Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଡିଆରଏସ ନିୟମ ଉପରେ ଆଇସିସିକୁ ଏହି ପରାମର୍ଶ ଦେଲେ ସଚିନ ତେନ୍ଦୁଲକର

12/07/2020 at 5:02 PM

ନୂଆଦିଲ୍ଲୀ ୧୨।୦୭: ଦୁନିଆର ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକର ବ୍ୟାଟସମ୍ୟାନଙ୍କ ପ୍ରତି କଠୋର ଆଭିମୁଖ୍ୟ ରଖିବା ପକ୍ଷଧର ଅଟନ୍ତି। ଏହି କ୍ରମରେ ସଚିନ ଏଲବିଡବ୍ଲ୍ୟୁ ପାଇଁ ମଗାଯାଉଥିବା ଡିଆରଏସ ଉପରେ ନିଜର ନିୟମ ପରିବର୍ତ୍ତନ କରିବାକୁ ଆଇସିସିକୁ ପରାମର୍ଶ ଦେଇଛନ୍ତି। ସଚିନ କହିଛନ୍ତି, ଯଦି ବଲ୍‌ ଷ୍ଟମ୍ପରେ ବାଜୁଛି ତେବେ ବ୍ୟାଟସମ୍ୟାନଙ୍କୁ ଆଉଟ୍ ଦେବା ଉଚିତ୍।

ସଂପ୍ରତି ଏଲବିଡବ୍ଲ୍ୟୁ ଓ ଡିଆରଏସ ପ୍ରଣାଳୀରେ ଯେଉଁ ନିୟମ ରହିଛି, ସେହି ଅନୁଯାୟୀ ଯଦି ଅମ୍ପାୟର ବ୍ୟାଟସମ୍ୟାନଙ୍କୁ ଆଉଟ୍‌ ନଦିଅନ୍ତି ଏବଂ ବିପକ୍ଷ ଦଳ ଡିଆରଏସ ନେଉଛନ୍ତି, ସେହି କ୍ଷେତ୍ରରେ ଅମ୍ପାୟରଙ୍କ ନିୟମ ତେବେ ଯାଇ ବଦଳିବ ଯେବେ ବଲ୍ ଅତି କମରେ ୫୦ ପ୍ରତିଶତରୁ ଅଧିକ ଅଂଶ ଷ୍ଟମ୍ପରେ ବାଜୁଥିବ। ଯଦି ବଲ୍‌ କେବଳ ଷ୍ଟମ୍ପଙ୍କୁ ଛୁଇଁ ଚାଲି ଯାଉଛି ତେବେ ନିର୍ଣ୍ଣୟ ଅମ୍ପାୟର କଲ୍ ହିଁ ରହୁଛି।

ସଚିନ ଏକ ଭିଡିଓ ଟ୍ଵିଟ୍‌ କରି ଲେଖିଛନ୍ତି, ଯଦି ବଲ୍ ଷ୍ଟମ୍ପରେ ବାଜୁଛି ତେବେ ଏହି ନିୟମ ରହିବା ଉଚିତ୍‌ ନୁହେଁ ଯେ, ବଲ୍‌ ୫୦ ପ୍ରତିଶତରୁ ଅଧିକ ଷ୍ଟମ୍ପଙ୍କୁ ଛୁଇଁବା ଦରକାର। ଯଦି ଡିଆରଏସରେ ଜଣା ପଡୁଛି ବଲ୍‌ ଷ୍ଟମ୍ପରେ ବାଜୁଛି ତେବେ ବ୍ୟାଟସମ୍ୟାନଙ୍କୁ ଆଉଟ୍ ଦେବା ଉଚିତ୍।

ଏହି ଭିଡିଓରେ ସଚିନ ଦୁନିଆର ଦ୍ଵିତୀୟ ମହାନ ବ୍ୟାଟସମ୍ୟାନ ଓ୍ଵେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ବ୍ରାଏନ ଲାରାଙ୍କ ସହ ଡିଆରଏସ ପ୍ରଣାଳୀ ଉପରେ ଆଲୋଚନା କରୁଛନ୍ତି। ଲାରାଙ୍କ ସହ ଆଲୋଚନା  ବେଳେ ସଚିନ କହିଛନ୍ତି, ଆଇସିସି ସହ ଗୋଟିଏ କଥାକୁ ନେଇ ମୁଁ ସହମତ ନୁହେଁ, ତାହା ହେଉଛି ଡିଆରଏସ। ଏହା ଏଲବିଡବ୍ଳ୍ୟୁ ନିଷ୍ପତ୍ତିକୁ ନେଇ ରହିଛି। ନିୟମ ରହିଛି ପଡିଆ ଅମ୍ପାୟରଙ୍କ ନିର୍ଣ୍ଣୟ ତେବେ ଯାଇ ବଦଳିବ, ଯେବେ ବଲ ଷ୍ଟମ୍ପକୁ ୫୦ ପ୍ରତିଶତରୁ ଅଧିକ ଅଂଶ ବାଜୁଥିବ।

୧୦୦ ଅନ୍ତରାଷ୍ଟ୍ରୀୟ ଶତକ ହାସଲ କରିଥିବା ସଚିନ କହିଛନ୍ତି, ଯେବେ କୌଣସି ନିର୍ଣ୍ଣୟର ସମୀକ୍ଷା ପାଇଁ ତୃତୀୟ ଅମ୍ପାୟର ପାଖକୁ ଯାଉଛି ତେବେ ଟେକ୍ନୋଲୋଜିକୁ ତାର କାମ କରିବାକୁ ଦିଅନ୍ତୁ। ଯେମିତି ଟେନିସ୍‌ରେ ହୋଇଥାଏ।

   Related Posts