଛି। ହେଲେ ଦେଶର ମଜଭୁତ କୃଷି ଆଇନ ନାହିଁ। ଏହା କିପରି ସମ୍ଭବ ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି ଆଇନର ଛୋଟମୋଟ ସୁଧାରରେ ଏହା କାର୍ଯ୍ୟକାରୀ ହେଉଛି ଏହାର ସମସ୍ତ ଶ୍ରେୟ ଆନ୍ଦୋଳନକାରୀ ଚାଷୀଙ୍କୁ ହିଁ ଯିବ ବୋଲି ସେ କହିଛନ୍ତି।