ଡେଙ୍ଗୁ ପ୍ରକୋପ କଲେ ଗୁରୁତର ହେବ କୋଭିଡ-୧୯ ସଂକଟ: ବିଶେଷଜ୍ଞ

Published By : Prameya-News7 Bureau | July 10, 2020 IST

ନୂଆଦିଲ୍ଲୀ ୧୦।୭:  ମୌସୁମୀ ଆଗମନ ସହ ଦେଶର ଏକ ବିଶାଳ ଭାଗରେ ଡେଙ୍ଗୁ କାୟା ବିସ୍ତାର କରିବାର ଆଶଙ୍କା କରାଗଲାଣି।  ଯଦି ଏପରି ହୁଏ ତେବେ ସରକାରଙ୍କ କରୋନା ମୁକାବିଲା ରଣନୀତି ବିଫଳ ହେବ। ଡେଙ୍ଗୁ ଓ କରୋନା ଉଭୟ ସଂକ୍ରମଣର ଲକ୍ଷଣ ଏକା ଭଳି । ଏଣୁ କରୋନାରେ ଡେଙ୍ଗୁ ଅଧିକ ବିପଦଜନକ ହେବ ବୋଲି ବିଶେଷଜ୍ଞ ଆଶଙ୍କା ବ୍ୟକ୍ତ କରିଛନ୍ତି। କରୋନାଗ୍ରସ୍ତ ଦେଶରେ ଡେଙ୍ଗୁର ପ୍ରସାର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଦୋହରା ଚାପ ପକାଇବ। ଯାହାର ମୁକାବିଲା ସମ୍ଭବ ହୋଇ ନ ପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି।

ଉଭୟ  ସଂକ୍ରମଣର ଯାଞ୍ଚ ପୃଥକ, ଉପଚାର ମଧ୍ୟ ଅଲଗା। ଏଣୁ ଉଭୟ ସଂକ୍ରମଣ ଗୋଟିଏ ଅନ୍ୟକୁ ଗୁରୁତର କରିଦେବ। ମହାମାରୀ ବୈଜ୍ଞାନିକ ଶାହିଦ ଜମିଲ ୨୦୧୬-୧୯ ତଥ୍ୟକୁ ଆଧାର କରି ପ୍ରତିବର୍ଷ ଦେଶରେ ମୌସୁମୀ କାଳରେ ୧ରୁ ୨ ଲକ୍ଷ ଲୋକେ ଡେଙ୍ଗୁ ଆକ୍ରାନ୍ତ ହୋଇଥିବାର ଜାଣିବାକୁ ପାଇଛନ୍ତି। ୨୦୧୯ରେ ସାରା ଦେଶରେ ୧ଲକ୍ଷ ୩୬ ହଜାର ୪୨୨ ଜଣ ଡେଙ୍ଗୁ ଚିହ୍ନଟ ହୋଇଥିଲେ।  ଏମାନଙ୍କ ମଧ୍ୟରୁ ୧୩୨ଜଣଙ୍କର ମୃତ୍ୟୁ ହୋଇଥିଲା।

ଦକ୍ଷିଣ ଭାରତରେ ଡେଙ୍ଗୁ ଭୂତାଣୁ ବର୍ଷତମାମ ବ୍ୟାପିଥାଏ। ତେବେ ମୌସୁମୀ ଶେଷ ଓ ଶୀତ ଆଗମନ ମଧ୍ୟବର୍ତ୍ତି ସମୟରେ ଉତ୍ତର ଭାରତର କେତେକ ଅଞ୍ଚଳରେ ଡେଙ୍ଗୁ ବ୍ୟାପେ। ଏଣୁ ପୁରା ଦେଶରେ ଏବେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଡେଙ୍ଗୁ ବ୍ୟାପିବା ଆରମ୍ଭ କରିବ। ଯଦି ଡେଙ୍ଗୁର ପ୍ରକୋପ ବଢେ ତେବେ କୋଭିଡ-୧୯ ପରିସ୍ଥିତିକୁ ଜଟିଳ କରିବ ବୋଲି ଭୂତାଣୁ ବୈଜ୍ଞାନିକ ଧ୍ରୁବଜ୍ୟୋତି ଚଟୋପଧ୍ୟାୟ କହିଛନ୍ତି। ଯଦିଓ ଏ ଦିଗରେ ଏପର୍ଯ୍ୟନ୍ତ ଅଧ୍ୟୟନ ହୋଇ ନାହିଁ, ତେବେ ଶରୀରରେ ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ ଅନ୍ୟ ଭୂତାଣୁ ଲାଗି ଘାତକ ନ ହେବ ତାହା କହି ହେବ ନାହିଁ।

ଏଣୁ ଡେଙ୍ଗୁ ଋତୁ ଆରମ୍ଭ ହୋଇଥିବାରୁ କରୋନା ସଂକ୍ରମଣ ଦ୍ରୁତ ହେବ ବୋଲି ସିଏସଆଇଆରଙ୍କ ଆଇଆଇସିବି ଭୂତାଣୁ ବୈଜ୍ଞାନିକ ଉପାସନା ରାୟ କହିଛନ୍ତି। ଉଭୟ ରୋଗର ଲକ୍ଷଣ ଏକାଭଳି ଏଣୁ ଏଥିରୁ କିଏ ଡେଙ୍ଗୁ ଆକ୍ରାନ୍ତ ଓ କିଏ କରୋନା ତାହା ଏବେ ଚିହ୍ନଟ କରିବା ଆମ ଲାଗି କଷ୍ଟକର ହୋଇପଡିବ ବୋଲି କହିଛନ୍ତି ଡା. ଉପାସନା। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯେପରି ବଢିବାରେ ଲାଗିଛି ସେଥିରେ ଡେଙ୍ଗୁ ଆକ୍ରାନ୍ତଙ୍କ ଲାଗି ଆମ ହସ୍ପିଟାଲରେ ବେଡ ଅଛିତ। ଏହା ହିଁ ଏବେ ଆମ ଲାଗି ସବୁଠାରୁ ବଡ ପ୍ରଶ୍ନ। ଏଣୁ ଡେଙ୍ଗୁ ସଂକ୍ରମଣ ପୂର୍ବରୁ ପୁରା ପ୍ରସ୍ତୁତି କରିନେବେ ଏବେଠାରୁ ଜରୁରି ବୋଲି ଡା. ଉପାସନା କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.